ମଣିପୁର ହିଂସାକୁ ନେଇ ଆକ୍ସନରେ ଗୃହମନ୍ତ୍ରୀ ଅମିତ ଶାହା । ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳଙ୍କୁ ନେଇ ଗଠନ କଲେ ଶାନ୍ତି କମିଟ

122

କନକ ବ୍ୟୁରୋ : ଦିନ ଯେତିକି ବଢୁଛି ମମଣିପୁରରେ ସେତିକ ହିଂସା ବଢୁଛି । ସ୍ଥିତି ଏବେ ଅଧିକ ସଂଗୀନ ହେବାରେ ଲାଗିଛି । ଦୁଇ ସାମ୍ପ୍ରଦାୟୀକ ସଂଘର୍ଷ ଭିତରେ ଉଗ୍ରବାଦୀଙ୍କ ତାଣ୍ଡବ ସ୍ଥିତିକୁ ଅଧିକ ବିଗାଡିବାରେ ଲାଗିଛି । ଏହି ସବୁ ଭିତରେ ଛାତି ଫଟାଇ କାନ୍ଦୁଛି ମଣିପୁର । ବଳି ପଡୁଛି ନୀରିହ ଜନତାଙ୍କ ଜୀବନ । ଶନିବାର ସେନା ପୋଷାକ ପିନ୍ଧି ଉଗ୍ରବାଦୀ ୩ଣଙ୍କୁ ଗୁଳିମାରି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଇମ୍ଫାଲର ଜଣେ ସ୍ଥାନୀୟ ବାସିନ୍ଦାଙ୍କ ଘରକୁ ଯବାନ ବେଶରେ ଯାଇ ଉଗ୍ରବାଦୀ ଗୁଳିମାଡ଼ କରିଛନ୍ତି । ଫେରାର ଉଗ୍ରବାଦୀଙ୍କ ଖୋଜରେ ସେନା ସର୍ଚ୍ଚ ଅପରେସନ ଜୋରଦାର କରିଛି ।

ସ୍ଥିତି ବିଗୁଡଥିବା ଦେଖି ଶନିବାର ଗୃହମନ୍ତ୍ରୀ ଅମିତ ଶାହା ଉଚ୍ଚସ୍ତରୀୟ ବୈଠକ ଡକାଇଛନ୍ତି । ସେପଟେ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ଗଠନ କରାଯାଇ କିଭଳି ସ୍ଥିତିକୁ ଆୟତକୁ ଅଣାଯିବ ଏଦିଗରେ ଚାଲିଛି ଚର୍ଚ୍ଚା । ଶୁକ୍ରବାର ଉଗ୍ରବାଦୀମାନେ ୩ଜଣ ଜନତାଙ୍କୁ ହତ୍ୟା କରିବା ସହ ବିଜେପି ନେତାଙ୍କ ଘରେ ଆଇଡି ବିସ୍ଫୋରଣ କରିଥିଲେ ।

ମେ ୩ରୁ ମୈତଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ବିବାଦ ଦେଖାଦେଇଥିଲା । ଛୋଟମୋଟ ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବା ସହ ହିଂସାରେ ଏବେ ଜଳୁଛି ମଣିପୁର । ପରିସ୍ଥିତିକୁ ରୋକିବା ପାଇଁ ଖୋଦ ଗୃହମନ୍ତ୍ରୀ ଅମିତ ଶାହା ମଣିପୁରଗସ୍ତ କରିଥିଲେ । ସବୁ ଦିଗ ଉପରେ ବିଚାର କରି ରଣନୀତି ପ୍ରସ୍ତୁତ କରିଥିଲେ ।

ପ୍ରଶ୍ନ ଉଠୁଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ ସତ୍ୱେ କ’ଣ ପାଇଁ ମଣିପୁରର ହିଂସାତ୍ମକ ସ୍ଥିତି ଆୟତକୁ ଆସିପାରୁନି? ଉଗ୍ରବାଦୀଙ୍କ ତାଣ୍ଡବକୁ ସରକାର ରୋକିବା ପାଇଁ କି ପଦକ୍ଷେପ ଗ୍ରହଣ କରିବେ? ବିପୁଳମାତ୍ରାରେ ହୋଇଥିବା ଧନଜୀବନ ହାନୀ ପାଇଁ ଦାୟୀ କିଏ?