ଘରୁ ୧୪ ନାବାଳକଙ୍କୁ ଉଠାଇ ଆଣିଛି ବୌଦ୍ଧ ପୁଲିସ । ମାଆ-ବାପାଙ୍କୁ ଦେଖା କରିବାକୁ ଅନୁମତି ମିଳୁନି ।

151

କନକ ବ୍ୟୁରୋ: ବୌଦ୍ଧ ପୁଲିସ କବଜାରେ ୧୪ ନାବାଳକ । ଗତ ୬ ତାରିଖରେ ୫ଟି ଗାଁରୁ ୧୪ ଜଣ ନାବାଳକକୁ ପୋଲିସ ଘରୁ ଉଠାଇ ଆଣି ହେପାଜତରେ ରଖିଛି । ହେଲେ ପରିବାର ଲୋକଙ୍କୁ କିମ୍ବା ଅଭିଭାବକଙ୍କୁ ଦେଖା କରିବାକୁ ଦେଉନାହିଁ । ଏପରିକି କେଉଁ ମାମଲାରେ ୧୪ ଜଣ ନାବାଳକଙ୍କୁ ପୁଲିସ ଅଟକ ରଖିଛି, ତାହା ମଧ୍ୟ ପୁଲିସ ସ୍ପଷ୍ଟ କରୁନାହିଁ । ନାବାଳକଙ୍କୁ ଘରୁ ଉଠାଇ ଆଣିବା ପରଠୁ ବାପା-ମାଆ ଥାନାକୁ ଆସି ଦିନ ରାତି ଅପେକ୍ଷା କରି ଅଛନ୍ତି । ହେଲେ ପୁଲିସ କାହାରିକୁ ଦେଖା କରିବାକୁ ଅନୁମତି ଦେଉ ନାହିଁ । ପୁଲିସକୁ ନେହୁରା ହେବା ସତ୍ୱେ କୌଣସି ସୁଫଳ ନମିଳିବାରୁ, ଏସପିଙ୍କ କାର୍ଯ୍ୟାଳୟରେ ଗତରାତିରେ ଧାରଣାରେ ବସିଥିଲେ । ନ୍ୟାୟ ନ ମିଳିବା ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି ଆନ୍ଦୋଳନକାରୀ କହିଛନ୍ତି ।