କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଦିଲ୍ଲୀରେ ପହଁଚିଲା ଚାଷୀ ସଂଗଠନ ବିକେୟୁ । ଚାଷୀ ନେତା କହିଲେ ନ୍ୟାୟ ପାଇଁ ରାଷ୍ଟ୍ରପତି ଓ କେନ୍ଦ୍ର ସରକାରଙ୍କୁ ଭେଟି ଜଣାଇବେ ସମସ୍ୟା

109

କନକ ବ୍ୟୁରୋ : ଗୋଟିଏ ମାସରୁ ଅଧିକ ସମୟ ବିତିଗଲାଣି । ଚାଲିଛି ନ୍ୟାୟ ଦାବିରେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ସେପଟେ ରାଜନେତାଙ୍କଠୁ ନେଇ ଚାଷୀ ନେତା, ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ମଧ୍ୟ କୁସ୍ତିଯୋଦ୍ଧାଙ୍କୁ ନିଜର ସମର୍ଥନ ଜଣାଉଛନ୍ତି । ଏହା ଭିତରେ ଜୁନ ୧ରେ ଚାଷୀ ସଂଘ ବିକେୟୁ ଦିଲ୍ଲୀରେ ପହଁଚିଛି । କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇବା ସହ ଦେଶବ୍ୟାପି ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛି ଚାଷୀ ସଂଘ । ଏହା ପୂର୍ବରୁ ଗୁରୁବାର ଦିଲ୍ଲୀରେ ବସିଛି ବୈଠକ । ସେପଟେ କୁସ୍ତିଯୋଦ୍ଧାଙ୍କ ସମର୍ଥନ ଜଣାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ । ଘଟଣାକୁ ନେଇ ଟୁଇଟ କରି ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ଆଇନଜୀବୀ ଓ କଂଗ୍ରେସ ନେତା କପିଲ ସିବଲ ।

ଦିଲ୍ଲୀରେ ଯାଇ ବିଦେଶରେ ଚର୍ଚ୍ଚା ସାଉଁଟିଛି କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ । ୟୁଡବ୍ଲୁଡବ୍ଲୁ ପରେ ଅର୍ନ୍ତଜାତୀୟ ଅଲମ୍ପିକ ସଂଘ କୁସ୍ତିଯୋଦ୍ଧାଙ୍କ ଉପରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଟାନଙ୍କୁ ନିନ୍ଦା କରିଛି । କୁସ୍ତିଯୋଦ୍ଧା ଗଙ୍ଗାନଦୀରେ ନିଜ ପଦକ ଭସାଇବା ପାଇଁ ଜିଦରେ ଅଡିବସିିଥିବାବେଳ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ବୟାନ ସାମ୍ନାକୁ ଆସିଛି । ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଧର୍ଯ୍ୟ ଧରିବାକୁୁ ଓ ଭାରତୀୟ କ୍ରୀଡା ଜଗତକୁ ଆଘାତ ଦେବା ଭଳି କୌଣସି ପଦକ୍ଷେପ ନନେବାକୁ ସେ ଅପିଲ କରିଛନ୍ତି ।

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ମାମଲାର ତଦନ୍ତ ଚାଲିଛି । ତଦନ୍ତ ରିପୋର୍ଟ ଆଧାରରେ ଆଗକୁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଗୋଟେ ପଟେ ନ୍ୟାୟ ଦାବିରେ ଅଡିବସିଛନ୍ତି କୁସ୍ତିଯୋଦ୍ଧା ସେପଟେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ବ୍ରିଜଭୂଷଣଙ୍କ ବିରୋଧରେ ଜୋରଦାର ପ୍ରଦର୍ଶନ ଆରମ୍ଭ କରିଛି ।

ଭାରତୀୟ କୁସ୍ତିମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ବିରୋଧରେ ଯୌନଶୋଷଣ ଅଭିଯୋଗ ଆଣି ପଦରୁ ହଟାଇବା ଓ ଗିରଫ ଦାବିରେ ଆନ୍ଦୋଳନ କରୁଛନ୍ତି । ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରି ପାଲଟା ଚ୍ୟାଲେଂଜ ଦେଇ ବ୍ରିଜଭୂଷଣ କହିଛନ୍ତି ଦୋଷୀ ପ୍ରମାଣ ହେଲେ ଫାଶୀଖୁଂଟରେ ଝୁଲିବାକୁ ପ୍ରସ୍ତୁତ ।