ଗୁଜରାଟରେ ତାଣ୍ଡବ ରଚିବା ପରେ ଏବେ ରାଜସ୍ଥାନ ମୁହାଁ ବପର୍ଯ୍ୟୟ । ପ୍ରବଳ ବର୍ଷା, ଟ୍ରେନ୍ ରଦ୍ଦ, ସ୍କୁଲ କଲେଜ ବନ୍ଦ

236

କନକ ବ୍ୟୁରୋ : ଗୁଜରାଟରେ ଅଶାତୀତ କ୍ଷତି କରିବା ପରେ ଏବେ ରାଜସ୍ଥାନ ମୁହାଁ ହୋଇଛି ବାତ୍ୟା ବିପର୍ଯ୍ୟୟ । ଏହି ବାତ୍ୟା ପ୍ରଭାବରେ ରାଜସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ବାଡମେର ଜିଲ୍ଲା ଏବେ ଜଳମୟ ହୋଇଛି । ଏହାସହ ପବନର ଗତି ବଢିବାରେ ଲାଗିଛି । ତୀବ୍ରଗତିରେ ପବନ ଫଳରେ ଜେସଲମେରରେ ଗଛ ଭାଙ୍ଗିବା ସହ କିଛି ପୋଲ ମଧ୍ୟ ଭାଙ୍ଗିଯାଇଛି ।

ବାତ୍ୟା ପାଇଁ ଶୁକ୍ରବାର ଓ ଶନିବାର ରାଜସ୍ଥାନର ୫ଟି ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି । ଏହାସହ ୧୩ ଜିଲ୍ଲାକୁ ଅରେଞ୍ଚ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ମୁତାବକ ୨୪ ଘଂଟା ମଧ୍ୟରେ ରାଜସ୍ଥାନରେ ୨୦୦ ମିଲିମିଟର ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ସେପଟେ ବାତ୍ୟାକୁ ନଜରରେ ରଖି ପାକିସ୍ତାନ ସୀମାକୁ ଲାଗିଥିବା ୫ଟି ଗାଁର ୫ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏହାସହ ରେଳ ବିଭାଗ ବି ବାତ୍ୟାକୁ ନେଇ ସଜାଗ ହୋଇଛି । ଏନେଇ ରେଳ ବିଭାଗ ତରଫରୁ ଜୁନ ୧୭ ତାରିଖ ପାଇଁ ୧୩ଟି ଟ୍ରେନ ଚଳାଚଳ ରଦ୍ଦ କରାଯାଇଛି । ଏହାସହ ଯୋଦ୍ଧପୁର ଜିଲ୍ଲାପାଳ ୧୬ ଓ ୧୭ ତାରିଖ ଦୁଇଦିନ ପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିଛନ୍ତି ।