କାଗଜ ମୁଖା ଓ ଗୋବର କଣ୍ଢେଇ କାରିଗରଙ୍କ ଗାଁ କରଡ଼ଗାଡ଼ିଆ । ସୁନ୍ଦର ସୁନ୍ଦର ମୂର୍ତି ଗଢ଼ି ମେଳା ମହୋତ୍ସବରେ କରୁଛନ୍ତି ବିକ୍ରି

90

କନକ ବ୍ୟୁରୋ : କରଡ଼ଗାଡ଼ିଆର ଗୋବର କଣ୍ଢେଇ । ହାତୀ, ଘୋଡ଼ା, ହରିଣ, ବାଘ, ମିରିଗ ସହ ବିଭିନ୍ନ ପ୍ରକାରର ଦେବାଦେବୀଙ୍କ ପ୍ରତିମୁର୍ତି ତିଆରି କରନ୍ତି ଏହି ଗାଁର କାରିଗର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କରଡ଼ଗାଡ଼ିଆ ଗାଁ ଗୋବର କଣ୍ଢେଇ ତିଆରି ପାଇଁ ବେଶ ପ୍ରସିଦ୍ଧ । ଯାନି ଯାତ୍ରା ହେଉ ଅବା ମେଳା ମହୋତ୍ସବ ସବୁଠି ଦେଖିବାକୁ ମିଳେ ଏହି ଗାଁର କାରିଗରଙ୍କ ହାତ ତିଆରି କଣ୍ଢେଇ । ଏହା ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଗ୍ରାହାକ ମାନେ ଏହାକୁ ଆଗ୍ରହର ସହ କିଣି ନିଅନ୍ତି ।

ଗାଁର ଅଧିକାଂଶ ଲୋକଙ୍କ କୌଳିକ ବୃତି ହେଉଛି ମୂର୍ତି ଗଢ଼ିବା । ଗୋବର କଣ୍ଢେଇ ସହ କାଗଜ ମୁଖା ତିଆରି କରନ୍ତି କାରିଗର । ସ୍ଥାନୀୟ ଅଂଚଳରେ ବିକ୍ରି କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରକୁ ବରାଦ ଅନୁସାରେ ବିକ୍ରି କରନ୍ତି । କାଳକ୍ରମେ ପ୍ରୋତ୍ସାହନ ଅଭାବରୁ ଏହି ବୃତିରୁ ମୁହଁ ଫେରାଇଲେଣି କାରିଗର ।

ଦିନ ଥିଲା ସ୍ୱତନ୍ତ୍ର ଉତ୍କଳିୟ କଳା ପାଇଁ ଖ୍ୟାତି ଲାଭ କରିଥିଲା ଏହି ଗାଁ । କିନ୍ତୁ ଏବେ ବିକ୍ରି କରିବା ପାଇଁ ବଜାର ବ୍ୟବସ୍ଥା ନଥିବାରୁ କିଛି ହାତଗଣତି କାରିଗର ଏହି ବୃତିକୁ ଆପଣାଇ ମୁର୍ତି ଗଢ଼ୁଛନ୍ତି । ବର୍ଷର କେଇଟି ହାତ ଗଣତି ମେଳା ମହୋତ୍ସବକୁ ଅପେକ୍ଷା କରିବାକୁ ପଡ଼ୁଥିବା କହିଛନ୍ତି । ସରକାର ଏହି କଳାକୁ ବଂଚାଇ ରଖିବା ପାଇଁ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି କାରିଗର ।