“ଓଡିଶାର ଲୋକ କହିଲେଣି, ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲିଗଲାଣି”….. କଟକରୁ ବିଜେଡି ସରକାରକୁ ମୋଦୀଙ୍କ ଟାର୍ଟେଟ୍

362

କନକ ବ୍ୟୁରୋ: ଅନୁଗୁଳ ପରେ କଟକରୁ ମଧ୍ୟ ବିଜେଡି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧାସଳଖ ରତ୍ନଭଣ୍ଡାର ପ୍ରସଙ୍ଗ ଉଠେଇବା ସହିତ, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇ ଯାଇଛି ବୋଲି କିଛି ଲୋକ କହିବା ଆରମ୍ଭ କଲେଣି ବୋଲି କହିଛନ୍ତି ମୋଦୀ ।

ପ୍ରଧାନମନ୍ତ୍ରୀ କଟକରେ ବିଜେପି ପାଇଁ ଭୋଟ୍ ମାଗିବା ସହିତ କହିଛନ୍ତି, ୨୫ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି । ଓଡିଶାରେ ଜୁନ୍ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା, ଏହା ଧାର୍ଯ୍ୟ । ତା ସହିତ ଆପଣଙ୍କ ଆର୍ଶୀବାଦରେ ୩ୟ ଥର ମୋଦୀ ସରକାର ଦିଲ୍ଲୀରେ ଶପଥ ନେବ, ଏହା ମଧ୍ୟ ଧାର୍ଯ୍ୟ ।

ତେବେ ଆଗାମୀ ୨୫ ବର୍ଷ ଓଡିଶାର ବିକାଶ ପାଇଁ ବେଶ ଜରୁରୀ । ତେଣୁ ଓଡିଶା ଏବେ ବିଜେଡି ସ୍ଲୋ ସରକାରକୁ ପଛରେ ପକେଇ, ଡବଲ ଇଞ୍ଜିନ ବାଲା ବିଜେପି ସରକାର ଚୟନ କରିବ । ଏଠାରେ ବିଜେପିର ପୂର୍ଣ୍ଣ ବହୁମତ ସରକାର ହେବାକୁ ଯାଉଛି । ବିଜେପି ହିଁ ଆଗାମୀ ୨୫ ବର୍ଷରେ ଓଡିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ ବୋଲି କହିଛନ୍ତି ମୋଦୀ । ଅନ୍ୟପଟେ ଓଡିଶା ବିଜେଡିର ଭ୍ରଷ୍ଟାଚାରୀ ରେକର୍ଡରେ ଓଡିଶାର ଲୋକ ବୀତସ୍ପୃହ ହୋଇଗଲେଣି । ଯେଉଁ ବିଜେଡି ଚିଟଫଣ୍ଡ ଜରିଆରେ ଗରିବ ଲୋକ ଧୋକା ଦେଉଛି, ସେ ବିଜେଡି ଓଡିଶାକୁ କଣ ଦେଇଛି ବୋଲି ମୋଦୀ ପ୍ରଶ୍ନ କରିଛନ୍ତି ।

ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଯାହା ହେଉଛି, ତାକୁ ନେଇ ଓଡିଶାର ଲୋକମାନେ ରାଗିଗଲେଣି । ଲୋକ କହିଲେଣି, ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲିଗଲାଣି । ଏ ଚାବିକୁ କିଏ ତାମିଲନାଡୁ ନେଲା ବୋଲି ପ୍ରଶ୍ନ କରିବା ସହିତ ରତ୍ନଭଣ୍ଡାର ଯାଂଚ ରିପୋର୍ଟକୁ ଚାପି ଦିଆଯାଇଛି ବୋଲି କହିଛନ୍ତି ମୋଦୀ । ତତ ସହିତ ଓଡିଶାରେ ବିଜେପି ସରକାର ଆସିଲେ, ଏ ଚାବିର ରାଜ୍ ଖୋଲାଯିବ । ଯାଂଚ ରିପୋର୍ଟ ଆପଣଙ୍କ ସାମ୍ନାକୁ ଆସିବ । ଆଉ ଯଦି କେହି ଗଡବଡ କରିବ, ତେବେ ମୋଦୀ କାହାକୁ ଛାଡେନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ଯଦି ବିଜେଡି ଓଡିଶାକୁ କିଛି ଦେଇଛି, ତେବେ ଓଡିଶାକୁ ଲ୍ୟାଣ୍ଡ ମାଫିଆ, ସ୍ୟାଣ୍ଡ ମାଫିଆ, କୋଲ୍ ମାଫିଆ ଏବଂ ମାଇଂନି ମାଫିଆ ଦେଇଛି ବିଜେଡି । ବିଜେଡି ବିଧାୟକ ଏବଂ ମନ୍ତ୍ରୀ ଚବିଶି ଘଣ୍ଟା ଏହି କାମରେ ଲାଗିଛନ୍ତି । ବିଜେଡି ସରକାର କେମିତି କାମ କରୁଛି, ଏହାର କଚ୍ଚା ଚିଠା ଲୋକଙ୍କ ସାମ୍ନାକୁ ଆସୁଛି । ଯେବେଠୁ ମୋଦୀ ସରକାର ହେଇଛି, ସେବେଠୁ ଓଡିଶାର ବିକାଶ ପାଇଁ ରେକର୍ଡ ପଇସା ଓଡିଶାକୁ ପଠାଯାଇଛି ବୋଲି ମୋଦୀ କହିଛନ୍ତି । ହେଲେ ବିଜେଡିର ଭ୍ରଷ୍ଟାଚାରୀ ସରକାର ଏ ଟଙ୍କାର ଗୋଳମାଲ କରୁଛି । ଏଠି ସଡକ, ବିଜୁଳି,ପାଣି, ସ୍କୁଲ, କଲେଜ ଏବଂ ହସ୍ପିଟାଲର ଅଭାବ ଅଛି । ତେବେ ଏ ପଇସା କାହା ପକେଟକୁ ଗଲା? ବୋଲି ପ୍ରଶ୍ନ କରିଛନ୍ତି ମୋଦୀ ।