ନୃତ୍ୟଗୁରୁଙ୍କ ମୃତ୍ୟୁ କାହାଣୀ । ଦୀପ ପ୍ରଜ୍ୱଳନ ପରେ ମଞ୍ଚ ଉପରେ ଟଳି ପଡିଥିଲେ ଭାରତନାଟ୍ୟମ ଗୁରୁ ଶ୍ରୀଗଣେଶନ୍ ।

346

କନକ ବ୍ୟୁରୋ: ଗୀତ ଗୋବିନ୍ଦର ତାଳେ ତାଳେ ମଞ୍ଚରେ ଚାଲିଥାଏ ଭରତନାଟ୍ୟମ । ମଞ୍ଚରେ ପ୍ରଦର୍ଶନ କରୁଥାନ୍ତି, ମାଲେସିଆର ଭରତନାଟ୍ୟମ ନୃତ୍ୟଗୁରୁ ଗଣେଶନ ମୁନୁସ୍ୱାମୀ । ହେଲେ କିଏ ଜାଣିଥିଲା ଏହି ମଞ୍ଚ ତାଙ୍କ ଜୀବନର ଶେଷ ମଞ୍ଚ ହୋଇଯିବ । ନୃତ୍ୟ ସାରି ଅନ୍ୟ ଅତିଥିଙ୍କ ସହ ଦୀପ ପ୍ରଜ୍ୱଳନ କଲେ । ହସ ହସ ଚେହେରାରେ ଦର୍ଶକଙ୍କୁ ଜଣାଇଲେ ପ୍ରଣାମ । କିନ୍ତୁ ମାତ୍ର କେଇ ସେକେଣ୍ଡରେ ଟଳି ପଡିଲେ ନୃତ୍ୟ ଗୁର ଗଣେଶନ ମୁନୁସ୍ୱାମୀ । ସଭିଏଁ ଭାବିଲେ ଗୁରୁ ଗଣେଶନ ଅଚେତ ହୋଇପଡିଥିବେ । କିନ୍ତୁ ସେତେବେଳକୁ ଚାଲିଯାଇଥିଲା ପ୍ରାଣବାୟୁ ।

ଭୁବନେଶ୍ୱର ସ୍ଥିତ ଭଞ୍ଜ କଳାମଣ୍ଡପରେ ଆୟୋଜିତ ରାଷ୍ଟ୍ରୀୟ ଜୟଦେବ ସମାରୋହରେ ଅତିଥି ହୋଇ ଯୋଗ ଦେଇଥିଲେ ଗୁରୁ ଗଣେଶନ । ନୃତ୍ୟ ପରିବେଷଣ କରିବା ପାଇଁ ଆୟୋଜକଙ୍କୁ ନିବେଦନ କରିଥିଲେ । ନୃତ୍ୟ ବି ପରିବେଷଣ କଲେ । ଦର୍ଶକଙ୍କ ତାଳିରେ ପ୍ରକମ୍ପିତ ହୋଇପଡିଥିଲା ପ୍ରେକ୍ଷାଳୟ । ଏହି ମଞ୍ଚରେ ଶ୍ରୀ ଜୟଦେବ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନୀତ ହୋଇଥାନ୍ତେ ଗୁରୁ ଗଣେଶନ । କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା । ନୃତ୍ୟ ପରିବେଷଣ କରିବାର କିଛି ସମୟ ପରେ ସେ ସଭିଙ୍କୁ ଛାଡି ଚାଲିଯାଇଥିଲେ ଆରପାରିକୁ ।

ନୃତ୍ୟଗୁରୁ ଗଣେଶନ ମୁନୁସ୍ୱାମୀଙ୍କ ପରିବାର କହିଲେ ସେ ତାଙ୍କ ଭଉଣୀ ଓ ତାଙ୍କ ଛାତ୍ରଛାତ୍ରୀ । ମାଲେସିଆର ଶ୍ରୀ ଗଣେଶାଳୟ ଅନୁଷ୍ଠାନରେ ଅନେକ ଯୁବାବର୍ଗ ଏହି ଅନୁଷ୍ଠାନରେ ଭରତନାଟ୍ୟମ ଶିଖୁଛନ୍ତି । ଗୁରୁଙ୍କ ବିୟୋଗରେ ଦୁଖରେ ଭାଙ୍ଗି ପଡିଛନ୍ତି ତାଙ୍କ ଛାତ୍ରଛାତ୍ରୀ । ଚାହିଁ ବସିଛନ୍ତି ଗୁରୁଙ୍କର ଶେଷ ଦର୍ଶନ ପାଇଁ । ଶବ ବ୍ୟବଛେଦ ପରେ ମାଲେସିଆକୁ ପଠାଯିବ ଗୁରୁ ଗଣେଶନଙ୍କ ପାର୍ଥିବ ଶରୀର ।