ଶିବକୁମାର ବନାମ ସିଦ୍ଦରମୈୟା: କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ? ଦିଲ୍ଲୀରେ ନିଆଯିବ ନିଷ୍ପତ୍ତି!

142

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସକୁ ବିପୁଳ ବହୁମତ ମିଳିବା ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ, ଏ ନେଇ ଚାଲିଛି ଅଙ୍କକଷା । କାରଣ କଂଗ୍ରେସର ଏହି ବିଜୟର ଶ୍ରେୟ ୨ ନେତାଙ୍କୁ ଯାଉଛି । କର୍ଣ୍ଣାଟକ ପିସିସି ସଭାପତି ଡି.କେ ଶିବକୁମାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । ଶିବକୁମାରଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିଥିଲା କଂଗ୍ରେସ, ସିଦ୍ଦରମୈୟାଙ୍କ ବ୍ୟକ୍ତିତ୍ୱ ଭୋଟରଙ୍କୁ ପ୍ରଭାବିତ କରିଥିଲା । ଦୁଇ ନେତାଙ୍କ ପୋଷ୍ଟର ଲଗାଇ ନାରାବାଜି କରୁଛନ୍ତି ସେମାନଙ୍କ ସମର୍ଥକ । ତେବେ ଶିବକୁମାରଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି, ସେ ମଧ୍ୟ ଦୀର୍ଘଦିନ ଧରି ମୁଖ୍ୟମନ୍ତ୍ରୀ ଚୌକିରେ ବସିବାକୁ ଅପେକ୍ଷା କରି ବସିଛନ୍ତି । ଡକରା ପାଇ ଦୁଇ ନେତା ଦିଲ୍ଲୀ ଯାଇଛନ୍ତି । ସେଠାରେ ଆଲୋଚନା ହେବ, ଶେଷ ନିଷ୍ପତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ଛାଡି ଦିଆଯାଇଛି ।

ଯଦିଓ ଡିକେ ଶିବକୁମାରଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି । କିନ୍ତୁ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ, କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିବା ନେଇ ଆଶଙ୍କା ରହିଛି । ବଡ଼ କାରଣ ହେଉଛି ଇଡି ଓ ସିବିଆଇ ଖଣ୍ଡା ଝୁଲୁଛି ଶିବକୁମାରଙ୍କ ଉପରେ । ମନିଂ ଲଣ୍ଡରିଂ ଓ ଦୁର୍ନୀତି ଅଭିଯୋଗ ରହିଛି ତାଙ୍କ ନାଁରେ ।

ଏହି ଦୃଷ୍ଟିକୋଣରୁ ସିଦ୍ଦରମୈୟାଙ୍କ ପଲା ଭାରି ରହିଛି । ନଜର ପକାନ୍ତୁ, ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଏ ଆଗରେ ରହିଛି ।
କର୍ଣ୍ଣାଟକ: କାହାର ପଲା ଭାରି
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସ୍କାନରରେ ଅଛନ୍ତି ଶିବକୁମାର
ମନି ଲଣ୍ଡରିଂ ନେଇ ଇଡି ଏବଂ ଆୟ ବହିର୍ଭୂତ ସମ୍ପତ୍ତି ନେଇ ସିବିଆଇ କରୁଛି ଯାଂଚ
ମାମଲା ପ୍ରତ୍ୟାହାର ନେଇ ଶିବକୁମାରଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ
ମୁସଲିମ୍, ଦଳିତ ଓ ପଛୁଆବର୍ଗ ଭୋଟରଙ୍କ ଉପରେ ରହିଛି ସିଦ୍ଦରମୈୟାଙ୍କ ପ୍ରଭାବ
ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ କରାନଗଲେ ଏକ ବଡ଼ ଗୋଷ୍ଠୀ ଅସନ୍ତୁଷ୍ଟ ହୋଇପାରେ
ସିଦ୍ଦରମୈୟା ୨ ବର୍ଷ ଓ ଶିବକୁମାର ୩ ବର୍ଷ ମୁଖ୍ୟମନ୍ତ୍ରୀ ହେବା ପାଇଁ ଆସିପାରେ ପ୍ରସ୍ତାବ
ଏସବୁ ଚର୍ଚ୍ଚା ଭିତରେ ଶିବକୁମାର କହିଛନ୍ତି, ମଲ୍ଲିକାର୍ଜୁନ ଖଡଗେଙ୍କ ଆସ୍ଥା ତାଙ୍କ ଉପରେ ରହିଛି ।

ବଡ଼ ବିଜୟ ପରେ ବି କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛି କଂଗ୍ରେସ । ଦୁଇ ପ୍ରଭାବ ଶାଳୀ ନେତାଙ୍କ ମଧ୍ୟରୁ କାହାକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ଦଳ । କଂଗ୍ରେସ ଏପରି ସ୍ଥିତି କେବଳ କର୍ଣ୍ଣାଟକରେ ନୁହେଁ । ରାଜସ୍ଥାନରେ ମଧ୍ୟ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କ୍ଷମତା କଳି ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଭ୍ରଷ୍ଟାଚାର ବିରୋଧରେ ନିଜ ସମର୍ଥକଙ୍କୁ ନେଇ ବିଶାଳ ଶୋଭାଯାତ୍ରା କରିଛନ୍ତି ସଚିନ ପାଇଲଟ । ଗୋଟିଏ ପଟେ କଂଗ୍ରେସ ପୁଣି ଥରେ ଜାତୀୟ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି । ଅନ୍ୟପଟେ ୧ ନମ୍ବର, ୨ ନମ୍ବର ନେତାଙ୍କ ମଧ୍ୟରେ କନ୍ଦଳ, ଦଳ ପାଇଁ ଚ୍ୟାଲେଂଜ ସୃଷ୍ଟି କରୁଛି ।