ବଦଳିବାକୁ ଯାଉଛି କି ରାଜ୍ୟ ରାଜନୀତି ସମୀକରଣ । ବିଜେଡି ଓ ବିଜେପି ମେଂଟ ଚର୍ଚ୍ଚାକୁ ନେଇ ଜାରି ରହିଛି ସସପେନ୍ସ

208

କନକ ବ୍ୟୁରୋ : ୧୫ ବର୍ଷ ପରେ ପୁଣିଥରେ ୟୁ-ଟର୍ନ ନେବ କି ରାଜ୍ୟ ରାଜନୀତି । ୨୦୨୪ ନିର୍ବାଚନରେ ବିଜେଡି-ବିଜେପି ମେଂଟ ହେବା ସମ୍ଭାବନା ଦେଖାଦେଇଛି । ଗତକାଲିଠୁ ପଲ୍ଲୀରୁ ଦିଲ୍ଲୀ ଏହାକୁ ନେଇ ସରଗରମ ରହିଛି ରାଜନୀତି । ମୋଦୀଙ୍କ ଓଡ଼ିଶା ଗସ୍ତ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରସ୍ପରକୁ ପ୍ରଶଂସା କରିବା ପରେ ଓଡ଼ିଶାର ବିଜେପି ନେତା ଦିଲ୍ଲୀରେ ବୈଠକ କରିଛନ୍ତି । ସେହିପରି ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ବୈଠକ ବସିଥିଲା । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଲୋଚନା ପରେ ବିଜେଡି ପକ୍ଷରୁ ପ୍ରତିକ୍ରିୟା ରଖିଥିଲେ ଦେବୀପ୍ରସାଦ ମିଶ୍ର ଓ ଅରୁଣ ସାହୁ । ମେଂଟ ନେଇ ଯଦିଓ କୌଣସି ସ୍ପଷ୍ଟ ସୂଚନା ସେମାନେ ଦେଇନାହାନ୍ତି, ତେବେ ମେଂଟ ସଂପର୍କରେ ଆଲୋଚନା ହୋଇଥିବା କହିଛନ୍ତି । ରାଜ୍ୟର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ପଦକ୍ଷେପ ନେବ ବୋଲି ସୂଚନା ଦେଇଛନ୍ତି ଏହି ଦୁଇ ନେତା । ଏହା ପରେ ପରେ ବିଜେଡି ପକ୍ଷରୁ ପ୍ରେସ ରିଲିଜ୍ ଜାରି କରାଯାଇଛି । ଏଥିରେ କୁହାଯାଇଛି ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ବରିଷ୍ଠ ନେତାଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି । ୨୦୩୬ ମସିହାରେ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ଗଠନର ୧୦୦ ବର୍ଷ ପୂରଣ ହେବ । ଏହି ସମୟ ସୁଦ୍ଧା ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ମାଇଲ୍ଖୁଂଟ ହାସଲ କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବୃହତର ସ୍ୱାର୍ଥ ପାଇଁ ବିଜେଡି ସବୁକିଛି କରିବ ବୋଲି ପ୍ରେସ ରିଲିଜ୍ ଜାରି କରି ସୂଚନା ଦେଇଛନ୍ତି ବିଜେଡି ସାଧାରଣ ସଂପାଦକ ମାନସ ମଙ୍ଗରାଜ ।