ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଅଭିଯୋଗ । ଫିଲ୍ମ ପ୍ରଯୋଜକ ଟୁଟୁ ନାୟକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଅଭିନେତ୍ରୀ ଜାସ୍ମିନ ରଥ

1,468

କନକ ବ୍ୟୁରୋ: ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବା ଓଲିଉଡରେ ଚାଲିଛି କ’ଣ? ହୁଏତ ଓଲିଉଡ ଭିତରେ ସବୁ କିଛି ଠିକ୍ଠାକ୍ ଚାଲିନାହିଁ । ଉପରକୁ ଯେଉଁ ଚାକଚକ୍ୟ ବା ଷ୍ଟାରଡମ୍ ଦେଖାଯାଉଛି, ଭିତରେ ହୁଏତ ଆଉ କିଛି ଭିତରେ ଭିତରେ ଚାଲିଛି । ଯାହା, ଓଲିଉଡ୍ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଚାଲୁଥିବା ହ୍ୱାଟ୍ସଆପରୁ ଜଣାପଡୁଛି । ଏହି ହ୍ୱାର୍ଟସଆପ୍ ଗ୍ରୁପରେ ଅଭିନେତା ଓ ଅଭିନେତ୍ରୀଙ୍କ ଭିତରେ ଚାଲିଥିବା ଚାଟିଂରେ ଏଭଳି କିଛି ବାର୍ତା ସାମ୍ନାକୁ ଆସିଛି, ଯେଉଁଠି ଅଭିନେତ୍ରୀଙ୍କୁ ପେସାଦାର ଜୀବନ ବାହାରେ ବିଳମ୍ବିତ ରାତିରେ କଥାବର୍ତା ପାଇଁ ଡକାଯାଉଛି । ଏହି ଚାଟିଂ ଭିତରେ ଅଭିନେତ୍ରୀ ଜାସ୍ମିନ ରଥ, ଫିଲ୍ମ ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ନାଁ ନେଇ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଏଥିରେ ସେ ଲେଖିଛନ୍ତି- ପେସାଦାର ଜୀବନ ବାହାରେ ତାଙ୍କୁ ବିଳମ୍ବିତ ରାତିରେ ଡକାଯାଉଛି । ଏଥିରେ ସେ ଆହୁରୀ ଲେଖିଛନ୍ତି- ଏହି ନିମନ୍ତ୍ରଣ ରକ୍ଷା ନକରିବାରୁ ତାଙ୍କୁ ପରଦିନ ଫିଲ୍ମ ପ୍ରୋଜେକ୍ଟରୁ ବାହାର କରିଦିଆଯାଇଛି । ଏମିତିରେ ଅନସ୍କ୍ରିନ ବା ସିନେ ପରଦାରେ ସେ ଚୁମ୍ବନ ଦେବେ ନା ନାହିଁ, ସେ ସମ୍ପର୍କରେ ପଚରାଯିବା କେଉଁ ବାର୍ତା ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ସେହିପରି ପ୍ରତିଥର ଟୁଟୁ ନାୟକ ତାଙ୍କ ସହ କଥା ହେବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ପଚାରିବା ସହ ଅବାନ୍ତର କଥାସବୁ ପ୍ରଚାରୁଥିବା ଏଥିରେ ସେ ଲେଖିଛନ୍ତି । ଏହା କେତେ ଯୁକ୍ତିଯୁକ୍ତ ଏବଂ ଏକପ୍ରକାର ମାନସିକ ନିର୍ଯାତନା ବୋଲି ପ୍ରଶ୍ନ ଉଠାଇଛନ୍ତି ଜାସ୍ମିନ ରଥ । ଏହି ଗ୍ରୁପରେ ଥିବା ଅଭିନେତା ଓ ଅଭିନେତ୍ରୀମାନେ ଜାସ୍ମିନଙ୍କ କଥା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଏମିତି କି ତାଙ୍କ ସପକ୍ଷରେ ଥିବା ମତାମତ ଦେଇଛନ୍ତି ।