ରୋହିତ ପୂଜାରୀଙ୍କୁ ନେଇ ତେଜିଲା ରାଜନୀତି । ସଚିବଙ୍କୁ କଂଗ୍ରେସର ଟାର୍ଗେଟ, ସରକାରଙ୍କୁ ଘେରିଲା ବିଜେପି । ଦୁର୍ନୀତିର ଗନ୍ଧ ବାରିଲେ ରାଜନୈତିକ ସମୀକ୍ଷକ ।

349

କନକ ବ୍ୟୁରୋ: ଉଚ୍ଚଶିକ୍ଷା ମନ୍ତ୍ରୀ ପଦରୁ ରୋହିତ ପୂଜାରୀଙ୍କୁ ହଟାଇ ଦେବା ପରେ ଜୋର ଧରିଛି ରାଜନୀତି । ବିଭାଗରେ ସ୍ୱଚ୍ଛତା ପାଇଁ ସରକାର ଏଭଳି ପଦକ୍ଷେପ ନେଇଥିବା କହୁଥିବା ବେଳେ ପ୍ରଶ୍ନ କରିଛନ୍ତି ବିରୋଧୀ । ମନ୍ତ୍ରୀ ଓ ସଚିବ ଦୁର୍ନୀତି କରୁଥିଲେ କି ବୋଲି ପ୍ରଶ୍ନ କରିଛି ବିଜେପି । ଯଦି କରୁଥିଲେ, ସରକାର ତାକୁ ସାର୍ବଜନୀତ କରନ୍ତୁ ଏବଂ ଭିଜିଲାନ୍ସ ତଦନ୍ତ ପାଇଁ ସୁପାରିଶ କରନ୍ତୁ ବୋଲି ଦାବି କରିଛି ଭାରତୀୟ ଜନତା ପାର୍ଟି । ସେପଟେ ମନ୍ତ୍ରୀଙ୍କ ବିଦା ପ୍ରସଙ୍ଗରେ ୫-ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ।

  • କାହିଁକି ମନ୍ତ୍ରୀ ପଦରୁ ହଟିଲେ ରୋହିତ?
  • କ’ଣ ପାଇଁ ବିଦା ହେଲେ ବିଷ୍ଣୁପଦ ସେଠୀ?

ନବୀନଙ୍କ ୨୩ବର୍ଷ ଶାସନ ବର୍ଷ ଭିତରେ, ଏଭଳି ଘଟଣା କେବେ ଦେଖିବା ପାଇଁ ମିଳିନଥିଲା । ଦିନରେ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କରାଗଲା, ଆଉ ରାତିରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କୁ ଦାୟିତ୍ୱରୁ ହଟାଇ ଦିଆଗଲା । ଯାହାକୁ ନେଇ ପାୱାରକରିଡରଠାରୁ ଆରମ୍ଭ କରି ସବୁ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହି ନିଷ୍ପତି ପଛରେ, କଣ ରହିଛି ଉଦେଶ୍ୟ? କୌଣସି ବଡ ଅନିୟମିତତା ଅଭିଯୋଗ ଥିଲା କି? ପୂରା ଘଟଣାକ୍ରମକୁ ନେଇ ଦୁର୍ନୀତିର ଗନ୍ଧ ବାରିଛନ୍ତି ରାଜନୈତିକ ସମୀକ୍ଷକ ।

  • ତେଜିଲା ରାଜନୈତିକ ବୟାନବାଜି
  • ସ୍ୱଛତା କଥା ଉଠାଇ ଘେରିଲେ ବିରୋଧୀ

ମନ୍ତ୍ରିମଣ୍ଡଳରୁ ରୋହିତ ପୂଜାରୀଙ୍କୁ ବାଦ ଦେବା ନେଇ ତେଜିଛି ରାଜନୈତିକ ବୟାନବାଜି । ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିଛନ୍ତି ବିରୋଧୀ । ବିଧାୟକ ଓ ସଚିବଙ୍କୁ କଂଗ୍ରେସ ଟାର୍ଗେଟ କରିଥିବାବେଳେ ସରକାରଙ୍କୁ ଘେରିଛି ବିଜେପି । ଦୁର୍ନୀତି କଥା ଉଠାଇ ବର୍ଷିଛନ୍ତି । ତେବେ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ବିଧାୟକ । ବିଧାୟକ ଅମର ଶତପଥୀ କହିଛନ୍ତି, ଲୋକଙ୍କୁ କିପରି ସୁଶାସନ ମିଳିବ ତାକୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ ।

କେବଳ ରୋହିତ ପୂଜାରୀ ନୁହନ୍ତି ତାଙ୍କ ବ୍ୟକ୍ତିଗତ ସଚିବ ସୁଧାକର ନାୟକଙ୍କୁ ମଧ୍ୟ ୨ଦିନ ପୂର୍ବରୁ ବଦଳି କରାଯାଇଥିଲା । ଗତ ୭ତାରିଖରେ ସୁଧାକରଙ୍କୁ ସାଧାରଣ ପ୍ରଶାସନ ବିଭାଗକୁ ବଦଳି ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଆଉ ଏବେ ରୋହିତଙ୍କୁ ମନ୍ତ୍ରିପଦରୁ ହଟାଯିବା ପରେ, ଆଉ କାହାକୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ, ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଦଳୀୟ ମହଲରେ ବି ଚର୍ଚ୍ଚାର ବିଷୟ ହୋଇଛି ।