ପ୍ରିୟଙ୍କା ଗାନ୍ଧୀ ଦେବେ କି ଓଡ଼ିଶା କଂଗ୍ରେସକୁ ସଞ୍ଜିବନୀ? ଚିନ୍ତନ ଶିବିରରେ ଯୋଗ ଦେଇ ଓଡ଼ିଶା ଫେରିଲେ ନିରଞ୍ଜନ । କହିଲେ ଖୁବଶୀଘ୍ର ହେବ ରାଜ୍ୟ କଂଗ୍ରେସର ପୁନର୍ବିନ୍ୟାସ ।

158

କନକ ବ୍ୟୁରୋ: ପ୍ରିୟଙ୍କା ହେବେ କି ଓଡିଶା କଂଗ୍ରେସ ପାଇଁ ନୂଆ ସଞ୍ଜିବନୀ? ଉଦୟପୁରରେ କଂଗ୍ରେସର ମନ୍ଥନ ଶିବିରରେ ଏଭଳି କିଛି ସଙ୍କେତ ମିଳିଛି । ପ୍ରିୟଙ୍କା ରାଜ୍ୟ କଂଗ୍ରେସକୁ ସୁଦୃଢ କରିବା ପାଇଁ ଖୁବଶୀଘ୍ର ଓଡିଶା ଆସିପାରନ୍ତି । ଉଦୟପୁର ଚିନ୍ତନ ଶିବିରରୁ ଭୁବନେଶ୍ୱର ଫେରିବା ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତେବେ ପ୍ରିୟଙ୍କା ଗାନ୍ଧୀ ଓଡିଶାରେ ସମାବେଶ କରି ଦଳୀୟ କର୍ମୀଙ୍କ ଭିତରେ ନୂଆ ଜୋସ୍ ଭରିବେ ବୋଲି କହିଛନ୍ତି ପିସିସି ସଭାପତି ।

କଂଗ୍ରେସ ଚିନ୍ତନ ଶିବିରରୁ ଫେରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବରିଷ୍ଠ କଂଗ୍ରେସ ନେତାଙ୍କ ତିନି ଦିନିଆ ମାନସ ମନ୍ଥନ କରି ଦଳର ପୁର୍ନବିନ୍ୟାସ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ସାରା ଦେଶ ସମେତ ଓଡିଶା ପ୍ରଦେଶ କଂଗ୍ରେସକୁ ସୁଦୃଢିକରଣ କରାଯିବା ନେଇ ଚିନ୍ତନ ଶିବିରରେ ଆଲୋଚନା ହୋଇଛି । ତେବେ ରାଜସ୍ଥାନ ଉଦୟପୁର କଂଗ୍ରେସ ଚିନ୍ତନ ଶିବିରରେ ପ୍ରିୟଙ୍କା ଓ ନିରଞ୍ଜନଙ୍କ ଫଟୋ ବେଶ ଚର୍ଚ୍ଚା ସାଉଁଟିଥିଲା । ସୋନିଆ ଗାନ୍ଧୀ ଓ ରାହୁଲ ପରେ କଂଗ୍ରେସର ଏହି ପ୍ରଭାଶାଳୀ ନେତ୍ରୀ ରାଜ୍ୟ କଂଗ୍ରେସକୁ ସୁଦୃଢ କରିବା ପାଇଁ ଖୁବଶୀଘ୍ର ଓଡିଶା ଆସିପାରନ୍ତି । ଉଦୟପୁର ଚିନ୍ତନ ଶିବିରରୁ ଭୁବନେଶ୍ୱର ଫେରିବା ପରେ ଏହି ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କହିଛନ୍ତି, ପ୍ରିୟଙ୍କା ଗାନ୍ଧୀ ଓଡିଶାରେ ସମାବେଶ କରି ଦଳୀୟ କର୍ମୀଙ୍କ ଭିତରେ ନୂଆ ଜୋଶ୍ ଭରିବେ ।

ପଞ୍ଚାୟତ ଓ ପୌର ନିର୍ବାଚନରେ କଂଗ୍ରେସର ନିରାଶାଜନକ ପ୍ରଦର୍ଶନ, ଦଳୀୟ କର୍ମୀଙ୍କୁ ହତୋତ୍ସାହିତ କରିଛି । ଏହାଛଡା ଦଳ ଭିତରର କନ୍ଦଳ ରାଜ୍ୟ କଂଗ୍ରେସକୁ ଆହୁରି ଦୁର୍ବଳ କରିପକାଇଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ, ତେଣୁ ପ୍ରିୟଙ୍କା ଗାନ୍ଧୀଙ୍କ ଓଡିଶା ଗସ୍ତ, ଦଳ ଓ କର୍ମୀଙ୍କ ପାଇଁ ମୃତ୍ୟୁ ସଞ୍ଜିବନୀ ଭଳି କାମ କରିବ ବୋଲି କଂଗ୍ରେସ ନେତା ଆଶା ରଖିଛନ୍ତି ।

  • ଶୀଘ୍ର ହେବ ରାଜ୍ୟ କଂଗ୍ରେସର ପୁର୍ନବିନ୍ୟାସ
  • ଯେକୌଣସି ମୂହୂର୍ତ୍ତରେ ବଦଳିବେ ପିସିସି ସଭାପତି

ଓଡିଶା ପିସିସି ସଭାପତି ପରିବର୍ତନ ନିଷ୍ପତି ଏବେ ବି ଝୁଲି ରହିଛି । ପ୍ରଥମେ ଓଡିଶା ପ୍ରଭାରୀ, ବିଧାୟକ ଓ ବରିଷ୍ଠ ନେତାଙ୍କ ମତାମତ ନେଲେ । ହେଲେ ଜଣେ ନେତାଙ୍କ ସପକ୍ଷରେ ବହୁମତ ନ ମିଳିବାରୁ ରାହୁଲ ଗାନ୍ଧୀ ଦିଲ୍ଲୀ ଡକାଇ, କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏହାପରେ ରାଜସ୍ଥାନ ଉଦୟପୁରରେ କଂଗ୍ରେସ ଚିନ୍ତନ ଶିବିର ଆରମ୍ଭ ହେବାରୁ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା ବିଳମ୍ବ ହୋଇଛି । ହେଲେ ଯେକୌଣସି ମୂହୂର୍ତରେ ନୂଆ ପିସିସି ସଭାପତିଙ୍କ ନାଁ ଘୋଷଣା କରାଯାଇପାରେ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଉଦୟପୁର ଚିନ୍ତନ ଶିବିରରେ ହୋଇଥିବା ନବ ସଂକଳ୍ପ ଅନୁସାରେ ଆସନ୍ତା ଅକ୍ଟୋବରରୁ ରାହୁଲ ଗାନ୍ଧୀ ‘ଭାରତ ଯୋଡ’ କାର୍ଯ୍ୟକ୍ରମରେ କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା କରିବେ । ଏହାଛଡା ସାମାଜିକ ନ୍ୟାୟ ପାଇଁ ଦଳରେ ୫୦ ପ୍ରତିଶତ ସଂରକ୍ଷଣ ନୀତିରେ କଂଗ୍ରେସ ଚାଲିବ. ଓଡିଶାରେ କଂଗ୍ରେସର ଉଦୟ ହେବ ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।