କିଏ ଏହି ଚୀନ୍ ଗାୟିକା? ଯିଏ ନିଜକୁ କରେଇଲେ କରୋନା ପଜିଟିଭ୍ ।

197

କନକ ବ୍ୟୁରୋ: ଜାଣିଶୁଣି ନିଜକୁ କରୋନା ପଜିଟିଭ୍ କରାଇଲେ ଚୀନ୍ ସିଙ୍ଗର । ଏନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନୂଆବର୍ଷ ପୂର୍ବରୁ ସେ କରୋନା ସଂକ୍ରମିତ ହେବାକୁ ଚାହୁଁଥିଲେ ବୋଲି କହିଛନ୍ତି ।

ଜାଣିଶୁଣି କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହେବା ପରେ ଚୀନା ଗାୟିକା ତଥା ଗୀତିକାର ଜାନି ସାଙ୍ଗ୍‌ ସାମାଜିକ ଗଣମାଧ୍ୟମରେ ତୀବ୍ର ସମାଲୋଚିତ ହୋଇଛନ୍ତି। ‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌’ ତଥ୍ୟ ଅନୁସାରେ, କୋଭିଡ୍‌ ପଜିଟିଭ୍‌ ବାହାରିଥିବା ବନ୍ଧୁମାନଙ୍କ ସହିତ ମିଳାମିଶା କରିବାରୁ ସେ ‌କରୋନା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କହିଛନ୍ତି।

ଚୀନ୍‌ରେ ଓମିକ୍ରନର ‘ବିଏଫ୍‌.୭’ ଭୂତାଣୁଜନିତ କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ସେ ଜାଣିଶୁଣି ଏଭଳି ବୋକାମି କାହିଁକି କଲେ ବୋଲି ବୁଝାଇ କହିଛନ୍ତି । ଏବେଠୁ ସଂକ୍ରମିତ ହୋଇଗଲେ ନୂଆବର୍ଷ ଅବ୍ୟବହିତ ସନ୍ଧ୍ୟା ବେଳକୁ ଆଉ ସଂକ୍ରମଣ ଆଶଙ୍କା ରହିବ ନାହିଁ। ଏବେ ସୁସ୍ଥ ହେବା ପାଇଁ ମୋ ପାଖରେ ସମୟ ଥିବାରୁ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ଲୋକମାନଙ୍କ ସହିତ ମୁଁ ମିଳାମିଶା କଲି ବୋଲି କହିଛନ୍ତି ଜାନି ସାଙ୍ଗ୍‌ ।

ଜ୍ୱର, ତଣ୍ଟି ଦରଜ ଓ ଘୋଳାବିନ୍ଧା ଆଦି ଲକ୍ଷଣ ଦେଖା ଦେବାରୁ ସେ ଶୋଇପଡ଼ିଲେ। ତାଙ୍କର ଏହି ସବୁ ଲକ୍ଷଣ କୋଭିଡ୍‌ ରୋଗୀମାନଙ୍କ ଲକ୍ଷଣ ସହିତ ସମାନ ହୋଇଥିଲେ ବି ତାହା ଗୋଟିଏ ଦିନ ରହିଥିଲା ବୋଲି ୩୮ ବର୍ଷୀୟ ଗାୟିକା ସାଙ୍ଗ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଗୋଟିଏ ଦିନ ଓ ରାତି ଶୋଇବା ପରେ, ମୋ ଶରୀରରୁ ସମସ୍ତ ଲକ୍ଷଣ ଦୂରେଇଗଲା । ଅନ୍ୟ କୌଣସି ଔଷଧ ନ ଖାଇ ମୁଁ କେବଳ ଯଥେଷ୍ଟ ପରିମାଣର ପାଣି ପିଇଲି ଓ ଭିଟାମିନ୍‌ ‘ସି’ ଖାଇ ଭଲ ହୋଇଗଲି ବୋଲି ସେ ସଫେଇ ଦେଇଛନ୍ତି ।

ଚୀନ୍‌ରେ କୋଭିଡ୍‌-୧୯ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବେଳେ ସାଙ୍ଗଙ୍କର ଏଭଳି ଯୁକ୍ତିକୁ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀମାନେ ଗ୍ରହଣ କରିନ ପାରି ତୀବ୍ର ସମାଲୋଚନା କରିଛନ୍ତି। ପରେ ସାଙ୍ଗ୍‌ ତାଙ୍କ ବିବାଦୀୟ ପୋଷ୍ଟ୍‌ ଡିଲିଟ୍‌ କରି ସର୍ବସାଧାରଣରେ କ୍ଷମାଭିକ୍ଷା କରିଛନ୍ତି।