ଓମିକ୍ରନ ଭୟ ଭିତରେ ଘୁଂଚିବ କି ୟୁପି ନିର୍ବାଚନ? ଆହ୍ଲାବାଦ ହାଇକୋର୍ଟଙ୍କ ପରାମର୍ଶ ପରେ ଆକ୍ସନ ମୋଡରେ ନିର୍ବାଚନ କମିଶନ

78

କନକ ବ୍ୟୁରୋ: ଦେଶରେ କରୋନା ସଂକ୍ରମଣର ଭୟାବହତା ବଢୁଛି । ଏହାରି ଭିତରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ୟୁପି ଏବଂ ଅନ୍ୟାନ୍ୟ ରାଜ୍ୟରେ ରାଜନତିକ ଦଳମାନେ ବଡ ବଡ ରାଲି ଆରମ୍ଭ କରିଦେଇଛନ୍ତି । ଏହାକୁ ନଜରରେ ରଖି ଆହ୍ଲାବାଦ ହାଇକୋର୍ଟ ନିର୍ବାଚନ ଘୁଂଚାଇବାକୁ ନିର୍ବାଚନ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଉତର ପ୍ରଦେଶ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଅଖିଳେଶ ଯାଦବ ନିଜ ନିଜ ଦଳ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି । ନିଜ ନିଜର ଶକ୍ତି ପ୍ରଦର୍ଶନ ପାଇଁ ସମର୍ଥକଙ୍କ ଗହଳି ମଧ୍ୟ ଭରପୁର ରହିଛି । ନାଁ ରହୁଛି ମାସ୍କ, ନା ଅଛି ସାମାଜିକ ଦୂରତା । କରୋନା ଭିତରେ ଏପରି ରାଲି ବଢାଇଛି ଚିନ୍ତା ।

କରୋନା ସଂକ୍ରମଣର ଭୟବହତା, ନୂଆ ଭ୍ୟାରିଆଂଟ ଓମିକ୍ରନର ଚ୍ୟାଲେଞ୍ଜ ଏବଂ ବଡ ବଡ ରାଜନୈତିକ ରାଲିର ଭିଡକୁ ଦେଖି ନିର୍ବାଚନ ଘୁଂଚାଇବାକୁ ପରାମର୍ଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହାପରେ ନିର୍ବାଚନ ଘୁଂଚିପାରେ ବୋଲି ଆଶଙ୍କା କରାଯାଉଛି । ଯଦିିଓ ଏବେ ୟୁପିରେ କରୋନା ସଂକ୍ରମଣ ଦିଲ୍ଲୀ, ମହାରାଷ୍ଟ୍ର ଏବଂ ତାମିଲନାଡୁଠୁ କମ୍ ରହିଛି ହେଲେ ସମ୍ଭାବ୍ୟ ଆଶଙ୍କା କରି ନିର୍ବାଚନ ତାରିଖ ଘୁଂଚିପାରେ ବୋଲି କୁହାଯାଉଛି ।

ଚଳିତବର୍ଷ ଡେଲଟା ଭ୍ୟାରିଆଂଟ ବେଳେ ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା । ଆଉ ଏହି ସମୟରେ କରୋନା ସଂକ୍ରମଣ ପିକରେ ପହିଂଚିଥିଲା । ଅନେକ ପ୍ରାଣ ମଧ୍ୟ ହରାଇଥିଲେ । ଏହାକୁ ନେଇ ସେତେବେଳେ ମାଡ୍ରାସ ହାଇକୋର୍ଟ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଥିଲେ । ଏବେ ଆହ୍ଲାବାଦ ହାଇକୋର୍ଟ ସମ୍ଭାବ୍ୟ ଆଶଙ୍କାକୁ ଦେଖି ୟୁପି ବିଧାନସଭା ନିର୍ବାଚନ ଘୁଂଚାଇବାକୁ ପରାମର୍ଶ ଦେଇଛନ୍ତି ।

ଆସନ୍ତାବର୍ଷ ୫ ରାଜ୍ୟର ବିଧାନସଭା ନିର୍ବାଚନ ରହିଛି । ଏହା ପୂର୍ବରୁ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ସମୀକ୍ଷା କରୁଛନ୍ତି ନିର୍ବାଚନ କମିଶନ । ଗୋଆ ପରେ ଏବେ ଉତରାଖଣ୍ଡ ଯିବେ ନିର୍ବାଚନ ଅଧିକାରୀ । ଏହାପରେ ସ୍ଥିତି ଦେଖି ନିର୍ବାଚନ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ ।

ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀରେ ଓମିକ୍ରନ ସଂକ୍ରମଣ ବଢିବାରେ ଲାଗିଛି । ଯାହାକି କେନ୍ଦ୍ର ଓ ସଂପୃକ୍ତ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଅନ୍ୟପଟେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟକୁ କଟକଣା ଲଗାଇବା ସହିତ ଟିକାଟକରଣକୁ ଜୋରଦାର କରିବାକୁ କେନ୍ଦ୍ର କହିଛିା