ଆତ୍ମହତ୍ୟାର ଦୁଇଟି କାହାଣୀ । ପ୍ରେମିକ ପରେ ପ୍ରେମିକାର ଆତ୍ମହତ୍ୟା । 

129

କନକ ବ୍ୟୁରୋ :  ପ୍ରେମିକ ବେକରେ ରଶି ଦେଇ ଝୁଲୁଥିବା ଦେଖି ଗୋଡ ଧରି ଟେକି ଧରିଛି ପ୍ରେମିକା, କାଳେ ବଂଚିଯିବ । ନିଶ୍ଚଳ ଶରୀରକୁ ଛୁଇଁବା ପରେ ପ୍ରେମିକା କଇଁ କଇଁ ହୋଇ କାନ୍ଦୁୁଛି । ମାଟିରେ ଗୋଡ କଚାଡି ବସି ଯାଉଛି, ପୁଣି ଉଠି ପ୍ରେମିକ ବେକରୁ ଫାଶ ଫିଟାଇବାକୁ ଚେଷ୍ଟା କରୁଛି । ପ୍ରେମିକର ଆତ୍ମହତ୍ୟା ପାଇଁ ପ୍ରେମିକାକୁ ଦାୟୀ କରି ପ୍ରେମିକର ପରିବାର ଗାଳି କରିବା ପରେ ସେଠାରୁ ସେ ଚାଲିଯାଉଛି । ଏହା ପରେ ଯାହା ଘଟିଲା ତାହା କେହି କଳ୍ପନା କରିନଥିଲେ ।

କିଛି ସମୟ ପରେ ଅନ୍ୟ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ମିଳିଛି ପ୍ରେମିକାର ମୃତଦେହ ପ୍ରେମକୁ ପରିବାର ଲୋକ ସ୍ୱୀକୃତି ନଦେବାରୁ ପ୍ରଥମେ ପ୍ରେମିକ ସୋନୁ ବେହାରା ଆତ୍ମହତ୍ୟା କରିଥିଲା । ଆଉ ଏହାକୁ ସହିନପାରି ଆତ୍ମହତ୍ୟା କରିଛି ପ୍ରେମିକା ସୁନୀତା ପ୍ରଧାନ । ଗଂଜାମ ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଶୋକାକୂଳ ପରିବେଶ ସୃଷ୍ଟି କରିଛି ।

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସରେଇ ଗାଁରେ ଅଭାବନୀୟ ଘଟଣା କ୍ରମରେ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଗାଁ ନିକଟ ଝରଣାକୁ ଗାଧୋଇବାକୁ ଯାଇଥିବା ୧୭ବର୍ଷର ନାବାଳିକା ପାଖ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିଲା ଗାଁର ସରୋଜ ପ୍ରଧାନ । ଆଉ ଏହି ଘଟଣାକୁ କିଛି ଲୋକ ଦେଖିଥିଲେ । ନାବାଳିକା ଘରକୁ ଫେରିବା ପରେ ଲୋକଲଜ୍ଜା ଭୟରେ ବିଷ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ମେଡିକାଲକୁ ନେଇଥିଲେ, ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଛନ୍ତି । ଥାନାରେ ଏତଲା ହେବା ପରେ ପୁଲିସ ଅଭିଯୁକ୍ତ ସରୋଜକୁ ଥାନାରେ ଅଟକ ରଖିଛି ।

ଗଂଜାମରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଓ ତେଲକୋଇରେ ଲୋକଲଜ୍ଜା ଭୟରେ ନାବାଳିକାଙ୍କୁ ଆତ୍ମହତ୍ୟା ଘଟଣା ଗୋଟିଏ ଦିଗକୁ ସ୍ପଷ୍ଟ ଇଙ୍ଗିତ କରୁଛି । ତାହା ହେଉଛି, ସାମାଜିକ ସୁରକ୍ଷା ମିଳୁନଥିବାରୁ ଯୁବ ପୀଢି ଆତ୍ମହତ୍ୟାକୁ ଶେଷ ପନ୍ଥା ଭାବେ ବାଛି ନେଉଛନ୍ତି ।