ପିଓକେ ଆମର ଥିଲା,  ଆଗକୁ ମଧ୍ୟ ରହିବ । ପିଓକେକୁ ଆମେ ନିଶ୍ଚୟ ଆଣିବୁ । କେନ୍ଦୁଝରରେ ଶାହାଙ୍କ ବଡ ବୟାନ । 

166

କନକ ବ୍ୟୁରୋ :  କେନ୍ଦୁଝରରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । କେନ୍ଦୁଝର ମାଟିରୁ ଅମିତ ଶାହା କହିଛନ୍ତି, ୫ଟି ପର୍ଯ୍ୟାୟରେ ନିର୍ବାଚନ ଶେଷ ହୋଇଛି । ଏହି ୫ଟି ପର୍ଯ୍ୟାୟରେ ବିଜେପି ୩୧୦ରୁ ଅଧିକ ଆସନରେ ବିଜୟୀ ହୋଇସାରିଲାଣି । ଆଗାମୀ ୨ଟି ପର୍ଯ୍ୟାୟରେ ଏହି ଆସନ ସଂଖ୍ୟା ୪୦୦ ଟପିବ । ଏହି ନିର୍ବାଚନ ମୋଦୀଙ୍କୁ ପ୍ରଧାନମନ୍ତ୍ରୀଙ୍କୁ କରିବାକୁ ହେଉଛି । ଆପଣଙ୍କ ପ୍ରତିଟି ଓଡ଼ିଶାକୁ ସମୃଦ୍ଧ କରିବ । ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ମୋଦୀ ରାଷ୍ଟ୍ରପତି କରିଛନ୍ତି । ଆଦିବାସୀଙ୍କ କଲ୍ୟାଣ ପାଇଁ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କାମ କରିଥିଲେ । ଏବେ ଏହାକୁ ଆଗକୁ ନେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଖଣିଜ ସମ୍ପଦରେ ଭରପୁର ଥିବା କେନ୍ଦୁଝରକୁ କିଛି ମିଳୁନାହିଁ ।

ଏହାସହ ବିଜେଡି ଓ କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହା କହିଛନ୍ତି, କଂଗ୍ରେସ ସରକାର ସମୟରେ ଆଦିବାସୀଙ୍କ କଲ୍ୟାଣ ପାଇଁ ମାତ୍ର ୨୫ ହଜାର କୋଟି ମିଳୁଥିଲା । କିନ୍ତୁ ନରେନ୍ଦ୍ର ମୋଦୀ ସରକାର ଏହାକୁ ବୃଦ୍ଧି ୧ ଲକ୍ଷ ୨୫ ହଜାର କୋଟି କରିଛନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ୭୪୦ ଏକଲବ୍ୟ ବିଦ୍ୟାଳୟ ମୋଦୀ ସରକାର ଛିଡା କରିଥିବା ବେଳେ ୪୦ ହଜାର ଆଦିବାସୀ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ।  ।ବିଜେପି ଓଡ଼ିଶା ପାଇଁ ଯେଉଁ ସଂକଳ୍ପପତ୍ର ଆଣିଛି ସେଥିରେ କେନ୍ଦୁପତ୍ର ତୋଳାଳୀଙ୍କ ପାରିଶ୍ରମିକ ବୃଦ୍ଧି ସହ ସେମାନଙ୍କୁ ବୋନସ ଦେବାକୁ ନିଷ୍ପତ୍ତି ନେଇଛି । ଏହି ଆଦିବାସୀ ଅଞ୍ଚଳରେ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୫୦୦ ବେଡ ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରିବେ ମୋଦୀ ସରକାର ।

ଏହାସହ ବିଜେଡିକୁ ଟାର୍ଗେଟ କରି ଅମିତ ଶାହା କହିଛନ୍ତି, ଓଡ଼ିଶାରେ ତାମିଲ ଶାସନ ଚାଲିବ କି? ତାମିଲ ବାବୁ ଓଡ଼ିଶା ଚଲାଇବା କଥା କି? ବିଜେପି ସରକାର ଆସିଲେ, ଓଡ଼ିଆ କହୁଥିବା ଏବଂ ଓଡ଼ିଶାର ଯୁବକ ହିଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ । ନବୀନ ବାବୁ ଓଡ଼ିଶାକୁ ୨୫ ବର୍ଷ ପଛକୁ ନେଇ ଯାଇଛନ୍ତି । ଏବେ ଓଡ଼ିଶାରେ ୨୫ ଲକ୍ଷ ଲୋକଙ୍କ ପାଖରେ ଘର ନାହିଁ, ୨୬ ଲକ୍ଷ ଲୋକଙ୍କ ଘରେ ପିଇବା ପାଣିର ସୁବିଧା ନାହିଁ । ବିଜେପି ସରକାର ଆସିଲେ ୨ ବର୍ଷରେ ପ୍ରତି ବ୍ୟକ୍ତିଙ୍କୁ ଘର ଓ ପାଣି ସୁବିଧା ଯୋଗାଇଦେବୁ । ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି କରିବା ସହ ୪୮ ଘଣ୍ଟା ମଧ୍ୟରେ ଏହି ଅର୍ଥ ଚାଷୀଙ୍କ ଆକାଉଣ୍ଟକୁ ଆସିବ । ସେହିଭଳି ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ଦେବୁ । ସେହିଭଳି ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବୁ ବୋଲି କହିଛନ୍ତି ଶାହା ।

ଓଡ଼ିଶାରେ ବିଜେପି ସରକାର ହେଲେ ମାତ୍ର ୨ ବର୍ଷ ମଧ୍ୟରେ ଦେଢ ଲକ୍ଷ ଯୁବକଙ୍କୁ ଚାକିରି ଦେବୁ । ରାଉରକେଲା, ସମ୍ବଲପୁର, ଧାମରା, ପାରାଦ୍ୱୀପରେ ଇଣ୍ଡଷ୍ଟ୍ରରିଆଲ କରିଡର କରିବା ସହ ୧୫ ଲକ୍ଷ ଘର, ୨୬ ଲକ୍ଷ ଘରକୁ ପାଣି ଦେବ ବିଜେପି ସରକାର । ଦେଶର ଯେକୌଣସି ସ୍ଥାନକୁ ଗଲେ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ଯୋଗାଇଦେବୁ । ୫ ବର୍ଷରେ ଓଡ଼ିଶାକୁ ଦେଶର ନମ୍ବର-୧ ରାଜ୍ୟ ଭାବେ ଛିଡା କରିବୁ । ପ୍ରଧାନମନ୍ତ୍ରୀ ୫ କିଲୋ ଚାଉଳ ପଠାଉଥିବା ବେଳେ ନବୀନ ବାବୁ ଏହାକୁ ବ୍ୟାଗରେ ଭର୍ତ୍ତି କରି କହୁଛନ୍ତି ଆମେ ଚାଉଳ ଦେଉଛୁ । ୱାନ୍ ନେସନ, ୱାନ ରାସନ କାର୍ଡ ଉପରେ ରୋକ ଲଗାଇଛନ୍ତି ନବୀନ ସରକାର । ଯାହାଫଳରେ ବାହାରେ ରହୁଥିବା ଓଡ଼ିଆ ଶସ୍ତାରେ ରାସନ ପାଉନାହାନ୍ତି । କିନ୍ତୁ ବିଜେପି ସରକାର ଆସିଲେ ୱାନ୍ ନେସନ ୱାନ୍ ରାସନ ତୁରନ୍ତ ଲାଗୁ କରାଯିବ ।

ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । କଂଗ୍ରେସ ୭୦ ବର୍ଷ ଧରି ଏହାକୁ ବିରୋଧ କରୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହଯୋଗରେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । ପୂରା ଦେଶ ରାମ ଉତ୍ସବ ପାଳନ କଲା ବେଳେ ବିଜେଡି ସରକାର ରାମ ଉତ୍ସବରେ ସାମିଲ ହେବାକୁ ରାମଭକ୍ତଙ୍କୁ ଅଟକାଇଥିଲେ । ଏଭଳି ସରକାରକୁ ଭୋଟ ଦେବା କଥା ନୁହେଁ । ଶ୍ରୀମନ୍ଦିରର ଚାରିଦ୍ୱାର ଭକ୍ତଙ୍କ ପାଇଁ ଖୋଲୁନାହାନ୍ତି ନବୀନ ସରକାର । କିନ୍ତୁ ବିଜେପି ସରକାର ଆସିବା କ୍ଷଣି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯିବ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବୁଲିଲା, ଯାଞ୍ଚ ରିପୋର୍ଟ ସାବର୍ଜନୀନ କରାଗଲାନି । କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ୧୦୦ ଦିନ ମଧ୍ୟରେ ସାବର୍ଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ ।

ନରେନ୍ଦ୍ର ମୋଦୀ ଏ ଦେଶକୁ ସୁରକ୍ଷିତ ରଖିବାକୁ କାମ କରୁଛନ୍ତି । ମୋଦୀ କାଶ୍ମୀରରୁ ଧାରା ୩୭୦ ହଟାଇବା ସହ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । ଏବେ ପିଓକେର ପାଳି । କଂଗ୍ରେସ ନେତା ମଣିଶଙ୍କର ଆୟର କହୁଛନ୍ତି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି ତେଣୁ ପିଓକେ କଥ ନ କହିବାକୁ ଭୟଭୀତ କରୁଛନ୍ତି । କଂଗ୍ରେସ ନେତାଙ୍କୁ ଯଦି ଡରିବାର ଅଛି ତ ଡରନ୍ତୁ , କିନ୍ତୁ ବିଜେପି କର୍ମୀ ଡରିବାର ନାହିଁ । ପିଓକେ ଭାରତର ଥିଲା ଆଗକୁ ମଧ୍ୟ ରହିବ । ଏହାକୁ ଆମେ ନିଶ୍ଚୟ ଆଣିବୁ । କଂଗ୍ରେସ ଶାସନରେ ପ୍ରତିଦିନ ବୋମା ବିସ୍ଫୋରଣ ହେଉଥିଲା କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ହେଉନଥିଲା । କିନ୍ତୁ ମୋଦୀ ସରକାରରେ ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କୁ ନିପାତ କରିଛୁ । ଇଣ୍ଡି ମେଣ୍ଟ ଜିତିଲେ ତାଙ୍କର ନେତା କିଏ ହେବ? ସେମାନଙ୍କ ମଧ୍ୟରୁ କେହି ପାକିସ୍ତାନକୁ ମୁହଁତୋଡ ଜବାବ ଦେଇପାରିବ କି? ନରେନ୍ଦ୍ର ମୋଦୀ ପାଇକ ସଂଗ୍ରାମର ଡାକ ଟିକେଟକୁ ଉନ୍ମୋଚନ ଓଡ଼ିଶାର ଭାଷା ଓ ସଂସ୍କୃତିକୁ ସମ୍ମାନ ଦେଇଛନ୍ତି । ସମୃଦ୍ଧ ଓଡ଼ିଶାରେ ଜନତା ଗରିବ । କିନ୍ତୁ ଏବେ ସମୟ ଆସିଛି ସମୃଦ୍ଧ ଓଡ଼ିଶାର ଜନତା ମଧ୍ୟ ସମୃଦ୍ଧ ହେବେ । ନବୀନ ବାବୁଙ୍କୁ ୨୫ ବର୍ଷ ସୁଯୋଗ ଦେଲେଣି, ଓଡ଼ିଶା ଆଗକୁ ବଢିଛି କି? କିନ୍ତୁ ଏବେ ମୋଦୀଙ୍କୁ ୫ ବର୍ଷ ସୁଯୋଗ ଦିଅନ୍ତୁ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରି ଦେଖାଇବୁ ବୋଲି କହିଛନ୍ତି ଅମିତ ଶାହା । ଏହାସହ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି ଅମିତ ଶାହା ।