ଆସୁଛି ବାତ୍ୟା! ମେ ୨୫ ତାରିଖରେ ଛୁଇଁପାରେ ଓଡ଼ିଶା କିମ୍ବା ଆନ୍ଧ୍ର ଉପକୂଳ । ଭୀଷଣ ବାତ୍ୟାର ରୂପ ନେବାର ରହିଛି ଯଥେଷ୍ଟ ସମ୍ଭାବନା ।

୨୦ରୁ ୨୧ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ନେଇ ଆକଳନ

5,259

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାକୁ ବାତ୍ୟା ଭୟ । ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଚଳିତ ବର୍ଷର ପ୍ରଥମ ବାତ୍ୟା । ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି ପାଣିପାଗ ବିଶେଷଜ୍ଞ । ୨୦ରୁ ୨୧ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ଲଘୁଚାପର ରୂପ ନେଇ ଅଧିକ ଘନିଭୂତ ହେବା ସହ ୨୪ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ । ସମୁଦ୍ରରେ ଏହା ବଳ ଗୋଟାଇବା ସହ ବାତ୍ୟାରେ ପରିଣତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

୨୪ କିମ୍ବା ୨୫ ତାରିଖ ବେଳକୁ ଏହା ଓଡ଼ିଶା କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ବାତ୍ୟା ନେଇ ବର୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୌଣସି ସତର୍କ ସୂଚନା ଜାରି କରାଯାଇ ନାହିଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ବାତ୍ୟା ନେଇ ସ୍ପଷ୍ଟ ସୂଚନା ମିଳିପାରିବ ।