ତୁର୍କୀରେ ଆତଙ୍କୀ ଆକ୍ରମଣ ! ଭୟଙ୍କର ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ଆହତ

70

କନକ ବ୍ୟୁରୋ : ତୁର୍କୀର ଇସ୍ତାନବୁଲ୍ରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ । ଭୟଙ୍କର ବିସ୍ଫୋରଣରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ତେବେ ବିସ୍ଫୋରଣ ଏତେ ଭୟଙ୍କର ହୋଇଛି ଯେ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ଇସ୍ତାନବୁଲର ଇସ୍ତିକାଲରେ ଥିବା ବ୍ୟସ୍ତବହୁଳ ମାର୍କେଟ ଏରିଆରେ ଏହି ବିସ୍ଫୋରଣ ହୋଇଛି । କେହି କିଛି ଭାବିବା ପୂର୍ବରୁ ଭୟଙ୍କର ବିସ୍ଫୋରଣରେ ଥରି ଉଠିଛି ଏହି ଅଞ୍ଚଳ । ଚାହୁଁ ଚାହୁଁ ଚାରି ଆଡ଼େ ଧୂଆଁ ଭର୍ତ୍ତି ହୋଇ ଯାଇଥିଲା ।

ଲୋକମାନେ ଭୟରେ ଦୌଡିବାରେ ଲାଗିଥିଲେ । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ମାନବ ବୋମାରେ ଏହି ବିସ୍ଫୋରଣ ଘଟିଛି । ଏହି ଆକ୍ରମଣକୁ କାପୁରୁଷଙ୍କ କାମ ବୋଲି କହି ନିନ୍ଦା କରିଛନ୍ତି ତୁର୍କୀର ରାଷ୍ଟ୍ରପତି ରିସେପ୍ ତାଇପ୍ । ସେ କହିଛନ୍ତି, ପ୍ରାଥମିକ ସୂଚନା ଅନୁସାରେ ଏହା ଆତଙ୍କବାଦୀଙ୍କ ଆକ୍ରମଣ । ତେବେ ସ୍ଥାନୀୟ ପ୍ରଶାସନ, ବିସ୍ପୋରଣର କାରଣ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ଇସ୍ତାନବୁଲର ଏହି ଅଞ୍ଚଳକୁ ପୂର୍ବରୁ ମଧ୍ୟ ଟାର୍ଗେଟ କରିଥିଲେ ଆଇଏସ୍ ଆତଙ୍କବାଦୀ ସଙ୍ଗଠନ । ୬ ବର୍ଷ ପୂର୍ବରୁ ଆଇଏସ୍ ଆତଙ୍କବାଦୀ ହମଲାରେ ପ୍ରାୟ ୫୦୦ ଜଣଙ୍କ ମୃତ୍ୟୁ ହୋଇଥିଲା । ୨ ହଜାରରୁ ଅଧିକ ଆହତ ହୋଇଥିଲେ ।