ବନ୍ଧୁକ ଲାଇସେନ୍ସ କଟକଣା ହେଲା କଡାକଡି : ଜନସାଧାରଣ ସ୍ଥାନ କିମ୍ବା ସୋସିଆଲ ମିଡିଆରେ ବନ୍ଧୁକ ଦେଖାଇବା ବ୍ୟାନ୍

82

କନକ ବ୍ୟୁରୋ : ଗୁଳି କରି ହତ୍ୟା ଘଟଣା ଏବେ ପଞ୍ଜାବ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ବନ୍ଧୁକ ଲାଇସେନ୍ସ ପ୍ରଦାନ କଟକଣାକୁ କଡାକଡି କରିଛନ୍ତି ପଞ୍ଜାବ ସରକାର । ତିନି ମାସ ମଧ୍ୟରେ ଦିଆଯାଇଥିବା ବନ୍ଧୁକ ଲାଇସେନ୍ସଗୁଡିକର ଯାଞ୍ଚ କରିବାକୁ ପଞ୍ଜାବ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଡିସିପିଙ୍କ ବିନା ଅନୁମତି କୌଣସି ବି ବ୍ୟକ୍ତିଙ୍କୁ ବନ୍ଧୁକ ଲାଇସେନ୍ସ ଦେବାକୁ ବାରଣ କରାଯାଇଛି । ଏଥିସହ ଜନସାଧାରଣ ସ୍ଥାନ ଅବା ଶୋସିଆଲ ମିଡିଆରେ ଦେଖାଇବାକୁ ବ୍ୟାନ କରିଛନ୍ତି ସରକାର । ଏହାଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବାର କାରଣ ଦେଖାଯାଇଛି ।

ଯେଉଁମାନେ ଲାଇସେନ୍ସ ପାଇଁ ଆବେଦନ କରୁଛନ୍ତି ସେମାନଙ୍କର କଡାକଡି ଯାଞ୍ଚ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଫାଙ୍କା ଗୁଳିଚାଳନା ଉପରେ ମଧ୍ୟ କଟକଣା ଲଗାଯାଇଛି । କିଛି ମାସ ତଳେ ପରିଚିତ କଣ୍ଠଶୀଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପରେ କବାଡି ଖେଳାଳୀ ସନ୍ଦୀପ ନାନଗଲ ଅଭିମାନ, ଶିବ ସେନା ନେତା ସୁଧୀର ସୁରୀ, ଢେରା ସଚା ସୌଦ ସମର୍ଥକ ପ୍ରଦୀପ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଗତ ୬ ମାସରେ ଏଭଳି ହତ୍ୟା ଘଟଣାକୁ ନେଇ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଏଭଳି ନିର୍ଦ୍ଦେଶାବଳୀ ଜାରୀ କରି ବନ୍ଧୁକ ଅପବ୍ୟବହାର ରୋକିବାକୁ ଚେଷ୍ଟା କରାଯାଉଥିବା ଜଣେ ସରକାରୀ ମୁଖପାତ୍ର କହିଛନ୍ତି ।