ବସ୍ତିରୁ ବାହାରିଲେ ଟପ୍ପର । ଯୁକ୍ତ ୨ ବିଜ୍ଞାନରେ ଭୁବନେଶ୍ୱର ଟପ୍ପର ହେଲେ ବର୍ଷାରାଣୀ ସ୍ୱାଇଁ । ସେପଟେ ପାଠ ପଢିବା ପାଇଁ ଶ୍ରମିକ ସାଜିଥିବା ରାଣୀ ହେମ୍ରମଙ୍କ ସଫଳତା

2,853

କନକ ବ୍ୟୁରୋ: ଯେତେବେଳେ ବହୁ ପିଲା ପଢ଼ିବା ପାଇଁ ସବୁ ସୁବିଧା ସୁଯୋଗ ପାଇବା ସତ୍ୱେ ବି ପରୀକ୍ଷାରେ ଭଲ କରିପାରନ୍ତି ନାହିଁ । ସେତିକିବେଳେ ଏମିତି ବି କିଛି ପିଲା ଅଛନ୍ତି, ଯେଉଁମାନେ ସବୁ ଅଭାବ ଅସୁବିଧା ସତ୍ୱେ ବି ପରୀକ୍ଷାରେ ଭଲ କରନ୍ତି, ଆଉ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜନ୍ତି ।

  • ବସ୍ତି ଝିଅ ଭୁବନେଶ୍ୱର ଟପ୍ପର
  • +୨ ବିଜ୍ଞାନରେ ରଖିଲେ ୯୪%

ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପରେ ଭୁବନେଶ୍ୱର ବେହେରା ସାହିର ଏ ଘର ଖୁସିରେ ପୁରି ଉଠିଥିଲା । ଯୁକ୍ତ ଦୁଇ ବିଜ୍ଞାନରେ ଏହି ଗରିବ ପରିବାରର ଝିଅ ବର୍ଷା ରାଜଧାନୀର ଟପ୍ପର ହୋଇଛି ଜାଣି ବାପା-ମାଆଙ୍କ ପାଦ ମାଟିରେ ଲାଗୁନଥିଲା । ପ୍ରତିକୁଳ ପରିସ୍ଥିତ ସତ୍ୱେ ବର୍ଷାରାଣୀ ସ୍ୱାଇଁ ଯୁକ୍ତ ଦୁଇ ପରୀକ୍ଷାରେ ମୋଟ ୬୦୦ ମାର୍କରୁ ୫୬୪ ରଖି ଭୁବନେଶ୍ୱରରେ ଟପ୍ପର ହୋଇଛନ୍ତି । ଆଗକୁ ସେ ଡାକ୍ତର ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଗରିବ ପରିବାରରେ ଜନ୍ମିତ ବର୍ଷାରାଣୀ ସ୍ୱାଇଁ ପାଠ ପଢାରେ ଯେମିତି ମାହିର, ସେପରି ଚିତ୍ରାଙ୍କନ ବି ଭଲ କରନ୍ତି । ଘରେ ସଜାଇ ରଖାଯାଇଛି ବିଭିନ୍ନ ପ୍ରତିଯୋଗିତାରେ ବର୍ଷା ପାଇଥିବା ପୁରସ୍କାର । ବେହେରା ସାହିର ସନ୍ତୋଷ ସ୍ୱାଇଁଙ୍କ ଝିଅ ବର୍ଷାରାଣୀ । ବାପା ଇନ୍ଦଧନୁ ମାର୍କେଟରେ ପଙ୍ଖା ସଜାଡି ପରିବାର ଚଳାନ୍ତି । ଛୋଟ ବେଳୁ ବର୍ଷା ପାଠ ପଢାରେ ଆଗ୍ରହ ଦେଖି ସେ କେବେ ଝିଅର ପଢା ବାବଦରେ ହେଳା କରିନାହାନ୍ତି । ଆଉ ଆଜି ବର୍ଷା ନା କେବଳ ବାପା ମାଆ କି ବେହେରା ସାହି ସାରା ଭୁବନେଶ୍ୱରର ଗର୍ବ ଓ ଗୌରବ ପାଲଟିଛନ୍ତି ।

  • ଦିନ ମଜୁରିଆ ଛାତ୍ରୀଙ୍କ ସଫଳତା
  • +୨ ବିଜ୍ଞାନରେ ପାଇଲେ ୮୧% ମାର୍କ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ସଙ୍ଗମ ଗାଁର ରାଣୀ ହେମ୍ରମ । ଯୁକ୍ତ ଦୁଇ ବିଜ୍ଞାନରେ ୫୧୧ ମାର୍କ ରଖି ପାସ କରିଛନ୍ତି । ହେଲେ ରାଣୀଙ୍କ ଏହି ସଫଳତା ପଛରେ ରହିଛି ଗରିବି ଓ ସଂଘର୍ଷର କାହାଣୀ । ଉଚ୍ଚ ଶିକ୍ଷାରେ ଅର୍ଥ ବାଧକ ହେବାକୁ ପର ଘରେ ମୂଲ ଲାଗି ଅର୍ଥ ସଞ୍ଚୟ କରୁଥିଲେ । ଏହି ଖବର କନକ ନ୍ୟୁଜରେ ପ୍ରସାରଣ ପରେ ରାଣୀଙ୍କ ପାଖକୁ ସହାୟତାର ସୁଅ ଛୁଟିଥିଲା । ଆନନ୍ଦପୁର ବିଧାୟକ ରାଣୀ ହେମ୍ରମଙ୍କୁ ପୋଷ୍ୟ ଝିଅ ଘୋଷଣା କଲେ । ସମାଜସେବୀ ନିବେଦିତା ଲେଙ୍କା ରାଣୀଙ୍କୁ ଗାଁରୁ ଆଣି ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢାଇଲେ । ଆଉ ଏବେ ରାଣୀ ଯୁକ୍ତ ଦୁଇ ବିଜ୍ଞାନରେ ୫୧୧ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଏହି ଖୁସିର ଅବସରରେ ସେ କନକ ନ୍ୟୁଜକୁ ଧନ୍ୟବାଦ ଜଣାଇଛନ୍ତି ।

ଅଭାବ ଅନଟନ, ସମସ୍ତ ବାଧା ବିଘ୍ନ ସତ୍ୱେ ପାଠ ପଢା ପ୍ରତି ନିଷ୍ଠା ଓ କଠିଣ ପରିଶ୍ରମ ହିଁ ବର୍ଷାରାଣୀ ଓ ରାଣୀଙ୍କୁ ସଫଳତା ଆଣିଦେଇଛି । ଆଉ ତାଙ୍କ ସଂଘର୍ଷର କାହାଣୀ ଅନକେ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଯୋଗାଇବ ନିଶ୍ଚୟ ।