କାହିଁକି ପୁଟିନ୍ ନେଲେ ପ୍ରତିଶୋଧ? କ୍ରିମିଆ ସେତୁ ସହ ପୁଟିନଙ୍କ କନେକ୍ସନ

94

କନକ ବ୍ୟୁରୋ: ୟୁକ୍ରେନ ଉପରେ ରୁଷର ମିସାଇଲ ମାଡ । ହଜାର ହଜାର ଲୋକ ୟୁକ୍ରେନବାସୀ ପୁଣିଥରେ ଚିନ୍ତାରେ । ଦୁଇ ଦିନ ତଳେ କ୍ରିମିଆକୁ ଯୋଡୁଥିବା ବ୍ରିଜରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହାପରେ ପୁଟିନ ପୁଣିଥରେ ରକ୍ତମୁଖା ହୋଇ ମିସାଇଲ ମାଡ କରିଛନ୍ତି । ପାଖାପାଖି ୬୦ଟି ମିସାଇଲ ମାଡ ହୋଇଛି । ଯେଉଁଥିରେ ୟୁକ୍ରେନର ଅନେକ ସରକାରୀ କୋଠା ଧ୍ୱଂସ ହୋଇଛି । ଏହାପରେ ୟୁକ୍ରେନ ମଧ୍ୟ ମୁଣ୍ଡ ନୁଆଁଇବ ନାହିଁ ବୋଲି କହିଛି । କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ବଙ୍କର ଭିତରେ ସୁରକ୍ଷିତ ଭାବେ ରଖାଯାଇଥିବା ସୂଚନା ରହିଛି ।

କିଛି ଦିନ ୟୁକ୍ରେନର ରାଜଧାନୀ ଶାନ୍ତ ପଡିବା ପରେ ପୁଣିଥରେ ମସ୍କୋ ମିସାଇଲ୍ ମାଡ କରିଛି । ୟୁକ୍ରେନ ରାଜଧାନୀ କିଭ୍ ସମେତ ୧୨ଟି ସହରର ମିସାଇଲ ମାଡ କରିଛି ଋଷ । ଦୁଇ ଘଂଟା ଭିତରେ ୨୪ରୁ ଅଧିକ ପାୱାର ପ୍ଲାଂଟ ଉପରେ କ୍ଷେପଣାସ୍ତ୍ର ମାଡ ହୋଇଥିବାରୁ ବିଜୁଳି ସେବା ବ୍ୟାହତ ହୋଇଛି । କେଉଁଠି ପିଲାଙ୍କ ଖେଳପଡିଆ ଧ୍ୱଂସ ହୋଇଛି, ତ ଆଉ କେଉଁଠି ବଡ ଅଟ୍ଟାଳିକା ରୁଷର ମିସାଇଲ ମାଡରେ କ୍ଷତିଗ୍ରସ୍ତ ହୋଇଛି । ଆଉ ଆକ୍ରମଣ କେତେ ଭୟଙ୍କର ତାହା କିଭ୍ ରାସ୍ତାରେ ଜଳୁଥିବା ଏହି ଗାଡିକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି । ପ୍ରାଥମିକ ଭାବେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୪ରୁ ଅଧିକ ଆହତ ହୋଇଛନ୍ତି । ତେବେ ଏହି ସଂଖ୍ୟା ବଢିବ ବୋଲି ସୂଚନା ରହିଛି । ନିକଟରେ ରୁଷକୁ କ୍ରିମିଆ ସହ ସଂଯୋଗ କରୁଥିବା କେର୍ଚ ବ୍ରିଜ ଉପରେ ଆକ୍ରମଣ ହୋଇଥିଲା । ଯାହାକୁ ରୁଷ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି କହିଛି । ଏହାପରେ ପୁଟିନ ପ୍ରତିଶୋଧ ନେଇଥିବା କୁହାଯାଉଛି ।

ଜଳି ଉଠୁଥିବା ଏହି ସେତୁ କୌଣସି ସାଧାରଣ ସେତୁ ବା ବ୍ରିଜ ନୁହଁ । ଋୁଷ ଏବଂ କ୍ରିମିଆକୁ ଯୋଡୁଥିବା ଏହି ବ୍ରିଜରେ ଦୁଇ ଦିନ ତଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଅଗ୍ନିକାଣ୍ଡରେ ପୋଲର ଗୋଟିଏ ଅଂଶ ଭୁଶୁଡି ପଡ଼ିଥିଲା । ନିଆଁ ଲାଗିବା ଯୋଗୁଁ ପୋଲ ଉପର ଦେଇ ଯାଉଥିବା କାର୍ଗୋ ଟ୍ରେନର ଡବା ଗୁଡିକ ଜଳି ଯାଇଥିଲା । ୟୁକ୍ରେନ୍ ପକ୍ଷରୁ ଏହା କେବଳ ଆରମ୍ଭ ମାତ୍ର ବୋଲି କୁହାଯାଇଥିଲା । ୨୦୧୪ରେ କ୍ରିମିଆ ଉପରେ ରୁଷ କବଜା କରିଥିଲା ଏବଂ ୟୁକ୍ରେନ ସହ ଯୁଦ୍ଧରେ ଏହି ବ୍ରିଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା । ୨୦୧୮ରେ ପୁଟିନ୍ ଏହି ବ୍ରିଜର ଉଦଘାଟନ କରିଥିଲେ । ଏବେ ୟୁକ୍ରେନ କ୍ରିମିଆ ସହିତ ଋଷର ସଂଯୋଗ ବିଚ୍ଛିନ୍ନ କରିବାକୁ ପ୍ରୟାସ କରିବା ପରେ ପୁଟିନ ପ୍ରତିଶୋଧ ପରାୟଣ ହୋଇଥିବା କୁହାଯାଇଛି ।

ରୁଷର ଏପରି ଆକ୍ରମଣ ପରେ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ପୁଟିନଙ୍କୁ ଜଣେ ଆତଙ୍କବାଦୀ ବୋଲି କହିଛନ୍ତି । ଯଦିଓ ଋଷ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇ ଆମେରିକା ଏବଂ ୟୁରୋପ ଚେତାବନୀ ଦେଇଛନ୍ତି ହେଲେ ପୁଟିନ ଯେମିତି ୟୁକ୍ରେନକୁ ବରବାଦ ପାଇଁ ଦୃଢ ନିଷ୍ପତି ନେଇଥିବା ବୁଝାପଡୁଛି ।