‘କୌରବ’ ଉପାଖ୍ୟାନକୁ ନେଇ ତେଜିଲା ରାଜନୀତି। ଧର୍ମେନ୍ଦ୍ରଙ୍କ ବୟାନକୁ ଦୋହରାଇଲେ ଜୟନାରାୟଣ

158

କନକ ବ୍ୟୁରୋ: ମଞ୍ଚ ଥିଲା ଦିଲ୍ଲୀର ପ୍ରେସ ବ୍ଲକ୍, ଅବସର ଥିଲା ପୁସ୍ତକ ଉନ୍ମଚୋନ । ଗୋଟିଏ ମଞ୍ଚରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡି ସାଂସଦ ଭର୍ତୃହରି ମହତାବ । ସଭାମଞ୍ଚରେ ଭାଷଣ ଦେଉ ଦେଉ- ମହାଭାରତର ‘କୌରବ’ ଉପାଖ୍ୟାନର ପେଡ଼ି ଖୋଲିଥିଲେ କେନ୍ଦ୍ରମନ୍ତ୍ରୀ । କଟକ ସାଂସଦ ଭର୍ତୃହରି ମହତାବଙ୍କୁ ପ୍ରଶଂସା କରିବାକୁ ଯାଇ କହିଥିଲେ- ୬ ଥରର ସାଂସଦଙ୍କୁ କେହିଜଣେ କହିଛନ୍ତି ଯେ, ସେ କାଉନସିଲର ଭାବେ ମଧ୍ୟ ଜିତିପାରିବେନି । ଏକଥା ରାଜନୀତିରେ ମଝିରେ ମଝିରେ ହୁଏ । କିନ୍ତୁ ଭର୍ତ୍ତୃହରିଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଆଦର ରହିଛି । ସେ, ହେଉଛନ୍ତି ଭୀଷ୍ମ ପିତାମହ । ଇଚ୍ଛାମୃତ୍ୟୁ ହେଲେ ସେ ଘରକୁ ଯିବେ । ସେ ଆହୁରି କହିଥିଲେ, ଓଡିଶାର କୌରବ ସେନା ଯେତେ ଚିକ୍ରାର କଲେ ବି ସେ ତାକୁ ମୁଣ୍ଡପାତି ସହିବାକୁ ପ୍ରସ୍ତୁତ । କୌରବ ସେନା ଯାଜ୍ଞସେନୀ ପଢିନାହାନ୍ତି ତେଣୁ ମହିଳା ସମ୍ବେଦନଶୀଳତାକୁ ବୁଝିପାରନ୍ତି ନାହିଁ ବୋଲି ତାତ୍ସଲ୍ୟ କରିଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ବକ୍ତବ୍ୟ ଉପରେ ଭର୍ତୃହରି ସିଧାସଳଖ କିଛି କହିନଥିଲେ । କେବଳ କହିଥିଲେ, ସେଦିନ ଗାନ୍ଧୀଜୀ ଓଡିଶାର ଭୟ ଦୂର କରିବାକୁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ମଧ୍ୟ ତାଙ୍କ ଭୟ ବିଷୟରେ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ।

କାହାକୁ ‘କୌରବ’ ସେନା କହିଲେ ଧର୍ମେନ୍ଦ୍ର? କାହାକୁ ‘ଯାଜ୍ଞସେନୀ’ ପଢ଼ି ନାହାଁନ୍ତି କହିଲେ କେନ୍ଦ୍ରମନ୍ତ୍ରୀ? ଯଦିଓ ଏହି ଦୁଇଟି ପ୍ରଶ୍ନର ସିଧାସଳଖ ନିଦ୍ଦିଷ୍ଟ ଉତ୍ତର ରଖିନାହାଁନ୍ତି ଧର୍ମେନ୍ଦ୍ର ପ୍ରଧାନ, ତଥାପି ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଧର୍ମେନ୍ଦ୍ରଙ୍କ କଥାରେ ସ୍ୱର ମିଳାଇ ବିରୋଧୀ ଦଳ ନେତା ଅଭିଯୋଗ କରି କହିଛନ୍ତି- ଯେଉଁମାନେ କ୍ଷମତାରେ ଅଛନ୍ତି ସେମାନେ ହିଁ କୌରବ । କୌରବମାନେ ଯେମିତି ଅଧିକ ଗର୍ବ ଏବଂ ଅହଙ୍କାରରେ ବୁଡ଼ିଗଲେ ସେମିତି ଏମାନଙ୍କର ଅବସ୍ଥା ହେବ । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଭର୍ତ୍ତୃହରି ମହତାବ ଜଣେ ଦକ୍ଷ ଓ ଜ୍ଞାନୀ ଲୋକ । କିଛି ଅସହିଷ୍ଣୁ ତାଙ୍କୁ ସହ୍ୟ କରିପାରୁ ନାହାଁନ୍ତି ବୋଲି କହିଛନ୍ତି । ଶାସକ ବିଜେଡି ଦଳ ଏହି ବୟାନକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି । ବିଧାୟକ ଭାଗିରଥୀ ସେଠୀ କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେଇକହିଛନ୍ତି-ସେ ନିଜ ଦଳ ବିଷୟରେ ମୁଣ୍ଡ ଖେଳାନ୍ତୁ ।

ରାଜନୀତିର ଏହି ବୟାନବାଜି ଭିତରେ, କଟକର ବିଜେଡି ସାଂସଦଙ୍କ ସପକ୍ଷରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛିଡ଼ା ହେବା, ଅନେକ ଗୁଡିଏ କଳ୍ପନା-ଜଳ୍ପନା ପାଇଁ ଖୋରାକ୍ ଯୋଗାଇଛି ।