ରାଜନୀତିରେ ‘ଜୟ ଜଗନ୍ନାଥ‘ ନାରା: ସୋସିଆଲ ମିଡ଼ିଆରେ ବିଜେଡିର କ୍ୟାମ୍ପେନ୍, ବିଜେପି କହିଲା- ଜୟ ଜଗନ୍ନାଥ, ଜୟ ଶ୍ରୀରାମ

545

କନକ ବ୍ୟୁରୋ: ଏହି ନାରାବାଜୀ ହିଁ ପ୍ରମାଣିତ କରିଦେଉଛି, ରାଜନୀତିରେ ସ୍ଲୋଗାନର କେତେ ଗୁରୁତ୍ୱ? ଶାସକ ବିଜେଡି ଦଳ ଏବେ ସୋସିଆଲ ମିଡ଼ିଆରେ ଏକ ନୂଆ ଅଭିଯାନ ଆରମ୍ଭ କରିଛି । ଯେଉଁ ଅଭିଯାନର ନାଁ ରଖାଯାଇଛି- ହେଜ୍ଟ୍ୟାକ୍ ଜୟ ଜଗନ୍ନାଥ । ଯେଉଁଥିରେ ଶାସକ ବିଜେଡି ଦଳର ନେତା ଏବଂ ନିର୍ବାଚିତ ବିଧାୟକ, ମନ୍ତ୍ରୀ, ସୋସିଆଲ ମିଡ଼ିଆରେ ଜୟ ଜଗନ୍ନାଥର ସ୍ଲୋଗାନ୍ ଦେଉଛନ୍ତି । ‘ଶଙ୍ଖ ମୋର ଗର୍ବ’ କ୍ୟାମ୍ପେନର ଠିକ୍ ପରେ ପରେ ଆସିଛି ଜୟ ଜଗନ୍ନାଥ ସ୍ଲୋଗାନ୍ ।

ବିଜେଡିର ଏହି ଅଭିଯାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ । ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି-ଜୟ ଜଗନ୍ନାଥ ଆମର, ଜୟ ଶ୍ରୀରାମ ବି ଆମର । ପୂର୍ବତନ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କିନ୍ତୁ ବିଜେଡିକୁ ସମାଲୋଚନା କରିଛନ୍ତି । ପ୍ରଶ୍ନ କରିଛନ୍ତି- ‘ଶଙ୍ଖ ମୋର ଗର୍ବ’ ନାରା କୁଆଡେ ଗଲା? । ଏସବୁ ଭିତରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ପ୍ରଶ୍ନ ଉଠାଇ କହିଛନ୍ତି- ବିଜେଡି ମହାପ୍ରଭୁଙ୍କ କଥା କହୁଛି । କିନ୍ତୁ ରତ୍ନଭଣ୍ଡାରରେ ରତ୍ନ ଅଛି ତ? ବିରୋଧୀଙ୍କ ଏହି ପ୍ରଶ୍ନର ଉତର ରଖିଛି ବିଜେଡି ।

ରାଜନୀତିର ଏହି ବୟାନବାଜି ଭିତରେ ପ୍ରଶ୍ନ ଉଠୁଛି-
ବିଜେଡିଙ୍କୁ ଅଚାନକ୍ କାହିଁକି ମନେ ପଡ଼ିଲା ଜୟ ଜଗନ୍ନାଥ ନାରା?
ଜୟ ଜଗନ୍ନାଥ ନାରା ଭିତରେ ରହିଛି କି କୌଣସି ରାଜନୀତି?

ବଡ଼ କଥା ହେଉଛି ଆସନ୍ତାବର୍ଷ ଅଯୋଧ୍ୟାର ରାମ ମନ୍ଦିରର ପ୍ରତିଷ୍ଠା ହେବ । ଆଉ ଏହି ପ୍ରତିଷ୍ଠାକୁ ବିଜେପି କ୍ୟାମ୍ପେନ୍ ମୋଡ୍ରେ ସାରା ଦେଶରେ ‘ଜୟ ଶ୍ରୀରାମ ନାରା’ ଦେଇ ପ୍ରଚାର କରିପାରେ । ଆଉ ଠିକ୍ ଏହା ପୂର୍ବରୁ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ମଧ୍ୟ ସଂପୂର୍ଣ୍ଣ ହେବାକୁ ଯାଉଛି । ତେଣୁ ସେଇ ସମାନ ଢ଼ଙ୍ଗରେ ବିଜେଡି, ଜୟ ଜଗନ୍ନାଥ ନାରା ନେଇ ଅଭିଯାନ ଆରମ୍ଭ କରି ଦେଇଛି । ଏସବୁ ବାହାରେ ରାଜନୀତିରେ ଭାବପ୍ରବଣତାର ଏକ ବଡ଼ ଭୂମିକା ରହିଛି । ଯାହାକୁ ନିଜ ନିଜ ଢଙ୍ଗରେ ମୋଡ଼ି ଦେବା ପାଇଁ ଉଦ୍ୟମ କରୁଛନ୍ତି ରାଜନୈତିକ ଦଳ ।