ଆଇପିଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ତେଜିଲା ରାଜନୀତି, ମୁହାଁମୁହିଁ ବିଜେଡି-ବିଜେପି

435

କନକ ବ୍ୟୁରୋ: ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ନିର୍ବାଚନ କମିସନଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ତେଜିଲା ରାଜନୀତି । ଆଇପିଏସ୍ ଅଧିକାରୀ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ସସ୍ପେଣ୍ଡ କରାଯିବା ପରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି ନେତା । ଇସିଆଇ ଏକ ପାଖିଆ ହୋଇ କାର୍ଯ୍ୟାନୁଷ୍ଠାନ ନେଇଥିବା ବିଜେଡି ଅଭିଯୋଗ କରିଛି । ଆଉ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍ । ସେପଟେ ବିଜେପି କହିଛି, କ୍ଷମତାର ଅପ ବ୍ୟବହାର କଲେ କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ବିଜେପି ନେତା ଭର୍ତୃହରି ମହତାବ ।

ଠିକ୍ ନିର୍ବାଚନୀ ପରିବେଶ ସରଗରମ ଥିବା ବେଳେ ଦୁଇ ବରିଷ୍ଠ ଆଇପିଏସ୍ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେ ଏବଂ ଆଶିଷ ସିଂଙ୍କ ବିରୋଧରେ, ନିର୍ବାଚନ କମିଶନ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବୟାନବାଜି ତେଜିବାରେ ଲାଗିଛି । ଡି.ଏସ୍ କୁଟ୍ଟେଙ୍କୁ ଚାକିରିରୁ ସସପେଣ୍ଡ କରିବା ଘଟଣାରେ ବିଜେଡି ନେତା ଭି.କେ ପାଣ୍ଡିଆନ୍ କହିଛନ୍ତି -ଏହା ଏକ ଦୁର୍ଭାଗ୍ୟଜନକ କଥା, ସେ ଜଣେ ସଚ୍ଚୋଟ ଅଧିକାରୀ । ଜୀବନକୁ ବାଜି ଲଗାଇ ସେ ନକ୍ସଲଙ୍କ ସହ ଲଢିଛନ୍ତି । ରାଜନୈତିକ ଉଦ୍ଦେଶ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେପଟେ ବିଜେପି ନେତା ଭର୍ତୃହରି ମହତାବ ସାମ୍ବାଦିକ ସମ୍ମିଳୀ କରି କହିଛନ୍ତି- ନିର୍ବାଚନ କମିଶନ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସେହିପରି ସରକାରୀ ଅଧିକାରୀ ଭାବେ କ୍ଷମତାର ଦୁର୍ବ୍ୟବହାର କଲେ କାହାରିକୁ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ବୟାନବାଜି ଏତିକିରେ ସରିନଥିଲା, ବିଜେଡିର ଏକ ୪ ଜଣିଆ ସଦସ୍ୟ ଦଳ ସାମ୍ବାଦିକ ସମ୍ମିଳନୀ କରିବା ସହ ଏହି ପ୍ରସଙ୍ଗରେ ପ୍ରତିକ୍ର୍ରିୟା ରଖିଥିଲେ । ଓଡିଶାରେ ବିଜେପିର ସାହାସ ନାହିଁ ବିଜେଡି ସହ ଲଢିବାକୁ ସେଥିପାଇଁ ଅଫିସରଙ୍କ ପଛରେ ପଡିଛି ବୋଲି ବିଜେଡି ଅଭିଯୋଗ କରିଛି । ସେପେଟ ବିଜେପିର ପୂର୍ବତନ ରାଜ୍ୟ ସଭାପତି-ସମୀର ମହାନ୍ତି ବିଜେଡିକୁ କଟାକ୍ଷ କରିଛନ୍ତି ।

ସେପଟେ ବିଶେଷଜ୍ଞଙ୍କ ମତରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଏକ ସ୍ୱାଭାବିକ ପ୍ରକ୍ରିୟା । ନିର୍ବାଚନ ପରିଚଳନା କ୍ଷେତ୍ରରେ ଅଯଥା ହସ୍ତକ୍ଷେପ କାରଣ ଦର୍ଶାଇ ବରିଷ୍ଠ ଆଇପିଏସ ଧୀରେନ୍ଦ୍ର ଶମ୍ଭାଜୀ କୁଟ୍ଟେଙ୍କୁ ନିର୍ବାଚନ କମିଶନ ଚାକିରିରୁ ସସପେଣ୍ଡ କରିଥିଲେ । ସେହିଭଳି ବରିଷ୍ଠ ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ । ଏହାଛଡା ପ୍ରଶାନ୍ତ ଜଗଦେବଙ୍କ ଇଭିଏମ ଭଙ୍ଗାରୁଜା ଅଭିଯୋଗର ତଦନ୍ତ ପାଇଁ ବି ନିର୍ଦ୍ଦେଶ ଦେଇଥିଲେ ।