ଗଞ୍ଜାମ ଖଲ୍ଲିକୋଟରୁ ଆସିଲା ଦାଦନ ଦୁଃଖ । ବାହାରିନରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ । ମୃତଦେହ ଫେରାଇ ଆଣିବାକୁ ପରିବାରର ଅନୁରୋଧ

227

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଆସିଛି ଦାଦନ ଯନ୍ତ୍ରଣାର ଖବର । ବାହାରିନରେ କାମ କରୁଥିବା ଦାଦନ ଶ୍ରମିକଙ୍କ ମୃତ୍ୟୁ ଖବର ଆସିବା ପରେ ଘରେ କାନ୍ଦ ବୋବାଳି ପଡିଛି । ମୃତଦେହ ଘରକୁ ଫେରାଇ ଆଣିବାକୁ ଦାବି କରିଛନ୍ତି ପରିବାର ଲୋକ । ତେନ୍ତୁଲି ପଞ୍ଚାୟତ ବାଗଲପୁର ଗାଁର ସାଗର ପ୍ରଧାନ ୧୦ ମାସ ହେଲା ରୋଜଗାର ଆଶାରେ ବାହାରିନ ଯାଇଥିଲେ । ସାଗରଙ୍କ ବାପା କାର୍ତ୍ତିକ ପ୍ରଧାନ ମଧ୍ୟ ମାଳଦ୍ୱୀପରେ କାମ କରୁଛନ୍ତି । ଭଉଣୀର ବାହାଘର ପରେ ରୁଣ ଶୁଝିବାକୁ ସାଗର ଓ ତାଙ୍କ ବାପା ବିଦେଶ କାମ କରିବାକୁ ଯାଇଥିଲେ । ଗତ ଶନିବାର ସାଗର ଘରକୁ ଫୋନ କରି କଥା ହୋଇଥିବା ପରିବାର ଲୋକ କହୁଛନ୍ତି । କିନ୍ତୁ ରବିବାର ସାଗରର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ ଜଣାଇଥିଲେ ବାହାରିନରେ ରହୁଥିବା ଓଡିଆ ଲୋକ । ଖବର ଶୁଣିବା ପରେ ପରିବାରର ପାଦ ତଳୁ ମାଟି ଖସି ଯାଇଛି । ମାଆ କାନ୍ଦି କାନ୍ଦି ନୟାନ୍ତ ହୋଇଥିବା ପୁଅର ମୃତଦେହ ଫେରାଇ ଆଣିବା ସହ କ୍ଷତିପୂରଣ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।