କଂସା ଓ ପିତଳର ବାସନ କୁସନ ପାଇଁ ଯାଜପୁର କୁଣ୍ଡପାଟଣା ଗାଁର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧିା ହେଲେ କଂଚାମାଲ ଅଭାବ ଓ ଜିଏସଟି ଲାଗୁ ପାଇଁ ହେଉନି ଆଶାନୁରୂପକ ଲାଭ

77

କନକ ବ୍ୟୁରୋ : ସମସ୍ୟା ଘେରରେ କଂସା ପିତଳ କାରିଗର । ଯାଜପୁର ରସୁଲପୁର ବ୍ଲକ କୁଣ୍ଡପାଟଣା ଗାଁର କଂସା ପିତଳ କାରିଗରଙ୍କର ପ୍ରସିଦ୍ଧି ରହିଛି । ପୁରୁଷାନୁକ୍ରମେ ଏହି ବୃତିକୁ ଆଦରି ନେଇଥିବା ବେଳେ ଏବେ କଂଚାମାଲ ଅଭାବ ସାଙ୍ଗକୁ ଜିଏସଟି ଲାଗୁ ଫଳରେ ଆଶାନୁରୂପ ଲାଭ ହେଉନାହିଁ । ଅନେକ ବାସନ ତିଆରି ଶାଳ ବନ୍ଦ ହୋଇଯାଇଥିବା ବେଳେ ଏବେବି ଅନେକ ପରିବାର ଏହି ବୃତିକୁ ଆଦରି ନେଇ କରୁଛନ୍ତି ପରିବାର ପ୍ରତିପୋଷଣ ।

ଗାଁ ଭିତରକୁ ପଶିଲେ ଶୁଭେ ଠଣ୍ ଠାଣ୍ ଶଦ୍ଦ । ମୁଣ୍ଡଝାଳ ତୁଣ୍ଡରେ ମାରି ପରିବାର ଚଳାଇବା ପାଇଁ ନିଆଁ ତାଉ ସହ ଲଢି ରଡ ନିଆଁ ଚୂଲିରେ କଂସା ପିତଳ ଆଉଟୁଥାଏ ଏଇ ଗାଁର କାରିଗର । କାରିଗରଙ୍କ ହାତ ତିଆରି କଂସା, ପତିଳ ବାସନ ପାଇଁ ସାରା ରାଜ୍ୟରେ ଓ ରାଜ୍ୟ ବାହାରେ ଏହି କୁଣ୍ଡପାଟଣା ଗାଁର ସୁନାମ ରହିଛି । ପ୍ରାୟ ଶହେ ବର୍ଷରୁ ଉର୍ଦ୍ଦ ହେବ ଏହି ଗାଁର କଂସାରିମାନେ ପୁରୁଷାନୁକ୍ରମେ ଏହି ବୃତିକୁ ଆପଣେଇ ନେଇ ନିଜେ ନିଜର ଗୁଜୁରାଣ ମେଂଟାଇବା ସହ ରାଜ୍ୟରେ ସୁନମା ଅର୍ଜନ କରିଥିଲେ । ପ୍ରାଥମିକ ପର୍ଯ୍ୟାୟରେ ୫ଶହରୁ ଅଧିକ କାରିଗର ଏହି ବୃତିରେ ନିଜକୁ ନିୟୋଜିତ କରି ନିଜ ନିଜର ଗୁଜୁରାଣ ମେଂଟାଉଥିଲେ । ମାତ୍ର ଧିରେ ଧିରେ ଷ୍ଟିଲ, ପ୍ଲାଷ୍ଟିକ ଫାଇବର ବାସନର ଅତ୍ୟଧିକ ବ୍ୟବହାର ଫଳରେ କଂସା, ପିତଳ ବାସନର ବ୍ୟବହାର କମିବା ସହ ବ୍ୟବସାୟରେ ମାନ୍ଦା ଅବସ୍ଥା ଦେଖାଦେଇଛି ।

କୁଣ୍ଡପାଟଣା ଗାଁର କାରିଗରମାନେ ମହାଜନଠାରୁ ପୁରୁଣା କଂସାପିତଳ କିଣି ତାକୁ ନିଆଁରେ ଆଉଟି ବିଭିନ୍ନ ଛାଂଚରେ ପକାଇ ଗରା, ମାଠିଆ, ହଣ୍ଡା, ତସଲା, ବାଲତି, ବେଲା, ଗିନା ଇତ୍ୟାଦି ପ୍ରସ୍ତୁତ କରିଥାନ୍ତି । ଏଠାକାର କାରିଗରଙ୍କ ପ୍ରସ୍ତୁତ କଂସା, ପିତଳ ସାମଗ୍ରୀ ରାଜ୍ୟର କେଉଁଝର, ଢେଙ୍କାନାଳ, ବାଲେଶ୍ୱର, କେନ୍ଦ୍ରାପଡା, କଟକ, ଯାଜପୁର ସମେତ ଛତିଶଗଡ, ମଧ୍ୟପ୍ରଦେଶ, ବିହାର ଭଳି ରାଜ୍ୟକୁ ଯୋଗାଣ ହୋଇଥାଏ । ମାତ୍ର କଂଚାମାଲର ଅହେତୁକ ଦରବୃଦ୍ଧି ଓ କୋଇଲାର ଅଭାବ ସାଙ୍ଗକୁ ଉତ୍ପାଦିତ ସାମଗ୍ରୀ ଉପରେ ଜିଏସଟି ଲାଗୁ କାରିଗରମାନଙ୍କୁ ଏହି ବୃତିରୁ ମୁହଁ ଫେରାଇ ନେବାକୁ ବାଧ୍ୟ କରୁଛି ।

ପିଢି ପରେ ପିଢି ଏହି ବୃତିକୁ ଆପଣାଇ ପରିବାର ପ୍ରତିପୋଷଣ କରୁଥିବା କରିଗରଙ୍କୁ ସରକାରଙ୍କ ପକ୍ଷରୁ କିଛି ସହଯୋଗ ମିଳିଲେ ବଂଚିପାରନ୍ତା କୌଳିକ ବୃତି ।