କଟକରେ ବିଜେଡିକୁ ଟାର୍ଗେଟ କଲେ ମୋଦୀ । କହିଲେ, ବିଜେଡିର ୨୫ ବର୍ଷ ସରକାରରେ କଣ ପାଇଛନ୍ତି ଓଡ଼ିଶାବାସୀ, ବିଜେପି ସରକାର ଆସିଲେ ମାଫିଆଙ୍କ ଅଣ୍ଟା ଭାଙ୍ଗିବ ।

220

କନକ ବ୍ୟୁରୋ : କଟକରେ ପ୍ରଧାନମନ୍ତ୍ରୀ ମୋଦୀ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହାସହ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, ଯେଉଁ କଟକ ବିଶ୍ୱରେ ପରିଚିତ ତାହାର ଶାସନ ଭାର କଣ ଏମିତି ଜଣେ ବ୍ୟକ୍ତି ହାତରେ ରହିବା ଉଚିତ୍ ଯିଏ ଓଡ଼ିଶାର ସଂସ୍କୃତିକୁ ବୁଝୁନଥିବ । ଓଡ଼ିଶାବାସୀ ବିଜେଡିକୁ ଏହି ଶତାବ୍ଦୀର ୨୫ ବର୍ଷ ଦେଇଛନ୍ତି ଏବଂ ବଦଳରେ କଣ ପାଇଛନ୍ତି ତାହା ଜାଣିଛନ୍ତି । ଆଗାମୀ ୨୫ ବର୍ଷ ଓଡ଼ିଶାର ବିକାଶ ପାଇଁ ବହୁତ ଜରୁରୀ । ବିଜେଡିର ଧୀମା ଗତିର ସରକାରକୁ ଛାଡି ଏବେ ବିଜେପିର ଡବଲ ଇଞ୍ଜିନର ସରକାର ଗଢନ୍ତୁ । ଆଗାମୀ ୨୫ ବର୍ଷରେ ବିଜେପି ଓଡ଼ିଶାକୁ ବିକାଶର ଶୀର୍ଷ ସ୍ଥାନରେ ପହଞ୍ଚାଇବ ।

ଓଡ଼ିଶାରେ ଭଷ୍ଟ୍ରାଚାରୀ ବିଜେଡି ଠାରୁ ଲୋକ ମୁହଁ ଫେରାଇଲେଣି । ବିଜେଡି ଚିଟଫଣ୍ଡ ଜରିଆରେ ଗରିବ ଲୋକଙ୍କୁ ଧୋକା ଦେଇଛି । ବିଜେଡି ଓଡ଼ିଶାକୁ ଜମି ମାଫିଆ, ବାଲି ମାଫିଆ, କୋଇଲା ମାଫିଆ, ଖଣି ମାଫିଆ ଦେଇଛି । ବିଜେଡିର ବିଧାୟକ ଓ ମନ୍ତ୍ରୀ ୨୪ ଘଣ୍ଟା ଏହି କାମରେ ଲାଗିଛନ୍ତି । ଏଭଳି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ସମ୍ଭବ କି? ଓଡ଼ିଶାର ପ୍ରତି ବ୍ଲକରୁ ଲୋକେ ଗୁଜୁରାଟକୁ ଦାଦନ ଖଟିବାକୁ ଯାଉଛନ୍ତି । ବିଜେଡି ସରକାର କେମିତି କାମ କରୁଛି ତାହାର ପୂରା ଚିଠା ଲୋକଙ୍କ ସାମ୍ନାକୁ ଆସିଛି । ମୋଦୀ ସରକାର ଆସିବା ପରଠାରୁ ଓଡ଼ିଶାର ବିକାଶ ପାଇଁ ରେକର୍ଡ ଆର୍ଥିକ ସହାୟତା ମିଳୁଛି । କଂଗ୍ରେସ ସରକାର ସମୟରେ ପୁରୁଣା ଖଣି ଉତ୍ତୋଳନ ନୀତିରେ ମାତ୍ର ୫୦୦୦ କୋଟି ମିଳୁଥିଲା । କିନ୍ତୁ ମୋଦୀ ସରକାରରେ ଏହା ୫୦ ହଜାର କୋଟିକୁ ବୃଦ୍ଧି ପାଇଛି । ଡିଏମଏଫ ଜରିଆରେ ୨୬ ହଜାର କୋଟି ଟଙ୍କା ମିଳିଛି । ଏଠାରେ ରାସ୍ତା,ବିଜୁଳି, ହସ୍ପିଟାଲ, ସ୍କୁଲରେ ଅବ୍ୟବସ୍ଥା ରହିଛି । ତେଣୁ ଦିଲ୍ଲୀରୁ ଆସିଥିବା ଟଙ୍କା କୁଆଡେ ଗଲା? ବିଜେଡି ନେତାଙ୍କୁ କଟ୍ ନ ମିଳିବା ପର୍ଯ୍ୟନ୍ତ ସବୁ ପ୍ରକଳ୍ପକୁ ଅଟକାଇ ରଖୁଛନ୍ତି । ଓଡ଼ିଶା ସହ ଯେଉଁ ଲୁଟ୍ ଚାଲିଛି ତାହା ବନ୍ଦ ହେବା ଦରକାର । ଆପଣଙ୍କ ଭୋଟ ହିଁ ଏହି ଲୁଟ୍ ବନ୍ଦ କରିବ । ଆପଣଙ୍କ ଭୋଟ ବଳରେ ହିଁ ଓଡ଼ିଶାର ଭାଗ୍ୟ ବଦଳିବ ।

