ସାରା ରାଜ୍ୟରେ ତେଜିଲା ଡ୍ରାଇଭର ସଂଘର ଷ୍ଟ୍ରିଅରିଂ ଛାଡ଼ ଆନ୍ଦୋଳନ, ଯାତ୍ରୀ ହନ୍ତସନ୍ତ ।

145

କନକ ବ୍ୟୁରୋ: ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ହଇରାଣ ହୋଇଛନ୍ତି ତୀର୍ଥଯାତ୍ରୀ । ବାଲିଗୁଡା ବୈପାରୀଗୁଡାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଥିଲା । ଆନ୍ଦୋଳନରେ ସାମିଲ ହେବା ପାଇଁ ଅଧା ରାସ୍ତାରେ ତୀର୍ଥଯାତ୍ରୀଙ୍କୁ ଛାଡି ଦେଇଥିଲେ ବସ୍ ଡ୍ରାଇଭର । ଆଉ ଅଧାବାଟରେ ଅଟକି ରହିଥିଲେ ୪୦ ତୀର୍ଥଯାତ୍ରୀ । ତେବେ କନକ ନ୍ୟୁଜରେ ଖବର ବାଜିବା ପରେ, ସ୍ଥାନୀୟ ଆଇଆଇସିଙ୍କ ଅନୁରୋଧ କ୍ରମେ, ବସ୍ଟିକୁ ପୁଣି ଗଡାଇଥିଲେ ଡ୍ରାଇଭର ।

ସେହିଭଳି ଡ୍ରାଇଭର ଆନ୍ଦୋଳନ ପାଇଁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବରମୁଣ୍ଡା ବସଷ୍ଟାଣ୍ଡରେ ବସ୍ ଗୁଡିକୁ ଛିଡା ହୋଇଛି । ଆଉ ବିଭିନ୍ନ ସ୍ଥାନକୁ ଯାଉଥିବା ଗାଡି ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ହଇରାଣ ହରକତ ହେଉଛନ୍ତି ।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ କେବଳ ଯାତ୍ରୀ ନୁହଁନ୍ତି ବିଭିନ୍ନ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ ବି ଫସି ରହିଥିବା ଦେଖିବାକୁ ମିଳିଥିଲା । ବଲାଙ୍ଗୀର ବସଷ୍ଟାଣ୍ଡରେ ଅଟକି ରହିଥିଲା ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ବସ୍ । ଗାଡି ଚଳାଚଳ କରୁନଥିବାରୁ ବସଷ୍ଟାଣ୍ଡରେ ଅଟକି ରହିଥିଲେ ବହୁ ସଂଖ୍ୟାରେ ଯାତ୍ରୀଙ୍କ ସମେତ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ।

ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବହୁ ଯାତ୍ରୀ ହଟହଟା ହୋଇଥିଲେ ବି କୌଣସି ସ୍ଥାନରେ ହିଂସା ଦେଖିବାକୁ ମିଳିନାହିଁ । ତେବେ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଥିଲା କେତେକ ରୋଚକ ଦୃଶ୍ୟ । ଆନ୍ଦୋଳନକାରୀ ଡ୍ରାଇଭରମାନେ, ଆନ୍ଦୋଳନରେ ସାମିଲ ହୋଇନଥିବା ଡ୍ରାଇଭରଙ୍କୁ ଫୁଲମାଳ ଦେଇ, ଚକଲେଟ୍ ଦେଇ ତ ଆଉ କେଉଁଠି ମୁଣ୍ଡିଆ ମାରି ପ୍ରତିବାଦ ଜଣାଇଥିଲେ । ଆଉ କେତେକ ସ୍ଥାନରେ ଗାଡି ଚାଳକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା ।