ଯଦି ପୁଟିନ ପକାଇବେ ପରମାଣୁ ବୋମା …… ତେବେ ଜାଣନ୍ତୁ କଣ କରିବାକୁ ଯୋଜନା କରିଛନ୍ତି ବାଇଡେନ

321

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ସେହି ସ୍ଥିତିରେ ପହଂଚିସାରିଛି ଯେଉଁଠି କି ପରମାଣୁ ବୋମା ଆକ୍ରମଣ କରିବା ଭଳି ଧମକ ଦେବା ଆରମ୍ଭ ହୋଇଯାଇଛି । ସେପଟେ କ୍ରିମିୟା ବ୍ରିଜ ଆକ୍ରମଣ ପରେ ଋଷ ତରଫରୁ ୟୁକ୍ରେନ ଉପରେ ଆକ୍ରମଣକୁ ତୀବ୍ର କରାଯାଇଛି । ୟୁକ୍ରେନର କ୍ୱିବ୍, ଖାରକିବ୍ ଭଳି ସହର ଉପରେ ଋଷସେନା ବୋମା ବର୍ଷାଇଛନ୍ତି । ସେପଟେ କୂଟନୀତିଜ୍ଞ ଓ ସେନା ପ୍ରତିଷ୍ଠାନମାନେ ଆଲୋଚନା କଲେଣି କି ଖୁବଶୀଘ୍ର ଋଷ ତରଫରୁ ୟୁକ୍ରେନ ଉପରେ ଟାକ୍ଟିକାଲ ପରମାଣୁ ବୋମା ପକାଯାଇପାରେ ।

ଆପଣ ଭାବନ୍ତୁ ତ ଯଦି ଋଷ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରେ ତେବେ ଆମେରିକାର ପ୍ରତିକ୍ରିୟା କିଭଳି ରହିବ । ଏଭଳି ଏକ ପ୍ରଶ୍ନ ଆମେରିକାର ଗଣମାଧ୍ୟମ ସିଏନଏନ ରାଷ୍ଟ୍ରପତି ବାଇଡେନଙ୍କୁ କରିଥିଲେ । ଏହାର ଉତ୍ତର ବାଇଡେନ ୬ ଟି ଶବ୍ଦରେ ସ୍ପଷ୍ଟ କରିଦେଇଛନ୍ତି । ବାଇଡେନ କହିଛନ୍ତି କି ଯଦି ଏଭଳି ପରିସ୍ଥିତି ଦେଖାଦିଏ ତେବେ ଆମେରିକା ପେଣ୍ଟାଗନର ଉତ୍ତରକୁ ଅପେକ୍ଷା କରିବ ନାହିଁ । ଅର୍ଥାତ ବାଇଡେନ ସମସ୍ତ ପ୍ରକାର ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପରୋକ୍ଷରେ କହିଛନ୍ତି ।

ସେପଟେ ଆସନ୍ତା ମାସରେ ଇଣ୍ଡୋନେସିଆରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ । ଏଥିରେ ବାଇଡେନ ପୁଟିନଙ୍କୁ ଭେଟିବେ କି ବୋଲି ପ୍ରଶ୍ନର ଉତ୍ତର ଦେଇ ବାଇଡେନ କହିଛନ୍ତି କି, ମୋର ତାଙ୍କୁ ଭେଟିବାର କୌଣସି ଇଚ୍ଛା ନାହିଁ । ହେଲେ ବୈଠକରେ ସେ ଯଦି ମୋତେ ଆସି ଭେଟିବେ ତେବେ ମୁଁ ତାଙ୍କ ସହ ଆଲୋଚନା କରିବି ।