ବ୍ୟାପିଛି ଜାଲ ସାର୍ଟିଫିକେଟ୍ ରାକେଟ: ବଲାଙ୍ଗୀରରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଛି ଚେର

97

କନକ ବ୍ୟୁରୋ: ଜାଲ ସାର୍ଟିଫିକେଟ୍ ରାକେଟ ସାରା ଓଡିଶାରେ ବ୍ୟାପିଛି । ବଲାଙ୍ଗୀର ପରେ, କେନ୍ଦ୍ରାପଡା, ଢ଼େଙ୍କାନାଳ ଓ ଫୁଲବାଣୀରୁ ଆସିଛି ଜାଲ ସାର୍ଟିଫିକେଟ୍ ଦେଇ ଡାକ ବିଭାଗରେ ଚାକିରି ପାଇଁ ଆବେଦନ କରିଥିବାର ପ୍ରମାଣ । କେନ୍ଦ୍ରାପଡା ଜିଲ୍ଳାରେ ନକଲି ମାଟ୍ରିକ ସାର୍ଟିଫିକେଟ ଦେଇ ଡାକ ବିଭାଗରେ ଚାକିରି ପାଇଁ ଜଣେ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡିବା ପରେ, ଆବେଦନକାରୀଙ୍କ ନାଁରେ କେନ୍ଦ୍ରାପଡା ଟାଉନ ଥାନାରେ ଏତଲା ଦିଆଯାଇଛି । ସେହିପରି ଫୁଲବାଣୀରେ ଜାଲ ସାର୍ଟିଫିକେଟ ଦେଇ ଡାକ ବିଭାଗରେ ଚାକିରି ପାଇଁ ୬ଜଣ ଆବେଦନକାରୀ ଆବେଦନ କରିଥିବା ସାମନାକୁ ଆସିବା ପରେ ସେମାନଙ୍କ ବିରୋଧରେ ଥାନାରେ ଫୁଲବାଣୀ ଡାକ ମଣ୍ଡଳ ତରଫରୁ ଏତଲା ଦିଆଯାଇଛି । ଢ଼େଙ୍କାନାଳରୁ ମଧ୍ୟ ଆସିଛି ସମାନ ଅଭିଯୋଗ ।

ଫୁଲବାଣୀ ଡାକ ମଣ୍ଡଳ ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରାର୍ଥିମାନଙ୍କ ପ୍ରମାଣପତ୍ର ଯାଂଚ ବେଳେ ୬ଜଣଙ୍କ ପ୍ରମାଣପତ୍ର ଜାଲ ଥିବା ଜଣାପଡିଥିଲା । ସେଥିରୁ ୫ଜଣଙ୍କର ଆହ୍ଲାବାଦ ବୋର୍ଡର ସାର୍ଟିଫିକେଟ ହୋଇଥିବାବେଳେ, ଜଣଙ୍କର ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ସାର୍ଟିଫିକେଟ୍ ରହିଛି । ସେହିପରି ଭଦ୍ରକ ଜିଲ୍ଲା ଲୁଣିଆ ଗାଁର ଅନିତା ଜେନା, ନକଲି ସାର୍ଟିଫିକେଟ ଦେଇ ଚାକିରି ପାଇଁ କେନ୍ଦ୍ରାପଡାରେ ଆବେଦନ କରିଥିଲେ । କିନ୍ତୁ ସେ ଦେଇଥିବା ମାର୍କସିଟ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ୟୁପିର ଏକ ବୋର୍ଡର ପାସ କରିଥିଲେ ବି ସାହିତ୍ୟରେ ଶହେରୁ ୯୯ ରଖିଛନ୍ତି ।
ଗ୍ରାମିଣ ଡାକ ସେବକ , ଶାଖା ପୋଷ୍ଟମାଷ୍ଟର ଓ ସହକାରୀ ପୋଷ୍ଟ ମାଷ୍ଟର ପଦରେ ନିଯୁକ୍ତି ପାଇଁ ସାରାଦେଶରେ ୪୦ ହଜାର ପୋଷ୍ଟ ବାହାରିଥିଲା । ଓଡିଶାରେ ୧୩୮୨ ପୋଷ୍ଟ ପାଇଁ ବିଜ୍ଞାପନ ବାହାରିଥିଲା । ଆଉ ୧୩୮୦ ଜଣଙ୍କୁ ମେରିଟ୍ରେ ଚୟନ କରାଯାଇଥିଲା ।

ମେରିଟରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ସାର୍ଟିଫିକେଟ ଯାଂଚ ବେଳେ ବଲାଙ୍ଗୀରରେ ନକଲି ବୋଲି ଜଣାପଡିଥିଲା । ଅଧିକାଂଶ ସାର୍ଟିଫିକେଟରେ ପିଲାମାନଙ୍କ ମାର୍କ ଶହେରୁ ୯୯ ରହିବା ଓ ଉତ୍ତରପ୍ରଦେଶ ବୋର୍ଡର ଅଧିକାଂଶ ହୋଇଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ତାପରେ ପଚରାଉଚୁରାରୁ ସାମନାକୁ ଆସିଥିଲା ନକଲି ସାର୍ଟିଫିକେଟର ପୂରା କାହାଣୀ । ସ୍ଥାନୀୟ ଅଂଚଳରେ କୋଚିଂ ସେଂଟର ଚଳାଇଥିବା ମନୋଜ ମିଶ୍ର ମାଟ୍ରିକ ଠାରୁ ଆରମ୍ଭ କରି, ଡାକ୍ତର, ଇଞ୍ଜିିନିୟର ସବୁ ନକଲି ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ । ତାପରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ଓ ସହଯୋଗୀ ଆଲୋକ ଉଦ୍ଗାତଙ୍କ ସମେତ ୧୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଲାଙ୍ଗୀର ପୋଲିସ ।

ଗିରଫ ହୋଇ ଜେଲ ଯାଇଥିବା ଜାଲ ସାର୍ଟିଫିକେଟ ର୍ୟାକେଟର ଚେର ବଲାଙ୍ଗୀରରୁ ଉତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିଲା । ଆଉ ଏଥିଲେ ତାର ମାଷ୍ଟରମାଇଣ୍ଡ । ପୋଲିସ ଚଢ଼ାଉ ପରେ ଜବତ କରିଛି ପ୍ରାୟ ୪୧ଟି ଶିକ୍ଷାନୁଷ୍ଠାନର ପ୍ରାୟ ହଜାରରେ ଅଧିକ ଜାଲ ସାର୍ଟିଫିକେଟ୍ । କୁହାଯାଉଛି ଏହି ର୍ୟାକେଟ ସାରା ଓଡିଶାକୁ ବ୍ୟାପିଥିଲା । ଏହି ପ୍ରସଙ୍ଗ ଉଠାଇ ବିଧାନସଭାରେ ବର୍ଷିଛନ୍ତି ବିରୋଧୀ ।

ପୋଲିସର କହିବା ଅନୁସାରେ ଏହି ର୍ୟାକେଟ ୭ରୁ ୮ବର୍ଷ ହେଲାଣି ଚାଲିଥିଲା । ଯଦି ଏହା ସତ ହୋଇଥାଏ ତାହେଲେ ଜାଲ ସାର୍ଟିଫିକେଟ ଦେଇ ଅନେକ ଚାକିରି କରିଥାଇ ପାରନ୍ତି । ଆଉ ମେଧାବୀ ଯୁବକ-ଯୁବତୀ ଚାକିରିରୁ ବଂଚିତ ହୋଇଥାଇପାରନ୍ତି । ତେଣୁ ତଦନ୍ତ ହେବା ଅତି ଜରୁରୀ ।