ଯୁବ ଇଞ୍ଜିନିୟରଙ୍କ ପରିବା ଚାଷ । ୨୨ ଏକର ଜମି ଲିଜ ନେଇ କରିଛନ୍ତି ବହୁମୁଖୀ ଚାଷ । ଚାକିରି ଅପେକ୍ଷା ମିଳୁଛି ଭଲ ରୋଜଗାର

308

କନକ ବ୍ୟୁରୋ : ଦୀର୍ଘ ୧୧ ବର୍ଷର ସଫ୍ଟେଓର ଇଞ୍ଜିନିୟରିଂ ଚାକିରି ଛାଡି ଚାଷ ପ୍ରତି ମନ ବଳାଇଛନ୍ତି ସତ୍ୟ ପ୍ରବିଣ । ନିଜେ ସ୍ୱାବଲମ୍ବି ହେବା ସହ ପ୍ରତ୍ୟେକ ଦିନ ୪୦ ଜଣ ଯୁବକ ଯୁବତିଙ୍କୁ ଯୋଗାଉଛନ୍ତି ରୋଜଗାର । ଅନ୍ୟ ଅଧିନରେ କାମ କରିବା ବଦଳରେ ନିଜ ଉଦ୍ୟମରେ ନିଜେ ରୋଜଗାର କରିବା ସହ ଅନ୍ୟକୁ ରୋଜଗାର ଯୋଗାଇବା ତାଙ୍କର ଲକ୍ଷ । ୨୨ ଏକର ଜମି ଲିଜ୍ ନେବା ସହ ନୂତନ ଜ୍ଞାନ ପ୍ରଣାଳିରେ ଚାଷ କରି ବେଶ ଖୁଶି ଅଛନ୍ତି ସଫ୍ଟେଓର ଇଞ୍ଜିନିୟର ସତ୍ୟ ପ୍ରବିଣ । ଆସନ୍ତୁ ଦେଖିବା ରାୟଗଡାରୁ ଏହି ରିପୋର୍ଟ ।

ଯୁବ ଇଞ୍ଜିନିୟରଙ୍କ ପରିବା ଚାଷ । ନୂତନ ଜ୍ଞାନ କୌଶଳ ଉପଯୋଗ କରି ଟମାଟୋ, କୋବି, ତରଭୁଜ, ଲେମନଗ୍ରାସ ଚାଷ କରିଛନ୍ତି ରାୟଗଡ଼ା ଆମଲାଭଟା ଗାଁର ସତ୍ୟ ପ୍ରବିଣ । ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ସେ ଏହି ଚାଷ କରିଛନ୍ତି । ନିଜେ ରୋଜଗାର କରିବା ସହ ତାଙ୍କ ଜମିରେ କାମ କରି ସ୍ଥାନୀୟ ଅଞ୍ଚଳର କିଛି ଲୋକ ରୋଜଗାରକ୍ଷମ ହୋଇପାରୁଛନ୍ତି । ୨୨ ଏକର ଜମି ଲିଜ୍ ନେଇ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି ସଫ୍ଟେଓର ଇଞ୍ଜିନିୟର ସତ୍ୟ ପ୍ରବିଣ ।
ଦୀର୍ଘ ୧୧ ବର୍ଷ ଧରି ମାଲେସିଆରେ ଏକ ସଫ୍ଟେଓର କମ୍ପାନିରେ ମାସିକ ଦୁଇ ଲକ୍ଷ ଟଙ୍କା ବେତନରେ କାମ କରୁଥିଲେ ଯୁବ ଇଞ୍ଜିନିୟର ସତ୍ୟ ପ୍ରବିଣ । ନିଜସ୍ୱ ଉଦ୍ୟମରେ କିଛି କରିବାକୁ ଚିନ୍ତା କରି ଚାକିରି ଛାଡ଼ିବାକୁ ମନସ୍ତ କରିଥିଲେ । ରାୟଗଡା ସଦର ବ୍ଳକ ଜିଞ୍ଜିଲିବାଡି ଗାଁ ନିକଟରେ ୨୨ ଏକର ଜମି ଲିଜ୍ ନେଇ ସେ ଚାଷ କାମ କରୁଛନ୍ତି । ଏବେ ଏହି ଚାଷରୁ ତାଙ୍କୁ ଚାକିରି ଅପେକ୍ଷା ଅଧିକ ରୋଜଗାର ମିଳୁଥିବା ସେ କହିଛନ୍ତି ।

ସତ୍ୟ ପ୍ରବିଣଙ୍କ ବାପା ମଧ୍ୟ ଚାଷ କାମ କରି ପରିବାର ପ୍ରତିପୋଷଣ କରନ୍ତି । ନିଜର ଜମି ନଥିବାରୁ ଅନ୍ୟ ଲୋକଙ୍କ ଜମି ଲିଜ୍ ନେଇ ଚାଷ କରୁଥିଲେ ସତ୍ୟଙ୍କ ବାପା । ଏବେ ୟୁଟ୍ୟୁବରୁ ଚାଷ ପ୍ରଣାଳି ଜାଣିବା ସହ ବାହାର ରାଜ୍ୟରୁ ଚାରା ମଗାଇ ୨୨ ଏକର ଚାଷ ଜମିରେ ବିଭିନ୍ନ ପ୍ରକାରର ଚାଷ କରିଛନ୍ତି ଯୁବ ଇଞ୍ଜିନିୟର ।