ଆଣ୍ଡାମାନ ସାଗରରେ ପହଞ୍ଚିଲା ମୌସୁମୀ । ୨୭ ମେ’ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା । ପଢନ୍ତୁ, କେବେ ଓଡିଶାରେ ପହଞ୍ଚିବ ବୋଲି କହିଲେ ବିଶେଷଜ୍ଞ?

309

କନକ ବ୍ୟୁରୋ: ଆଣ୍ଡାମାନ ସାଗର ଓ ଏହା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଇଏମଡିର ଆକଳନ ଅନୁସାରେ ସାଧାରଣତଃ ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ୧୧ଦିନ ପରେ ମେ’ ୨୭ ତାରିଖ ବେଳକୁ କେରଳରେ ମୌସୁମୀ ବାୟୁ ସକ୍ରିୟ ହେବ । ଏଥର ମୌସୁମୀ ସଅଳ ଆସିଥିବାରୁ ଜୁନ୍ ୧୦ରୁ ୧୫ ତାରିଖ ମଧ୍ୟରେ ଏହା ଓଡିଶା ଉପକୂଳରେ ପହଞ୍ଚିବା ନେଇ ଆକଳନ କରାଯାଇଛି ।

ଭାରତୀୟ ପାଣିପାଗ ବିଭାଗର ସାଇକ୍ଲୋନ ସେଣ୍ଟର ମୁଖ୍ୟ ଆରକେ ଜେନାମଣିଙ୍କ କହିବା ହେଲା ଆଇଏମଡିର ପୂର୍ବ ଆକଳନ ଅନୁଯାୟୀ ଆଜି ଆଣ୍ଡାମାନ ସାଗର ଓ ଏହା ନିକଟ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସାଧାରଣତଃ ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ୧୧ ଦିନ ପରେ କେରଳରେ ସକ୍ରିୟ ହୁଏ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ତେଣୁ ଆଇଏମଡିର ଆକଳନ ଅନୁସାରେ ମେ’ ୨୭ ତାରିଖ ବେଳକୁ କେବଳରେ ମୌସୁମୀ ବାୟୁ ସକ୍ରିୟ ହେବ ।

ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି କେରଳକୁ ମୌସୁମୀ ଛୁଇଁବା ପରେ ଓଡିଶାରେ ଏହା କେବେ ପହଞ୍ଚିବ ସେ ନେଇ ସଠିକ ଆକଳନ କରାଯାଇ ପାରିବ । କିନ୍ତୁ ବିଗତ ବର୍ଷ ଗୁଡିକର ଧାରାରୁ ଜଣାପଡୁଛି ଯେ, କେରଳରେ ପହଞ୍ଚିବାର ୧୦ରୁ ୧୨ ଦିନ ମଧ୍ୟରେ ଓଡିଶାରେ ପହଞ୍ଚିଯାଏ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ମୌସୁମୀ ସଅଳ ଆସିଥିବାରୁ ଜୁନ୍ ୧୦ରୁ ୧୫ ତାରିଖ ମଧ୍ୟରେ ଏହା ଓଡିଶା ଉପକୂଳରେ ପହଞ୍ଚିବା ନେଇ ଆକଳନ କରାଯାଇଛି । ତେବେ ମଡେଲ ଜନିତ ତ୍ରୁଟି ଯୋଗୁଁ ୪ ଦିନ ଆଗ-ପଛ ହୋଇପାରେ ।

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗ ଏପରି ଆକଳନ କରିଛି । ଯଦି ଆକଳନ ସତ ହୁଏ ତା ହେଲେ ତୃତୀୟ ବର୍ଷ ପାଇଁ ଦେଶରେ କ୍ରମାଗତ ସ୍ୱାଭାବିକ ବର୍ଷା ହେବାକୁ ଯାଉଛି । ଆଇଏମଡି କହିଛି ସମଗ୍ର ଦେଶରେ ମୌସୁମୀର ପ୍ରଭାବ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି ।
ଲଙ୍ଗ ପିରିୟଡ ଆଭରେଜ ଅନୁସାରେ ଦେଶରେ ୯୯ ପ୍ରତିଶତ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ଏହାଠାରୁ ୫ ପ୍ରତିଶତ ଅଧିକ କିମ୍ବା କମ୍ ବର୍ଷା ହେବ ତାହେଲେ ଏହା ସ୍ୱାଭାବିତ ବର୍ଷା ବୋଲି ବିବେଚନା କରାଯିବ ।

୨୦୨୧ରେ ଦେଶରେ ଜୁନରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିଲା । ୨୦୧୯ରୁ ୨୦୨୦ ମଧ୍ୟରେ ମଧ୍ୟ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିଲା । ଚଳିତଥର ମୌସୁମୀ ଋତୁରେ ଉତ୍ତର-ପଶ୍ଚିମ ଓଡିଶାରେ ବର୍ଷାର ପ୍ରଭାବ ରହିବ । ଏହି ଅଞ୍ଚଳରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ଅଧିକ ରହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ୨୦୧୫ ମସିହାକୁ ଛାଡିଦେଲେ ମୌସୁମୀକୁ ନେଇ ଆଇଏମଡିର ଆକଳନ ଠିକ ହୋଇଆସିଛି ।