କଟକ ଭୁବନେଶ୍ୱରେ ହଠାତ୍ ଉଭାନ ହୋଇଗଲା ଛାଇ: ମଧ୍ୟାହ୍ନ ୧୧.୪୩ରେ ଖରା ଛାଇର ବିରଳ ଖେଳ, ଦେଖାଗଲାନି ନିଜ ଛାଇ

515

କନକ ବ୍ୟୁରୋ: କଟକ ଭୁବନେଶ୍ୱରେ ହଠାତ୍ ଉଭାନ ହୋଇଗଲା ଛାଇ । ଛାତ୍ରଛାତ୍ରୀ ଦେଖିଲେ ଛାୟା ଦିବସ ତଥା ଜିରୋ ସ୍ୟାଡୋ ଡେ । ଟୁଇନ ସିଟିରେ ଆଜି ମଧ୍ୟାହ୍ନ ୧୧.୪୩ ମିନିଟ ସମୟରେ ଏଭଳି ଶୂନ୍ୟ ଛାୟା ଦେଖିବାକୁ ମିଳିଥିଲା । କଥାରେ ଅଛି ଛାଇ ଆମର ପିଛା ଛାଡ଼ି ନଥାଏ । କିନ୍ତୁ ଏହି କଥାକୁ ଭୁଲ କହିଛନ୍ତି ଜ୍ୟୋତିବିଜ୍ଞାନୀ । ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ । ବର୍ଷର ଏହି ୨ ଦନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି । ସେଥିପାଇଁ ସେ ସମୟରେ ଛାଇ ଦେଖାଯାଏ ନାହିଁ । ଏହି ଘଟଣାକୁ ଜ୍ୟୋର୍ତିବଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି । ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଶୂନ୍ୟ ଛାୟା ଘଟିଥାଏ । ଏହାକୁ ଦେଖିବା ଲାଗି କୌଣସି ଯନ୍ତ୍ରପାତିର ଆବଶ୍ୟକତା ନାହିଁ । ଏକ ସମତଳ ଜାଗାରେ ଖୁଂଟ ଚାରିକଣିଆ ବାକ୍ସ, ବୋତଲ,ଇଟା ଭଳି କିଛି ଜିନିଷ ଖରା ପଡ଼ୁଥିବା ସ୍ଥାନରେ ଲମ୍ବା ଭାବରେ ରକ୍ଷନ୍ତୁ । ତାପରେ ଦେଖପାରିବେ ବସ୍ତୁଟିର ଛାୟା କିପରି ଧୀରେ ଧୀରେ ଉଭେଇ ଯାଉଛି । ପୁନଶ୍ଚ କିଛି ସମୟ ପରେ ଛାଇ ଦେଖାଯିବ ।

କାହିଁକି ହୁଏ ଶୂନ୍ୟ ଛାୟା ?
– ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହ୍ରୁଅନ୍ତି
– ଏହି ସମୟରେ ବାହାରକୁ ଗଲେ ସୂର୍ଯ୍ୟର ବିପରୀତ ଦିଗରେ ଛାଇ ସୃଷ୍ଟି ହୁଏ
– ସୂର୍ଯ୍ୟ ଦିଗବଳୟର ଯେତେ ନିକଟରେ ଥାଏ ଛାଇର ଲମ୍ବା ସେତେ ଅଧିକ ହୋଇଥାଏ
– କିନ୍ତୁ କେବେ ବି ଏହା ପୂରା ଉଭେଇ ଯାଏ ନାହିଁ
– ପ୍ରକୃତରେ ସୂର୍ଯ୍ୟ ସବୁଦିନ ଠିକ ପୂର୍ବ ଦିଗର ଉଦୟ ହୁଅନ୍ତି ନାହିଁ କି ଠିକ୍ ପଶ୍ଚିମରେ ଅସ୍ତ ହୁଅନ୍ତିନି
– ବର୍ଷର କେବଳ ୨ଦିନରେ ସୂର୍ଯ୍ୟ ପ୍ରକୃତ ପୂର୍ବ ଦିଗରେ ଉଦୟ ହୁଅନ୍ତି
– ମଧ୍ୟାହ୍ନରେ ଠିକ୍ ମୁଣ୍ଡ ଉପରେ ରୁହନ୍ତି
– ସେହି ସମୟରେ ଆମର ଛାଇ ଦେଖାଯାଏ ନାହିଁ