ମହିଳା ଶକ୍ତିକୁ ନେଇ ବିଜେଡି ରଚିବ ୨୪ର ଚକ୍ରବ୍ୟୁହ, ସଂକେତ ଦେଇ ସାରିଲେଣି ବିଜେଡି ସୁପ୍ରିମୋ । ବ୍ୟୁହ ଭେଦିବା ବିରୋଧୀଙ୍କ ପାଇଁ ହୋଇପାରେ ମୁସ୍କିଲ ।

248

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପରେ ୮ ଉପ-ନିର୍ବାଚନ ଦେଖିଛି ଓଡ଼ିଶା । ଯେଉଁଥିରେ ୭ଟି ଉପ-ନିର୍ବାଚନରେ ବିଜେଡି ବିଜୟୀ ହୋଇଥିବା ବେଳେ ଗୋଟିଏ ଉପ-ନିର୍ବାଚନରେ ବାଜିମାତ କରିଛି ବିଜେପି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୮ଟି ଆସନରୁ ଦଳ ୫ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଥିଲା । ଆଉ ଏହି ୫ ଆସନରୁ ଦଳର ୪ ମହିଳା ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏହି ସଫଳତା ହାର ହିଁ ଆଗାମୀ ୨୦୨୪ ପାଇଁ ଅନେକ ସଂକେତ ଦେଉଛି ।

୨୦୨୪ ନିର୍ବାଚନରେ ଭିନ୍ନ ଏକ ରଣନୀତି ସହ ନିର୍ବାଚନ ମୈଦାନକୁ ଓହ୍ଲାଇବ ବିଜେଡି । ଉପ-ନିର୍ବାଚନରେ ଯେଉଁ ରଣନୀତି ଦଳ ଆପଣାଇଛି ପ୍ରାୟତଃ ଓଡ଼ିଶାର ଅଧିକାଂଶ ଆସନରେ ସମାନ ରଣନୀତି ଆପଣାଇପାରନ୍ତି ବିଜେଡି ସୁପ୍ରିମୋ । ଅଥାର୍ତ ପୁଣିଥରେ ଶାସନ କ୍ଷମତା ହାତରେ ରଖିବାକୁ ନବୀନ ଖେଳିପାରନ୍ତି ମହିଳା କାର୍ଡ । କାରଣ ୨୦୨୪ ନିର୍ବାଚନ ପୂର୍ବରୁ ମହିଳା ପ୍ରାର୍ଥୀଙ୍କୁ ନେଇ ବିଜେଡି ଯେଉଁ ପରୀକ୍ଷା ନିରୀକ୍ଷା କରିଛି ତାହା ଅନେକାଂଶରେ ସଫଳ ହୋଇଛି । ତେଣୁ ୨୦୨୪ରେ ଅଧିକାଂଶ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରାଗଲେ ସେଥିରେ ଆଶ୍ଚର୍ଯ୍ୟ ହେବାର ଅବକାଶ ମଧ୍ୟ ନାହିଁ । ଏନେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ ମଧ୍ୟ କହିଛନ୍ତି, ଅଧିକରୁ ଅଧିକ ମହିଳାଙ୍କୁ ବିଧାୟିକା ଓ ସାଂସଦ କରିବାକୁ ନବୀନ ଯାହା କହିଥିଲେ ତାହାକୁ ପୂରା କରିଛନ୍ତି ।

ଏହାପୂର୍ବରୁ ସଂସଦରେ ମହିଳା ସଂରକ୍ଷଣ ବିଲ୍ ନେଇ ବାରମ୍ବାର ଦାବି ଉଠାଇ ଆସିଛନ୍ତି ନବୀନ । ସଂସଦରେ ମହିଳାଙ୍କ ପାଇଁ ୩୩% ଆସନ ସଂରକ୍ଷଣ ରଖିବାକୁ ନବୀନ ଯେଉଁ ଦାବି କରି ଆସୁଥିଲେ ତାହାକୁ ଅନେକ ରାଜନୈତିକ ଦଳ ସମର୍ଥନ ମଧ୍ୟ କରିଛନ୍ତି । କିନ୍ତୁ ଏବେ ବି ସଂସଦରେ ଏହି ବିଲ ପାରିତ ହୋଇନାହିଁ । ଏହାସତ୍ତେ୍ୱ ମଧ୍ୟ ବିଜେଡି ଗତ ସାଧାରଣ ନିର୍ବାଚନରେ ୨୧ ଲୋକସଭା ଆସନରୁ ୭ ଆସନରେ ମହିଳା ପ୍ରାର୍ଥୀ କରି ୫ଟି ଆସନରେ ବିଜୟୀ ହୋଇଥିଲା । ସେହିଭଳି ରାଜ୍ୟସଭାରେ ବିଜେଡିର ୨ ମହିଳା ସାଂସଦ ରହିଛନ୍ତି । ଏପରିକି ବିଭିନ୍ନ ସଭାସମିତିରେ ନବୀନ ବାରମ୍ବାର ମହିଳା ସଶକ୍ତିକରଣର ବାର୍ତ୍ତା ରଖୁଛନ୍ତି । ଯାହା ସଂକେତ ଦେଉଛି ୨୦୨୪ରେ ମହିଳା ଯୋଦ୍ଧାଙ୍କୁ ନିର୍ବାଚନ ମୈଦାନକୁ ଓହ୍ଲାଇବେ ନବୀନ । ଯେଉଁଥିପାଇଁ ଏବେଠାରୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ମହିଳା ପ୍ରାର୍ଥୀ ଖୋଜିବା ବିଜେଡି ଆରମ୍ଭ କରିଥିବା ନେଇ ଚର୍ଚ୍ଚା ହେଉଛି । ୨୦୧୯ରେ ପ୍ରମିଳା ବିଶୋୟୀଙ୍କ ଭଳି ସରପ୍ରାଇଜ କାର୍ଡ ୨୦୨୪ରେ ମଧ୍ୟ ଖେଳିପାରନ୍ତି ନବୀନ । ଯେଉଁ ନିର୍ବାଚନମଣ୍ଡଳୀରେ ଏକାଧିକ ଆଶାୟୀ ଓ ଅସନ୍ତୋଷ ଅଧିକ ମାତ୍ରାରେ ଥିବ ସେଠାରେ ମହିଳାଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର କରିବା ଲକ୍ଷ୍ୟରେ ବିଜେଡି ରହିଥିବା ଚର୍ଚ୍ଚା ହେଉଛି ।