ଚାକିରି ପଛରେ ନପଡ଼ି ଛତୁ ଓ କୁକୁଡ଼ା ଚାଷ କରି ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଯୁବକ । ବାର୍ଷିକ ପାଖାପାଖି ୪ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି

144

କନକ ବ୍ୟୁରୋ : ଆଜିକାଲି ପ୍ରାୟ ଅଧିକାଂଶ ଲୋକ ଅନ୍ୟ ପାଖରେ ଚାକିରି କରି ରୋଜଗାର କରିବା ଅପେକ୍ଷା ନିଜସ୍ୱ ଉଦ୍ୟମରେ ନିଜେ କିଛି କରିବାକୁ ପସନ୍ଦ କରୁଛନ୍ତି । ବିଶେଷକରି ଚାଷ କାମରେ ମନନିବେଶ କରୁଛନ୍ତି ଯୁବପିଢି । କମ୍ ସମୟରେ କିଭଳି ଭଲ ରୋଜଗାର କରିହେବ ସେହି ଉପାୟ ଆପଣାଉଛନ୍ତି । ସେହିପରି ଜଣେ ବ୍ୟକ୍ତି ହେଉଛନ୍ତି ଯାଜପୁର ଦାନଗଦି ବ୍ଲକ ତ୍ରିଜଙ୍ଗା ଗାଁର ରବିନ୍ଦ୍ର କୁମାର ପାତ୍ର । ରବିନ୍ଦ୍ର ଏକ ଘରୋଇ କମ୍ପାନୀରେ ଚାକିରି କରିଥିବା ବେଳେ ଏଥିରେ ତାଙ୍କର ପରିବାର ଚଳାଇବା କଷ୍ଟକର ହେଉଥିଲା । ତେଣୁ ଚାକିରି ଛାଡ଼ି ଏବେ ଛତୁ ଓ କୁକୁଡ଼ା ଚାଷ କରୁଛନ୍ତି ରବିନ୍ଦ୍ର । ବିଶେଷକରି ବର୍ଷାଦିନେ ପାଳଛତୁ ଚାଷ ଭଲ ହୋଇଥାଏ । ଆଉ କମ୍ ସମୟରେ ଭଲ ଅମଳ ମଧ୍ୟ ହୋଇଥାଏ । ତେଣୁ ଏହି ଚାଷ କରି ସେ ଭଲ ରୋଜଗାର କରିପାରୁଛନ୍ତି ।

ଖାଲି ଛତୁ ନୁହେଁ ବ୍ରଏଲର କୁକୁଡ଼ା ଫାର୍ମ ମଧ୍ୟ କରିଛନ୍ତି ରବିନ୍ଦ୍ର । ନିଜସ୍ୱ ଜମିରେ ଏକ ଫାର୍ମ କରି ଏହାର ଦେଖାରଖା ବି ସେ କରୁଛନ୍ତି । କୁକୁଡ଼ାକୁ ଖାଦ୍ୟ ଦେବା, କୁକୁଡ଼ାଙ୍କ ଯତ୍ନ ନେବା ଭଳି କାମ କରନ୍ତି ରବିନ୍ଦ୍ର । ଉତ୍ପାଦିତ ସାମଗ୍ରୀକୁ ସ୍ଥାନୀୟ ବଜାର ସହ ଜିଲ୍ଲା ବାହାରକୁ ରପ୍ତାନି କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି । ଚାଷକୁ ଆପଣାଇ ରୋଜଗାରକ୍ଷମ ହେବା ସହ ଭଲରେ ପରିବାର ଚଳାଇପାରୁଛନ୍ତି ରବିନ୍ଦ୍ର ।

ଅନେକ ଯୁବକ ଯୁବତୀ ସରକାରୀ ଚାକିରି ପଛରେ ଗୋଡ଼ାଇ ସମୟ ଅତିବାହିତ କରୁଛନ୍ତି । ଶେଷରେ ଚାକିରି ନପାଇ ବେକାର ବୁଲୁଛନ୍ତି । ଏଭଳି ସ୍ଥିତିରେ ରବିନ୍ଦ୍ରଙ୍କ ଭଳି ଜଣେ ଉଦ୍ୟମି ମଣିଷ ସ୍ଥାନୀୟ ଅଂଚଳରେ ପ୍ରେରଣା ପାଲଟିଛନ୍ତି ।