ଝିଅ ହେବ ତ, ଏମିତି… ପାଠ ପଢୁଛନ୍ତି, ପାୱାରଟିଲର ଚଲାଇ ଚାଷ ବି କରୁଛନ୍ତି । ପାଖରେ ପୁଅମାନେ ନଥିବା ବେଳେ ବୁଢା ବାପା ମାଆଙ୍କ ସାହାରା ସାଜିଛନ୍ତି ତରା

208

କନକ ବ୍ୟୁରୋ : ଗାଁର ଝିଅ ପରା, ହାର ମାନିବ କେମିତି… ମାଟି କାଦୁଅରେ ବଢିଥିବା ଝିଅ ସଂଘର୍ଷକୁ ଡରିଯିବ କେମିତି… ସେଥିପାଇଁ ତ ଯେଉଁ ହାତରେ କଲମ ଧରି ନିଜ ଭବିଷ୍ୟତ ଉଜ୍ୱଳ କରିବା ପାଇଁ ଅହରହ ଚେଷ୍ଟା କରୁଛି, ସେହି ହାତରେ ପରିବାର ପ୍ରତିପୋଷଣ ପାଇଁ ପାୱାରଟିଲର ଚଲାଉଛି । ସକାଳୁ ୧୦ଟା ଯାଏଁ ବିଲରେ ପାୱାର ଟିଲର ଚଳାଉଛନ୍ତି । ଆଉ ୧୦ ଟା ପରେ କଲେଜ । ଚାଷବାସ କରି ପରିବାର ପୋଷିବା ସହ କିପରି ପାଠ ପଢିହୁଏ ତା’ର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ ।

ଗଜପତି ଜିଲ୍ଲା ମୋହାନା ବ୍ଲକ ବଡ଼ଖଣି ନୂଆସାହି ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ ଝିଅ ‘ତରା’ । ସକାଳ ହେଲେ ପାୱାରଟିଲରରେ ପେଟ୍ରୋଲ ପକାଇ ବିଲକୁ ଚାଷ କରିବା ପାଇଁ ବାହାରିପଡନ୍ତି । ନିଜ ହାତରେ ପାୱାରଟିଲରର ଚକକୁ କାଢି କଟର ଲଗାଇଥାନ୍ତି । ଆଉ ବିଲରେ ଚାଷ କରନ୍ତି । ଚାଷ କାମ ସାରିବା ପରେ କଲେଜ ଯାଆନ୍ତି । ପରିବାରର ଅଭାବ ଅନଟନ ଭିତରେ ପାଠ ପଢି ଆଗକୁ ଜଣେ ଅଧ୍ୟାପିକା ହେବାର ଲକ୍ଷ୍ୟ ରଖିଛନ୍ତି ତରା ।

ଲକ୍ଷ୍ମଣଙ୍କ ଦୁଇ ପୁଇ ଓ ତିନି ଝିଅ ଅଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ପୁଅ ବିବାହ କରିବା ପରେ ଘରଠୁ ଦୂରରେ ରହୁଛନ୍ତି । ତିନି ଭଉଣୀଙ୍କ ମଧ୍ୟରେ ବଡ଼ ଓ ମଝିଆ ଭଉଣୀ ଆର୍ଥିକ ଅଭାବ ଯୋଗୁ ଯୁକ୍ତ ଦୁଇ ପରେ ପାଠ ପଢା ବନ୍ଦ କରିଦେଇଛନ୍ତି । ହେଲ ମଝିଆ ଝିଅ ତରାର ଇଚ୍ଛାଶକ୍ତିି ଆଗରେ ହାର ମାନିଛି ଅଭାବ । ପଇସା ପାଇଁ ସକାଳୁ ୧୦ ଟା ଯାଏଁ ବିଲରେ ପାୱାର ଟିଲର ଧରି ହଳ କରନ୍ତି । ୧୦ଟାରୁ ଆସି କମ୍ପ୍ୟୁଟର କ୍ଲାସ ପରେ କଲେଜ ଯାଆନ୍ତି । ତେଣୁ ଝିଅ କିପରି ଆହୁରି ଆଗକୁ ବଢିବ ସେନେଇ ସରକାରୀ ସହୟତା ପାଇଁ ଅନୁରୋଧ କରିଛନ୍ତି ବାପା ଲକ୍ଷ୍ମଣ ମଲ୍ଲିକ ।

ତେବେ ତରା’ ମୋହନା ହିଲ ଟପ କଲେଜରେ ଯୁକ୍ତ ୩ କଳାରେ ଦ୍ୱିତୀୟ ବର୍ଷ ଛାତ୍ରୀ ଅଛନ୍ତି । ତାଙ୍କର ପାଠପଢା ଏବଂ ଶୃଙ୍ଖଳିତ ଆଚରଣ ପାଇଁ କଲେଜର ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ମଧ୍ୟ ତାଙ୍କୁ ପ୍ରଶଂସା କରନ୍ତି । ତେଣୁ ମୁଣ୍ଡ ଗୁଞ୍ଜିବାକୁ ଘର ଏବଂ ପାଠପଢିବା ପାଇଁ ସରକାରୀ ସହାୟତା ମିଳିପାରିଲେ ତରା ଏବଂ ତାଙ୍କ ପରିବାର ଉପକୃତ ହୁଅନ୍ତେ ।