ପ୍ରେମ ପାଇଁ ଭାରତ ସୀମା ଡେଇଁ ପାକିସ୍ତାନ ଗଲେ ଅଞ୍ଜୁ… ସୀମା ଓ ଅଞ୍ଜୁଙ୍କ ପ୍ରେମ କାହାଣୀରେ ସମାନତା କ’ଣ?

655

କନକ ବ୍ୟୁରୋ: ୪ ପିଲାଙ୍କୁ ଧରି ନିଜ ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚାଲିଆସିଥିବା ସୀମା ହାଇଦରଙ୍କୁ ନେଇ ଏଯାଏଁ ଚର୍ଚ୍ଚା ଥମିନଥିବାବେଳେ ଏଭଳି ଆଉ ଏକ ଘଟଣା ଘଟିଛି । ଠିକ୍ ସୀମାଙ୍କ ଭଳି ଜଣେ ଭାରତୀୟ ମହିଳା ନିଜ ପ୍ରେମ ପାଇଁ ଭାରତ ସୀମା ଡେଇଁ ପାକିସ୍ତାନ ଚାଲିଯାଇଛନ୍ତି । ତେବେ ଦୁହିଁଙ୍କ ଭିତରେ ସମାନତା କ’ଣ?

ସୀମା ଓ ସଚିନଙ୍କ ପ୍ରେମ କାହାଣୀ ଜୋର ଧରିଥିବାବେଳେ ଏବେ ରାଜସ୍ଥାନ ଭିୱାଡିର ବାସିନ୍ଦା ଅଞ୍ଜୁ ନିଜ ସ୍ୱାମୀ ଓ ପିଲାଙ୍କୁ ଛାଡି ନିଜ ପ୍ରେମ ନସରୁଲ୍ଲାକୁ ପାଇବାକୁ ଭାରତ ସୀମା ଡେଇଁ ପାକିସ୍ତାନରେ ପାଦ ଦେଇଛନ୍ତି । ତେବେ ଦୁହିଁଙ୍କ ଭିତରେ ଅନେକ ସମାନତା ଦେଖିବାକୁ ମିଳିଛି ।

ଗୋଟେପଟେ ସୀମା ପ୍ରେମ ପାଇଁ ପାକିସ୍ତାନରୁ ଭାରତ ଚାଲିଆସିଥିବାବେଳେ ଅଞ୍ଚୁ ଭାରତରୁ ପାକିସ୍ତାନ ଚାଲିଆସିଛନ୍ତି । ଦୁହିଁଙ୍କ କ୍ଷେତ୍ରରେ ନିଜ ପ୍ରେମିକଙ୍କ ସହ ପରିଚୟ ସୋସିଆଲ ମିଡିଆରୁ ହିଁ ହୋଇଛି ସୀମା ପବଜି ଖେଳୁ ଖେଳୁ ପ୍ରେମରେ ପଡିଥିବାବେଳେ ଅଞ୍ଚୁଙ୍କର ନସରୁଲ୍ଲାଙ୍କ ସହ ପରିଚୟ ଫେସବୁକରୁ ହୋଇଛି ।

ଦୁହେଁ ବିବାହିତ ଓ ସନ୍ତାନଙ୍କ ଜନନୀ । ଦୁହେଁ ନିଜ ନିଜ ପ୍ରେମିକଙ୍କ ଠାରୁ ବୟସରେ ବଡ । ସୀମାଙ୍କୁ ୩୦ ବର୍ଷ ହୋଇଥିବାବେଳେ ସଚିନଙ୍କୁ ମାତ୍ର ୨୨ ବର୍ଷ ଅନ୍ୟପଟେ ଅଞ୍ଜୁଙ୍କୁ ୩୫ ବର୍ଷ ହୋଇଥିବାବେଳେ ନସରୁଲ୍ଲାଙ୍କୁ ମାତ୍ର ୨୯ ବର୍ଷ । ତେବେ ସୀମା ଆଉ ପାକିସ୍ତାନକୁ ଫେରିବାର ପ୍ରଶ୍ନ ଉଠୁନଥିବା ସ୍ପଷ୍ଟ କରିଥିବାବେଳେ ଅଞ୍ଜୁ କିନ୍ତୁ ଏଭଳି କିଛି ପ୍ରକାଶ କରିନାହାଁନ୍ତି ।