ବିଜେଡି ସରକାର ପାଇଁ ସବୁଠୁ ଅଧିକ କ୍ଷତି ଯୁବବର୍ଗଙ୍କୁ ଭୋଗିବାକୁ ପଡୁଛି । ଯୁବକ ମାନେ ଦାଦନ ଖଟିବାକୁ ଯାଉଛନ୍ତି । ଏଠାରେ ଏମିତି ଜଣେ ମାଫିଆ ଅଛନ୍ତି ଯିଏ ସବୁ କ୍ଷେତ୍ରରେ ଆଡ୍ଡା ଜମାଇ ବସିଛି । କିନ୍ତୁ ବିଜେପି ସରକାର ଆସିଲେ ଏହି ମାଫିଆର ଅଣ୍ଟାକୁ ଭାଙ୍ଗିବ । କଟକରେ ପୂର୍ବରୁ ଅନେକ ଉଦ୍ୟୋଗ ଥିଲା । କିନ୍ତୁ ଏବେ ଶୂନ । ତେଣୁ ଏହି ଉଦ୍ୟୋଗକୁ ପୁଣିଥରେ ଆଣିବାକୁ ହେଲେ ବିଜେପିକୁ ଆଣିବାକୁ ହେବ । ଦୀର୍ଘବର୍ଷ ଧରି ରାଜ୍ୟକୁ ଚଳାଇବାର ଅନୁଭବ ରହିଛି, ତେଣୁ ଓଡ଼ିଶାରେ ବିଜେପି ସରକାର ହେଲେ କୌଣସି ସମସ୍ୟା ରହିବନି । କଟକ ଚାରିପଟରେ ନଦୀ ରହିଛି, କିନ୍ତୁ ଏଠାରେ ପିଇବା ପାଣିର ଅଭାବ ରହିଛି । ମୋଦୀ ଏଠାରେ ନଳରୁ ଜଳ ଦେବାକୁ ନିଷ୍ପତ୍ତି ନେଉଥିବା ବେଳେ ଏଥିରେ ବାଧା ଦେଉଛି ବିଜେଡି । ଗରିବଙ୍କୁ ପକ୍କା ଘର ମିଳିବାରୁ ରୋକିବା କାମ ଶତ୍ରୁ ହିଁ କରିପାରେ । ଯାହା ବିଜେଡି କରୁଛି । ଡବଲ ଇଞ୍ଜିନ ସରକାର ଗଢିଲେ ବିଜୁଳି ବିଲ୍ ଶୂନ ହୋଇଯିବ । ବିଜୁଳି ଉତ୍ପାଦନ କରି ଏଥିରୁ ଆୟ ମଧ୍ୟ କରିପାରିବେ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଏହା ସମ୍ଭବ ହେବ ।

ଓଡ଼ିଶା ବିଜେପି ମା’ ମାନଙ୍କ ପାଇଁ ଯେଉଁ ଗ୍ୟାରେଣ୍ଟି ଆଣିଛି ତାହାକୁ ନେଇ ଦେଶରେ ଚର୍ଚ୍ଚା ହେଉଛି । ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ଦେଶର ୩ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସୃଷ୍ଟି କରିବେ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାଇଁ ୧୨୦୦୦ ଟଙ୍କାର ଦରମା ମିଳିବ । ଆୟୁଷ୍ମାନ ଯୋଜନା ଲାଗୁ ହେଲେ କଟକର ସମସ୍ତ ବୟସ୍କଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବ ବିଜେପି । ଜି-୨୦ ସମ୍ମିଳନୀରେ ଦେଶ ବିଦେଶରୁ ଆସିଥିବା ବଡ ବଡ ନେତାଙ୍କ କୋଣାର୍କ ଚକ୍ର ସାମ୍ନାରେ ଛିଡା କରାଇ ଏହାର ଗୌରବ ବୃଦ୍ଧି କରିଛି ମୋଦୀ ସରକାର ।

ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଲୋକଙ୍କ ମନରେ କ୍ଷୋଭ ରହିଛି । ଓଡ଼ିଶାର ଲୋକ କହୁଛନ୍ତି, ରତ୍ନଭଣ୍ଡାରର ଚାବି ତାମିଲନାଡୁ ଚାଲି ଯାଇଛି । ଏହି ଚାବିକୁ ତାମିଲନାଡୁକୁ କିଏ ନେଲା? ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟକୁ ଚାପି ଦିଆଗଲା । କିନ୍ତୁ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବିର ରାଜ ଖୋଲାଯିବ । ଯାଞ୍ଚ ରିପୋର୍ଟ ସାର୍ବଜନୀନ କରାଯିବ । ଯେଉଁମାନେ ଏଥିରେ ଗଡବଡ କରିଥିବେ ସେମାନଙ୍କୁ ଛଡାଯିବ ନାହିଁ । ଏହି ନିର୍ବାଚନ ଓଡ଼ିଶାର ବିକାଶ ଓ ଓଡ଼ିଆ ଗୌରବକୁ ବଞ୍ଚାଇବାକୁ ହେଉଛି । ତେଣୁ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।