ଉଜ୍ୱଳ ହେଉଛି ବିଜେଡି-ବିଜେପିର ମେଂଟ ସମ୍ଭାବନା । ନବୀନ ନିବାସରେ ବିଜେଡିର ବୈଠକ, ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଚାଲିଛି ବୈଠକ

245

କନକ ବ୍ୟୁରୋ : ୧୫ ବର୍ଷ ପରେ ପୁଣିଥରେ ୟୁ-ଟର୍ନ ନେବାକୁ ଯାଉଛି ରାଜ୍ୟ ରାଜନୀତି । ୨୦୨୪ ନିର୍ବାଚନରେ ବିଜେଡି-ବିଜେପି ମେଂଟ ହେବା ସମ୍ଭାବନା ଉଜ୍ୱଳ ହୋଇଛି । ଆଜି ଦିନ ତମାମ ଭୁବନେଶ୍ୱରରୁ ଦିଲ୍ଲୀ ପର୍ଯ୍ୟନ୍ତ ସରଗରମ ହୋଇଛି ରାଜନୀତି । ଗତକାଲି ମୋଦୀଙ୍କ ଓଡ଼ିଶା ଗସ୍ତ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରସ୍ପରକୁ ପ୍ରଶଂସା କରିବା ପରେ ଆଜି ଓଡ଼ିଶାର ବିଜେପି ନେତାଙ୍କୁ ଦିଲ୍ଲୀ ଡକରା ହୋଇଥିଲା । ଏପଟେ ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ବୈଠକ ବସିଥିଲା । ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର, ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତନୁ ସବ୍ୟସାଚୀ, ଅଶୋକ ପଣ୍ଡା, ଟୁକୁନି ସାହୁ, ବିଧାୟକ ଅରୁଣ ସାହୁ, ସଂଜୟ ଦାସବର୍ମାଙ୍କ ଭଳି ବରିଷ୍ଠ ନେତା ଏହି ବୈଠକରେ ସାମିଲ ହୋଇଥିଲେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଘମାଘୋଟ ଆଲୋଚନା ହେବା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଥିଲେ ଦେବୀପ୍ରସାଦ ମିଶ୍ର ଓ ଅରୁଣ ସାହୁ । ମେଂଟ ନେଇ ଯଦିଓ କୌଣସି ସ୍ପଷ୍ଟ ସୂଚନା ସେମାନେ ଦେଇନାହାନ୍ତି, ତେବେ ମେଂଟ ସଂପର୍କରେ ଆଲୋଚନା ହୋଇଥିବା କହିଛନ୍ତି । ରାଜ୍ୟର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ପଦକ୍ଷେପ ନେବ ବୋଲି ସୂଚନା ଦେଇଛନ୍ତି ଏହି ଦୁଇ ନେତା । ଏହା ପରେ ପରେ ବିଜେଡି ପକ୍ଷରୁ ପ୍ରେସ ରିଲିଜ୍ ଜାରି କରାଯାଇଛି । ଏଥିରେ କୁହାଯାଇଛି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ୨୦୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବ । ଏହି ସମୟ ସୁଦ୍ଧା ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ମାଇଲଖୁଂଟ ହାସଲ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବୃହତର ସ୍ୱାର୍ଥ ପାଇଁ ବିଜେଡି ସବୁକିଛି କରିବ ବୋଲି ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ।

ସେପଟେ ଆଜି ଦିଲ୍ଲୀରେ ବି ବିଜେପି ନେତାଙ୍କ ବୈଠକ ବସିଛି । ଦିଲ୍ଲୀରୁ ଡାକରା ପାଇଁ ରାଜ୍ୟ ସଭାପତି ଜୁଏଲ ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟ କିଛି ନେତା ବୈଠକରେ ସାମିଲ ହୋଇଥିଲେ । ଆଉ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଛନ୍ତି ବିଜେପି ସଭାପତି ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୈଠକ ପରେ ଜୁଏଲ ଓରାମ କହିଛନ୍ତି, ନିର୍ବାଚନ ନେଇ ଆଲୋଚନା ହୋଇଛି । ମେଂଟ ହେବ କି ନାହିଁ ତାଙ୍କୁ ଜଣାନାହିଁ । ଯାହା ନିଷ୍ପତ୍ତି ନେବେ କେନ୍ଦ୍ରୀୟ ନେତୃତ୍ୱ ନେବେ ।