ହନ୍ତସନ୍ତ କରୁଛି ଖରା ଓ ଗୁଳୁଗୁଳି : ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି

550

କନକ ବ୍ୟୁରୋ : ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ । ଯେଉଁ ସମୟରେ ମୌସୁମୀ ଛୁଇଁବା କଥା, ସେହି ସମୟରେ ଡହଡହ ଖରା ଓ ଗୁଳୁଗୁଳିରେ ସିଝୁଛି ଓଡ଼ିଶା । କେବେ ମୌସୁମୀ ଆସିବ, ତାହା ତ ସ୍ପଷ୍ଟ ହୋଇପାରୁନାହିଁ । କିନ୍ତୁ ତାତି ଆହୁରି କଲବଲ କରିବ ବୋଲି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ କହିଛନ୍ତି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆହୁରି ୩ରୁ ୪ ଦିନ ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିବ ।

ଅର୍ଥାତ୍ ପୂର୍ବରୁ ଯେଉଁ କୁହାଯାଉଥିଲା, ରଜ ପରେ ଗରମରୁ ଆଶ୍ୱସ୍ତି ମିଳିବ, ତାହା ମିଳିବା ଭଳି ଲାଗୁନାହିଁ । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆସନ୍ତାକାଲି ଯାଏଁ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଗୁଳୁଗୁଳି ଜାରି ରହିବାର ସମ୍ଭାବନା ରହିଛି । ସେହିପରି ପଶ୍ଚିମ ଓଡ଼ିଶାରେ ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ଲହରି ଜାରି ରହିବ । ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜି ପାଇଁ ୧୪ରୁ ୧୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି । ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଓ ‌ସୋନପୁର ଜିଲ୍ଲା ପାଇଁ ଅଂଶୁଘାତଜନିତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ନୟାଗଡ଼, କଟକ, ଖୋର୍ଦ୍ଧା ଓ ନୂଆପଡ଼ାରେ ଅଂଶୁଘାତଜନିତ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୯ ତାରିଖ ଯାଏ ଏହିଭଳି ୱାର୍ଣ୍ଣିଂ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି। ଅନ୍ୟପଟେ କିଛିକିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ମଧ୍ୟ ରହିଛି । ତେବେ ୧୯ ଓ ୨୦ରୁ ବର୍ଷାର ପ୍ରକୋପ ବଢ଼ିବ । ଏବଂ ୧୮ରୁ ୨୧ ତାରିଖ ଭିତରେ ପୂର୍ବ ଭାରତର ରାଜ୍ୟ ଗୁଡ଼ିକରେ ମୌସୁମୀ ପ୍ରବେଶ ପାଇଁ ପାଗ ଅନୁକୂଳ ରହିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି ।