ଧାମନଗର ଉପନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିବ କି ନିଯୁକ୍ତି ? ଏପଟେ ଠିକା ଚାକିରି ଉଚ୍ଛେଦ ନେଇ ରାଜସ୍ଥାନ ସରକାରଙ୍କ ବିଜ୍ଞାପନ ।

71

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ଭୋଟର ତାଲିକାରେ ସାମିଲ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ପ୍ରାର୍ଥୀ ଉଦ୍ୟମ ଚଲାଇଛନ୍ତି । ଧାମନଗରରେ ନିଯୁକ୍ତି ଓ ରୋଜଗାର ବଡ ସମସ୍ୟା ଥିବାରୁ ଯୁବ ଗୋଷ୍ଠୀଙ୍କୁ ରୋଜଗାର ପ୍ରତିଶ୍ରୁତି ଦେଉଛନ୍ତି ପ୍ରାର୍ଥୀ । ନିର୍ବାଚନୀ ମାହୋଲରେ ନିଯୁକ୍ତି ଏବେ ବଡ ପ୍ରସଙ୍ଗ ଭାବେ ଉଭା ହୋଇଛି । କିଛି ଦିନ ତଳେ ଓଡିଶାରୁ ଠିକା ନିଯୁକ୍ତି ହଟାଇ ଦେଇଛନ୍ତି ରାଜ୍ୟ ସରକାର । ଗତକାଲି ରୋଜଗାର ମେଳା ଆୟୋଜନ କରି ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ରାଜସ୍ଥାନ ସରକାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଦୀପାବଳି ଭେଟି ଭାବେ ସ୍ଥାୟୀ ନିଯୁକ୍ତି କରିବାକୁ ଘୋଷଣା କରିଛନ୍ତି ।

  • ଧାମନଗରରେ ପ୍ରସଙ୍ଗ ପାଲଟିବ କି ବେକାରି?
  • ଯୁବକ କହିଲେ ମିଳୁଛି ପ୍ରତିଶ୍ରୁତି, ମିଳୁନି ଚାକିରି

ଧାମନଗର ଉପନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡିକର ଜୋରଦାର ପ୍ରଚାର । ଗାଁ କୁ ଗାଁ ବୁଲୁଛନ୍ତି ନେତା ଓ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ । ଜିତିଲେ ଅଞ୍ଚଳବାସୀଙ୍କ ପାଇଁ କଣ କରିବେ ସେନେଇ ଦେଉଛନ୍ତି ମାଳମାଳ ପ୍ରତିଶ୍ରୁତି । ବିଶେଷ କରି ନୂଆକରି ଭୋଟର ତାଲିକାରେ ସାମିଲ ହୋଇଥିବା ଯୁବବର୍ଗଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରୟାସ କରିଥାନ୍ତି ସମସ୍ତ ପ୍ରାର୍ଥୀ । କାରଣ ହାର-ଜିତ ପାଇଁ ନିର୍ଣ୍ଣାୟକ ହୋଇଥାଏ ଯୁବପିଢିଙ୍କ ଭୋଟ୍ । ହେଲେ ନିଯୁକ୍ତି ସୁଯୋଗ ନଥିବାରୁ ଅଞ୍ଚଳର ଲୋକେ ବାହାରକୁ ଦାଦନ ଖଟିବାକୁ ଯାଉଥିବା କହିଛନ୍ତି ସ୍ଥାନୀୟ ଯୁବକ । ଆଉ ଯୁବଗୋଷ୍ଠୀ ଭିତରେ ଥିବା ଏହି ଅସନ୍ତୋଷକୁ ପୁଞ୍ଜି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ମୈଦାନକୁ ଓହାଲଇଥିବା ପ୍ରାର୍ଥୀ ।

ଆଜି ଓଡିଶାର ପ୍ରମୁଖ ଖବରକାଗଜରେ ରାଜସ୍ଥାନ ସରକାରଙ୍କ ଏକ ବିଜ୍ଞାପନ ପ୍ରକାଶ ପାଇଛି । ଏଥିରେ ଚୁକ୍ତିଭିତିକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଅଶୋକ ଗେହଲଟ ସରକାର । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ସବୁ ରାଜନୈତିକ ଦଳଙ୍କ ପାଇଁ ଚାକିରି ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି । ବିଜେଡି, ବିଜେପି ପରେ କଂଗ୍ରେସ ମଧ୍ୟ ନିଯୁକ୍ତିକୁ ନେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରୁଛି ।

କେମିତି ମିଳିବ ଚାକିରି? କେବେ ମିଳିବ ନିଯୁକ୍ତି? ଏନେଇ ଯୁବପିଢିଙ୍କ ମନରେ ସବୁବେଳେ ପ୍ରଶ୍ନ ଉଙ୍କିମାରିଥାଏ । ଆଉ ଯେତେବେଳେ ନିଯୁକ୍ତି ମିଳିବା କଥା ଶୁଣିବାକୁ ମିଳେ, ସେତେବେଳେ ଖୁସି କହିଲେ ନସରେ । ଦେଶରେ ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ ରହିଛନ୍ତି । ଚାକିରି ପାଇଁ ଏମାନେ ଅନାଇ ବସିଛନ୍ତି । ସରକାର ନିଯୁକ୍ତି ଦେବା ନେଇ ଘୋଷଣା କରୁଛନ୍ତି । ହେଲେ ପ୍ରତିଶ୍ରୁତି ହିସାବରେ ଚାକିରି ମିଳୁନାହିଁ । ଯାହାକୁ ନେଇ ସରକାର ବାରମ୍ବାର ସମାଲୋଚନାର ଶିକାର ହେଉଛନ୍ତି । ସରକାରଙ୍କୁ ଟାର୍ଗେଟ୍ କରୁଛନ୍ତି ବିରୋଧୀ । କିଛି ଦିନ ତଳେ ଠିକା ନିଯୁକ୍ତି ପ୍ରଥା ହଟାଇ ଦେଇଥିଲେ ରାଜ୍ୟ ସରକାର । ଘୋଷଣା ପରେ ସେଲିବ୍ରେସନ୍ କରିଥିଲେ ସେମାନେ । ସରକାରୀ ଚାକିରି ପ୍ରତି ଯୁବପିଢିଙ୍କ ଅହେତୁକ ଆଗ୍ରହ ଏଥିରୁ ସ୍ପଷ୍ଟ ଜଣାପଡ଼ୁଥିଲା । ଏହାରି ଭିତରେ ମୋଦୀ ସରକାର ସରକାରୀ ଚାକିରି ଦେବା ପାଇଁ ନିଯୁକ୍ତି ମେଳାର ଆୟୋଜନ କରିଛନ୍ତି । ୭୫ ହଜାର ନିଯୁକ୍ତିପତ୍ର ବାଣ୍ଟିଛନ୍ତି ମୋଦୀ ସରକାର । ଦେଢ ବର୍ଷରେ ୧୦ ଲକ୍ଷ ସରକାରୀ ଚାକିରି ପାଇଁ ମୋଦୀ ସରକାର ଘୋଷଣା କରିଛନ୍ତି । ଆଉ ଏବେ ରାଜସ୍ଥାନରେ କଂଗ୍ରେସ ସରକାର ୧ ଲକ୍ଷ ୧୦ ହଜାର ଠିକା ଚାକିରିଆଙ୍କୁ ସ୍ଥାୟୀ ନିଯୁକ୍ତି ଘୋଷଣା କରିଛନ୍ତି ।