ରାଜଧାନୀରେ ଆନ୍ଦୋଳନ ପାଇଁ ଡ୍ରାଇଭର ଓ ଶିକ୍ଷକଙ୍କୁ ନା। ୧୩ ଦଫା ଦାବି ନେଇ ଭୁବନେଶ୍ୱରରେ ଆଶାକର୍ମୀଙ୍କ ବିଶାଳ ରାଲି।

135

କନକ ବ୍ୟୁରୋ: ଡ୍ରାଇଭର ଓ ଶିକ୍ଷକଙ୍କୁ ନା’ । ରାଜଧାନୀରେ ଦେଖିବାକୁ ମିଳିଥିଲା ଆନ୍ଦୋଳନର ଭିନ୍ନ ଦୃଶ୍ୟ । ଡ୍ରାଇଭର ସଂଘ ଓ ପ୍ରାଥମିକ ଶିକ୍ଷକ ମହାସଂଘ ଓ ଆଶାକର୍ମୀଙ୍କ ଆନ୍ଦୋଳନ । ବିଭିନ୍ନ ଦାବି ନେଇ ରାଜଧାନୀ ରାଜରାସ୍ତାରେ ପ୍ରତିବାଦ କରିବାକୁ ଯୋଜନା କରିଥିଲେ ତିନିଟି ସଂଘ । କିନ୍ତୁ ଡ୍ରାଇଭର ଓ ଶିକ୍ଷକଙ୍କ ରାଲିକୁ ମିଳିନଥିଲା ଅନୁମତି । କେବଳ ଆଶାକର୍ମୀଙ୍କୁ ସବୁଜ ସଂକେତ ଦେଇଥିଲା କମିସନରେଟ୍ ପୁଲିସ । ଲୋୟର ପିଏମଜିରେ ଏକାଠି ହୋଇଥିଲେ ହଜାର ହଜାର ଆଶାକର୍ମୀ । ୧୩ ଦଫା ଦାବି ପୂରଣ ପାଇଁ ରାଲି କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିର୍ଥିଲେ ଆଶାକର୍ମୀ । ୨୮ ତାରିଖରେ ଦିଲ୍ଲୀ ଯିବା ସହ ଦାବି ପୂରଣ ନହେଲେ କାମ ବନ୍ଦ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଅପରପକ୍ଷରେ ରାଜ୍ୟବ୍ୟାପୀ ଡ୍ରାଇଭର ସଂଘ କରିଥିଲା ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ରାଜଧାନୀରେ ସମାବେଶ କରିବାକୁ ଅନୁମତି ମିଳିନଥିଲେ ବି ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇଥିଲେ ଡ୍ରାଇଭର । ରାଜ୍ୟ ସରକାର ୧୦ ଦଫା ଦାବି ପୂରଣ କରିନଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡି ରାସ୍ତାକୁ ଓହ୍ଲାଇଥିଲେ ଡ୍ରାଇଭର । ତେବେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରିବାକୁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ସଚିବ । ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଦାବି ଉପରେ ବିଚାରବିମର୍ଶ ପାଇଁ ବିଭାଗ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି ।

ଏପଟେ ଦେଢ଼ ଲକ୍ଷ ଶିକ୍ଷକଙ୍କୁ ନେଇ ବଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିଲା ପ୍ରାଥମିକ ଶିକ୍ଷକ ମହାସଂଘ । କିନ୍ତୁ ଅନୁମତି ନମିଳିବାରୁ ଶହ ଶହ ଶିକ୍ଷକଙ୍କ ମେଳି ରାଜଧାନୀର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ଆଇଜି ପାର୍କରେ ଏକତ୍ରିତ ହୋଇଥିବା ଶିକ୍ଷକଙ୍କୁ ଘଉଡାଇ ଦେଇ ଗେଟରେ ତାଲା ପକାଇ ଦେଇଥିଲେ ସୁରକ୍ଷାକର୍ମୀ । ତେବେ ପ୍ରଦର୍ଶନୀ ପଡ଼ିଆରେ ଏକାଠି ହୋଇ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଡ୍ରେସ କୋଡ ବର୍ଜନ କରିବେ ବୋଲି ନିଷ୍ପତି ନେଇଛି ମହାସଂଘ ।

ବିଧାନସଭାରେ ଡ୍ରାଇଭର ଏବଂ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ଦୁଇଟି ସଂଘକୁ ଅନୂୁମତି ନଦେଇ ଗୋଟିଏ ସଂଘକୁ ଆନ୍ଦୋଳନ ପାଇଁ ଅନୁମତି ଦେବା ଠିକ୍ ନୁହେଁ । ଏହାକୁ ଅଗଣତାନ୍ତ୍ରିକ କହି ସରକାରଙ୍କ ବିରୋଧରେ ବର୍ଷିଛନ୍ତି ନରସିଂହ ମିଶ୍ର ।