କୋରାପୁଟ ଜିଲ୍ଳା କଂଗ୍ରେସ ସଭାପତି ପଦରୁ ହଟିବା ପରେ ସାଂସଦଙ୍କୁ କଟାକ୍ଷ କଲେ ମୀନାକ୍ଷୀ ବାହିନୀପତି । ପ୍ରଶ୍ନ ଉଠାଇଲେ ସୁର ରାଉତରାୟ । ମିଳିମିଶି କାମ କରିବାକୁ ପରାମର୍ଶ ଦେଲେ ସାଲୁଜା

297

କନକ ବ୍ୟୁରୋ: କଂଗ୍ରେସକୁ ଫେରିଛି ପୁରୁଣା ରୋଗ । ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ନେତ୍ରୀ ଓ ସାଂସଦ । କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ମୀନାକ୍ଷୀ ବାହିନୀପତିଙ୍କୁ ହଟାଇ ଦେବା ପରେ ବେଶ ଆକ୍ରାମକ ହୋଇପଡିଛନ୍ତି ମୀନାକ୍ଷୀ । ସିଧା ସାଂସଦଙ୍କୁ ଟାର୍ଗେଟ କରି ଦିଲ୍ଲୀର ଲଡୁ ଖାଉଥିବା ଓ ମାଟି କଥା ବୁଝୁନଥିବା ତାତ୍ସଲ୍ୟ କରିଛନ୍ତି । ଅନ୍ୟପକ୍ଷରେ ସାଂସଦ କିନ୍ତୁ ମୀନାକ୍ଷୀଙ୍କ ସହ ମିଳି ମିଶି କାମ କରିବା ନେଇ ସଙ୍କେତ ଦେଇଛନ୍ତି ।

  • ଥମୁନି କୋରାପୁଟ କଂଗ୍ରେସ କନ୍ଦଳ
  • ଦଳରୁ ଉଠିଲା ମୀନାକ୍ଷୀଙ୍କୁ ଥଇଥାନ ଦାବି

ବିବାଦ, ବୟାନବାଜି, କଂଗ୍ରେସ ଭବନରେ ଶକ୍ତି ପ୍ରଦର୍ଶନର ଚର୍ଚ୍ଚା ଭିତରେ ବଦଳିଛନ୍ତିି କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି । ମିନାକ୍ଷୀ ବାହିନୀପତିଙ୍କ ସ୍ଥାନରେ ଦୁର୍ଗା ଶଙ୍କର ସାହୁଙ୍କୁ କୋରାପୁଟ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଏଆଇସିସିର ଏହି ନିଷ୍ପତିକୁ କିନ୍ତୁ ନାପସନ୍ଦ କରିଛନ୍ତି ବିଧାୟକ ସୁରେଶ ରାଉତରାୟ । କହିଛନ୍ତି ଜିଲ୍ଲାସଭାପତି ପଦରୁ ମିନାକ୍ଷୀଙ୍କୁ ହଟାଇ ଠିକ୍ କରିନି ଏଆଇସିସି । ତେଣୁ ମୀନାକ୍ଷୀଙ୍କୁ ପୁଣି ସଭାପତି ଦାୟିତ୍ୱରେ ରଖିବା ପାଇଁ କିଛି ନେତା ଏଆଇସିସିକୁ ଲିଖିତ ଭାବେ ଜଣାଇବେ ।

ସେପଟେ ସନ୍ତୋଷ ସିଂ ସାଲୁଜା କହିଛନ୍ତି କଂଗ୍ରେସର ସବୁକଥା ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ଚାଲେ । ଯେଉଁମାନେ ୫ ବର୍ଷରୁ ଅଧିକ ସମୟ ସଭାପତି ଦାୟିତ୍ୱରେ ଥିଲେ ସେମାନଙ୍କୁ ହଟାଇ ଦିଆଯାଇଛି । ତେଣୁ ମାନ ଅଭିମାନ ଛାଡି ମିଳିମିଶି ସମସ୍ତେ କାମ କରିବା ଉଚିତ୍ ।

ଅନ୍ୟପଟେ କୋରାପୁଟ ଜିଲ୍ଲାସଭାପତି ଭାବେ ଦୁର୍ଗା ଶଙ୍କର ସାହୁଙ୍କ ନାଁ ଘୋଷଣା ପରେ ପ୍ରତିକ୍ରିୟା ରଖିଥିଲେ ସାଂସଦ ସପ୍ତଗିରି ଉଲ୍ଲାକା । ୨୦୨୪କୁ ଆଖିରେ ରଖି ଏହି ପରିବର୍ତନ କରାଯାଇଛି । ଜିଲ୍ଲା ସଭାପତି ଯିଏ ହେଲେ ବି ସମସ୍ତେ ମିଳିମିଶି ଦଳ ପାଇଁ କାମ କରିବା । ମୀନାକ୍ଷୀ ବାହିନୀପତିଙ୍କୁ ପଦରୁ ବହାର କରାଯାଇନି ସେ ଏବେ ବି ଏଆଇସିସିର ସାଧାରଣ ସଂପାଦକ ଦାୟିତ୍ୱରେ ଅଛନ୍ତି । ଅନ୍ୟପଟେ ମୀନାକ୍ଷୀ ବାହିନୀପତି ସାଂସଦଙ୍କୁ ଟାର୍ଗେଟ କରି କହିଛନ୍ତି ଦିଲ୍ଲୀରେ ରହି ଦିଲ୍ଲୀର ଲଡୁ ଖାଉଛନ୍ତି । ମାଟି କଥା ଚିନ୍ତା କରୁ ନାହାନ୍ତି ।

ମଙ୍ଗଳବାର ଏଆଇସିସି ପକ୍ଷରୁ ୧୦ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ସେଥିମଧ୍ୟରୁ କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ବଦଳିବା ଘଟଣା ବେଶ ଚର୍ଚ୍ଚାରେ ରହିଛି ।