ସ୍କୁଲରେ ଯୌନ ଶିକ୍ଷା ଜରୁରୀ କି? ବିଭିନ୍ନ ମହଲରେ ଆରମ୍ଭ ହେଲା ବିତର୍କ

902

କନକ ବ୍ୟୁରୋ: କନ୍ଧମାଳରେ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଓ ଗୋଟିଏ ମୃତ ସନ୍ତାନ ପ୍ରସବ କରି ଆଖିବୁଜି ଦେବା ଘଟଣା ସାରା ରାଜ୍ୟରେ ହଇଚଇ ଖେଳାଇ ଦେଇଛି । ଅନେକ ସମୟରେ ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ଅବାଂଛିତ କୁମାରୀ ମାତ୍ୃତ୍ୱ ରୋକିବାକୁ ସ୍କୁଲରେ ଯୌନ ଶିକ୍ଷାର ଜରୁରୀ ନା ନାହିଁ ଏହାକୁ ନେଇ ବିଭିନ୍ନ ମହଲରେ ବିତର୍କ ଆରମ୍ଭ ହୋଇଛି ।

ସ୍କୁଲ ଛାତ୍ରୀ ଗର୍ଭବତୀ ହେବା ଭଳି ଘଟଣା କାହିଁକି ଘଟୁଛି ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଯୌନ ସଚେତନତା ଅଭାବରୁ କୋମଳମତି ଛାତ୍ରଛାତ୍ରୀ ପଥ ହୁଡୁଛନ୍ତି । ଶାରିରୀକ ଗଠନ ବାବଦରେ ଠିକ୍ ଭାବେ ଜାଣିନଥିବାରୁ ଯୌବନ ପୁର୍ବରୁ ଯୌନ ସଂପର୍କ ରଖି ନିଜର କ୍ଷତି କରୁଛନ୍ତି । ଏହାକୁ ରୋକିବାକୁ ହେଲେ ସ୍କୁଲଗୁଡିକରେ ଅନ୍ୟ ବିଷୟ ଭଳି ଯୌନଶିକ୍ଷାକୁ ପାଠ୍ୟକ୍ରମରେ ସାମିଲ କରିବା ଉଚିତ ବୋଲି କହିଛନ୍ତି ଶିକ୍ଷାବିତ୍ । ଏଥିସହ ସତର୍କ କରାଇଦେଇ କହିଛନ୍ତି ଅପ୍ରାପ୍ତ ବୟସ୍କ ପିଲାଙ୍କୁ ଯୌନ ଶିକ୍ଷା ଦେବା ଧାର ଥିବା ଖଣ୍ଡା ଭଳି । ତେଣୁ ଯୌନଶିକ୍ଷା ସହ ସଚେତନତା ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ଶିକ୍ଷାବିତ ।

ସ୍କୁଲରେ ଯୌନଶିକ୍ଷା ଦେବା ଅପେକ୍ଷା ନୈତିକ ଶିକ୍ଷା ଦେବା ଗୁରୁତ୍ୱପୂର୍ଣ୍ଣ । କାରଣ ପିଲାଙ୍କ ମଧ୍ୟରେ ଯୌନ ଅଭିଳାଷ ରହିବ ସ୍ୱାଭାବିକ । ତେଣୁ ପିଲାଙ୍କୁ ଯୌନ ଶିକ୍ଷା ଦେବା ଆଗରୁ ନୈତିକ ଶିକ୍ଷା ନଦେଲେ ଏହାର ଭୟଙ୍କର ପରିମାଣ ସମାଜକୁ ଭୋଗିବାକୁ ପଡିପାରେ । ତେଣୁ ଛୋଟ ପିଲାଙ୍କୁ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି କେନ୍ଦ୍ରରେ ଜୀବନ କୌଶଳ ଶିକ୍ଷା ଦିଆଯାଉଛି । ଶିଶୁଙ୍କ ଗୁଡ ଟଚ, ବ୍ୟାଡ ଟଚ ବାବଦରେ ସଚେତନ କରାଯାଉଛି । ପିଲାମାନେ କାହା ସହ କେମିତି ମିଶିବେ ସେ ବାବଦରେ ଭଲରେ ବୁଝାଇଦେବା ଉଚିତ୍ ବୋଲି କହିଛନ୍ତି ସାମାଜିକ କର୍ମୀ ।

କୁମାରୀ ମାତ୍ୃତ୍ୱ ଭଳି ଅଘଟଣ ରୋକିବାକୁ ହେଲେ ପିଲାଙ୍କ ମଧ୍ୟରେ ସଚେତନତା ହିଁ ଏକମାତ୍ର ଉପାୟ । ଆଉ ଏହାର ଆଧାର ନୈତିକ ଶିକ୍ଷାରୁ ଆରମ୍ଭ ହେବା ଉଚିତ ବୋଲି ଶିକ୍ଷାବିତ ମହଲରେ ମତ ପ୍ରକାଶ ପାଇଛି ।