କେଉଁଠି ପାଣି ପାଇଁ ତ କେଉଁଠି ମୋବାଇଲ ନେଟୱର୍କ । ବିଭିନ୍ନ ସମସ୍ୟା ନେଇ ଭୋଟ ବର୍ଜନ କଲେ ଏସବୁ ଗ୍ରାମର ଭୋଟର

105

କନକ ବ୍ୟୁରୋ : ସୁନ୍ଦରଗଡ଼ରେ ବିସ୍ଥାପିତଙ୍କ ଭୋଟ୍ ବର୍ଜନ, ପୂର୍ବ ନିଷ୍ପତି ଅନୁଯାୟୀ ଭୋଟ୍ ବର୍ଜନ କରିଛନ୍ତି ଏମସିଏଲ ବସୁନ୍ଧରା ଓ ମହାଲକ୍ଷ୍ମୀ କୋଇଲା ଖଣି ବିସ୍ଥାପିତ ଗାଁର ଭୋଟର । ପ୍ରାୟ ୧୪ ଖଣ୍ଡ ଗାଁରୁ ୭ଟି ଗାଁର ଭୋଟର ଭୋଟଦାନ ପ୍ରକ୍ରିୟାରୁ ନିଜକୁ ଦୂରେଇ ରଖିଛନ୍ତି । ୩୦ ବର୍ଷର ସଂଘର୍ଷ ସତ୍ୱେ ବି ପ୍ରଶାସନ ପକ୍ଷରୁ ବିସ୍ଥାପିତ ମାନଙ୍କୁ ପୁର୍ନବାସ ଓ ଥଇଥାନ କରାଯାଇନାହିଁ । ୨୦୨୨ ମସିହା ନଭେମ୍ବର ୩ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଗୋଟିଏ ବର୍ଷ ମଧ୍ୟରେ ବିସ୍ଥାପିତ ମାନଙ୍କୁ ଥଇଥାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସମୟସୀମା ଅତିକ୍ରମ କରିଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରାଯାଇନାହିଁ । ଏନେଇ ପୂର୍ବରୁ ମଧ୍ୟ ବିସ୍ଥାପିତ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ବାଧ୍ୟ ହୋଇ ଶେଷରେ ଭୋଟ ବର୍ଜନ କରିଛନ୍ତି ବିସ୍ଥାପିତ ।

ସେପଟେ ବଲାଙ୍ଗୀର କଂଟାବାଜି ଅଂଚଳରେ ମଧ୍ୟ ଭୋଟ ବର୍ଜନର ଚିତ୍ର ସାମ୍ନାକୁ ଆସିଛି । ମୋବାଇଲ ନେଟୱାର୍କ ସମସ୍ୟା ନେଇ କଂଟାବାଞ୍ଜି ଗୁଡିଘାଟ ପଂଚାୟତର ବାରବନ୍ଦ, ସୁକୁନିପଦର, ରାଣୀସିଲେଟ୍, କୁନୁଟିଝରଣ ଏବଂ ବେହେରାଖାଇ ଗାଁରେ ଲୋକମାନେ ଭୋଟ ବର୍ଜନ କରିଛନ୍ତି । ଗାଁରେ ମୋବାଇଲ ନେଟୱର୍କ ନଥିବା ବେଳେ ‘ନୋ ନେଟୱର୍କ ନୋ ଭୋଟ’ର ନାରା ଦେଇଛନ୍ତି ଗ୍ରାମବାସୀ । ପ୍ରଶାସନିକ ଅଧିକାରୀ ମାନେ ଗାଁରେ ପହଁଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଭୋଟର ମାନେ ନିଜ ଜିଦରେ ଅଟଳ ରହିଛନ୍ତି ।

ଅନ୍ୟପଟେ ପାଣି ନାହିଁ ତ ଭୋଟ ନାହିଁ, ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ଗଞ୍ଜାମ ସାନଖେମୁଣ୍ଡି ଗୁଡିଆପାଟଣା ଗ୍ରାମବାସୀ । ଏହି ଗାଁରେ ୬୦୦ରୁ ଉଦ୍ଧ୍ୱର୍ ଭୋଟର ରହିଥିବା ବେଳେ ସମସ୍ତେ ମତଦାନ ପ୍ରକ୍ରିୟାକୁ ବର୍ଜନ କରିଛନ୍ତି । ଦୀର୍ଘ ଦିନ ହେବ ଏହି ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏନେଇ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନକୁ ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଏହାର ପ୍ରତିବାଦରେ ରାସ୍ତାରେ ଗରା, ବାଲଟି ରଖି ପ୍ରତିବାଦ କରିବା ସହ ଏହି ଗାଁର ଭୋଟର ମାନେ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି ।