ବନ୍ୟା ନିୟନ୍ତ୍ରଣ ପାଇଁ ଜଳ ପରିଚାଳନାକୁ ଗୁରୁତ୍ୱ । ସତର୍କତାର ସହ ପଦକ୍ଷେପ ନେଉଛନ୍ତି ସରକାର ।

109

କନକ ବ୍ୟୁରୋ: ଗତକାଲିଠାରୁ ହୀରାକୁଦର ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି କରିଥିଲେ ସରକାର । କାରଣ ତେଲ ଓ ଅନ୍ୟ ଉପନଦୀରୁ ଆସୁଥିବା ପାଣି, ହୀରାକୁଦରୁ ଛଡା ଯାଉଥିବା ପାଣି ସହ ମିଶିଥିଲେ ବନ୍ୟା ନିୟନ୍ତ୍ରଣ କରିବା ମୁସ୍କିଲ ହୋଇପଡିଥାନ୍ତା । ପ୍ରଥମେ ୩୪ ଓ ପରେ ୨୬ଟି ଗେଟ୍ ଦେଇ ହୀରାକୁଦରୁ ଆସିଥିବା ପାଣି ସୋମବାର ରାତିରେ ଖଇରମାଳରେ ପହଞ୍ଚିଲା ବେଳକୁ ପିକରେ ଥିଲା । ରାତି ୯ଟାରୁ ୧୨ଟା ମଧ୍ୟରେ ଏଠାରେ ୧୨.୦୬ ଲକ୍ଷ କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଥିଲା । ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି ଯେ, ହାଇଫ୍ଲଡ୍ ସମୟରେ ପାଣି ଅତିକ୍ରମ କରିବାକୁ ୯ରୁ ୧୨ ଘଣ୍ଟା ସମୟ ଲାଗିଥାଏ । ହୀରାକୁଦରୁ ଆସୁଥିବା ବନ୍ୟା ପାଣିରୁ ପାଖାପାଖି ୫୦ ହଜାର କ୍ୟୁସେକ, ଅନ୍ୟ ଶାଖାନଦୀ ଦେଇ ଚାଲିଯାଇପାରେ । ତେଣୁ ଆଶା କରାଯାଉଛି କଟକର ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ ।

ହୀରାକୁଦରୁ ପାଣି ଛାଡିଲା ପରେ ଏହା ମୁଣ୍ଡଳିରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିଥାଏ । ପୂର୍ବରୁ ଛଡାଯାଇଥିବା ପାଣି ମୁଣ୍ଡଳିରେ ପହଞ୍ଚିବା ସହ ପିକ୍ ଛୁଇଁ ସାରିଥିବାରୁ, ପରବର୍ତ୍ତୀ ପାଣି ପହଞ୍ଚିଲା ବେଳକୁ ଏହା ଅତିକ୍ରମ କରିସାରିଥିବ ବୋଲି ଆକଳନ କରାଯାଉଛି । ଏହିଭଳି ଜଳ ପରିଚାଳନା କରି ମୁଣ୍ଡଳିଠାରେ ସର୍ବାଧିକ ୯ରୁ ସାଢେ ୯ ଲକ୍ଷ କ୍ୟୁସେକ ପାଣି ପ୍ରବାହ ଉପରେ ଗୁରୁତ୍ୱ ଦିଆଯାଉଛି । ହୀରାକୁଦରୁ ଛଡା ଯାଉଥିବା ପାଣି, ତେଲ ଓ ଅନ୍ୟ ଉପନଦୀରୁ ମିଶୁଥିବା ପାଣି କିଭଳି ବଡଧରଣ ବନ୍ୟା ପରିସ୍ଥିତି ସୃଷ୍ଟି ନକରେ ସେଥିପ୍ରତି ସରକାର ସତର୍କ ରହିଛନ୍ତି ।

ଯଦିଓ ବଡଧରଣ ବନ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି, କିନ୍ତୁ ତଳିଆ ଅଞ୍ଚଳଗୁଡିକରେ ବନ୍ୟାପାଣି ପଶିଯାଇଛି । ତେବେ ନଜର ପକାନ୍ତୁ କେଉଁ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜିଛି । ପୁରୀ ଜିଲ୍ଲାର କଣାସ, ପିପିଲି, ବଡ଼ାସ, ଦୋକନ୍ଦା, ନାନକେରା, ଗଡ଼ବଳଭଦ୍ରପୁର ଓ କୋଠତୋଟାରେ ବନ୍ୟାପାଣି ପଶିଛି । ସେହିପରି କଟକ ଜିଲ୍ଲାର ବାଙ୍କୀ, ତିଗିରିଆ, ଡମପଡ଼ା, ନରସିଂହପୁର, କଇଁମୁଣ୍ଡି ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଓରବରସିଂ, ନରଣଗଡ଼, ହିରିମୂଳ, ଡିହଖଳା । ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ବଡ଼ବାଲିକଣି, କାଠକୋଟ, ହଂସୁରା । କେନ୍ଦ୍ରାପଡ଼ାର ଜଳପୋକ, ପଖଟ, କଣିବାଙ୍କ, ଶିଶୁଆ, ଷଠିଲୋ, ପୁରୁଷୋତ୍ତମପୁର, ଆଇତିପୁର, ବଳରାମପୁର ଏବଂ ଯାଜପୁର ଜିଲ୍ଲାର କମାଲପୁର, କସପା, ନୂଆଶାସନ, ଅହିୟାସ, ପଲ୍ଲାସାହି, ପଞ୍ଚପଡ଼ା, ମଲ୍ଳିକାପୁର, ଦାଣ୍ଡିସାହି, ଜୟନ୍ତରା, ଲକ୍ଷ୍ମୀପୁର ଓ କୟାଁ ଆଦି ଅଞ୍ଚଳରୁ ଜଳବନ୍ଦୀର ଚିତ୍ରସବୁ ସାମ୍ନାକୁ ଆସିଛି ।