ବିଜେଡି ସରକାରକୁ ଉପାଡି ଫିଙ୍ଗ, ଓଡ଼ିଆ ପୁଅକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି । ପରଜଙ୍ଗ ସଭାରୁ ବିଜେଡିକୁ ଅମିତ ଶାହାଙ୍କ ଟାର୍ଗେଟ ।

293

କନକ ବ୍ୟୁରୋ : ଢେଙ୍କାନାଳ ପରଜଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପ୍ରଚାର । ବିଶାଳ ଜନସଭାକୁ ସମ୍ବୋଧିତ କରି ଶାହା କହିଛନ୍ତି, ଏଥର ଓଡ଼ିଶାରେ ବିଜେପି ସରକାର ହେବାକୁ ଯାଉଛି । ଗତ ୧୦ ବର୍ଷ ମଧ୍ୟରେ ମୋଦୀ ଗରିବଙ୍କ କଲ୍ୟାଣ ପାଇଁ ଅନେକ କାମ କରୁଛନ୍ତି । ମୋଦୀ ସରକାର ୫ କିଲୋ ଲେଖାଏଁ ଚାଉଳ ଦେଉଛନ୍ତି । ସମସ୍ତଙ୍କୁ ଘର, ପାଣି, ଉଜ୍ଜଳା ଯୋଜନାରେ ଗ୍ୟାସ ଯୋଗାଇଛି । ପୂରା ଦେଶ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛି ।

ଶାହା କହିଛନ୍ତି, ଓଡ଼ିଶାରେ ତାମିଲ ବାବୁ ଶାସନ କରିପାରିବେ କି? କିନ୍ତୁ ତାମିଲ ବାବୁଙ୍କୁ ନବୀନ ବାବୁ ଓଡ଼ିଶାର ରାଜା କରିଛନ୍ତି । ଏ ବିଜେଡି ସରକାରକୁ ଉପାଡି ଫିଙ୍ଗିବା ସହ ଏହି ମାଟିର ପୁଅକୁ ମୁଖ୍ୟମନ୍ତ୍ରୀ କରିବ ବିଜେପି । ଏ ବାବୁ ମାନେ ଓଡ଼ିଶାରେ ଲୁଟ୍ କରି ଚାଲିଛନ୍ତି । ଓଡ଼ିଶାର ଖଣି ଖାଦାନକୁ ଲୁଟି ଖାଇଛନ୍ତି । ବିଜେପି ସରକାର ହେଲେ ଦୁର୍ନୀତିଖୋର ବାବୁଙ୍କୁ ଜେଲରେ ଭର୍ତ୍ତି କରିବୁ । ମହାପ୍ରଭୁଙ୍କ ପବିତ୍ର ରତ୍ନଭଣ୍ଡାରର ଚାବି ହଜିଗଲା, ଡୁପ୍ଲିକେଟ ଚାବି ବୁଲିଲା, ଯାଞ୍ଚ ରିପୋର୍ଟ ସାବର୍ଜନୀନ କରାଗଲାନି । କିନ୍ତୁ ବିଜେପି ସରକାର ଆସିଲେ ଯାଞ୍ଚ ରିପୋର୍ଟକୁ ସାବର୍ଜନୀନ କରିବା ସହ ରତ୍ନଭଣ୍ଡାରର ଟିକିନିକି ତଥ୍ୟ ଓଡ଼ିଶାବାସୀଙ୍କ ସାମ୍ନାରେ ରଖିବୁ । ରତ୍ନଭଣ୍ଡାର ଚାବି ହଜାଇଥିବା ବ୍ୟକ୍ତିଙ୍କୁ ଆମେ ନିଶ୍ଚୟ ଦଣ୍ଡ ଦେବୁ ।

ଖଣିଜ ସମ୍ପଦରେ ଭରପୁର ରହିଛି ଓଡ଼ିଶା । ସମୃଦ୍ଧ ଓଡ଼ିଶାର ଜନତା ଗରିବ । ଏଠାରେ ଯୁବବର୍ଗ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ବିଜେପି ସରକାରରେ ଓଡ଼ିଶାରେ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯିବ । ଆୟୁଷ୍ମାନ ଯୋଜନାକୁ ନବୀନ ସରକାର ଲାଗୁ କରୁନାହାନ୍ତି । ନବୀନ ସରକାରକୁ ବିଦା କରନ୍ତୁ, ଆୟୁଷ୍ମାନ ଯୋଜନାକୁ ତୁରନ୍ତ ଓଡ଼ିଶାରେ ଲାଗୁ କରିବୁ । ବୁଣାକାରଙ୍କ କଲ୍ୟାଣ ପାଇଁ ୩୦୦୦ ଟଙ୍କା ଲେଖାଏଁ ଦେବୁ । ନବୀନ ବାବୁ ବୁଢା ହୋଇଗଲେଣି, ତେଣୁ ତାଙ୍କୁ ବିଦା କରନ୍ତୁ । ବିଜେପି ସରକାରର ୨ ବର୍ଷ ଭିତରେ ଦେଢ ଲକ୍ଷ ଯୁବବର୍ଗଙ୍କୁ ନିଯୁକ୍ତି ଦେବୁ । ୩ କୋଟି ଲକ୍ଷପତି ଦିଦିଙ୍କ ମଧ୍ୟରୁ ୨୫ ଲକ୍ଷ ଲକ୍ଷପତି ଦିଦି ଓଡ଼ିଶାରୁ ସୃଷ୍ଟି କରିବୁ ।

ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । କଂଗ୍ରେସ ୭୦ ବର୍ଷ ଧରି ଏହାକୁ ବିରୋଧ କରୁଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହଯୋଗରେ ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣ ହେଲା । ପୂରା ଦେଶ ରାମ ଉତ୍ସବ ପାଳନ କଲା ବେଳେ ବିଜେଡି ସରକାର ଓ ତାମିଲ ବାବୁ ରାମ ଉତ୍ସବରେ ସାମିଲ ହେବାକୁ ରାମଭକ୍ତଙ୍କୁ ଅଟକାଇଥିଲେ । ଏଭଳି ସରକାରକୁ ଭୋଟ ଦେବା କଥା ନୁହେଁ । ନରେନ୍ଦ୍ର ମୋଦୀ ଏ ଦେଶକୁ ସୁରକ୍ଷିତ ରଖିବାକୁ କାମ କରୁଛନ୍ତି । ମୋଦୀ କାଶ୍ମୀରରୁ ଧାରା ୩୭୦ ହଟାଇବା ସହ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି । କଂଗ୍ରେସ ନେତା କହୁଛନ୍ତି ପାକିସ୍ତାନ ପାଖରେ ପରମାଣୁ ବୋମା ଅଛି ତେଣୁ ପିଓକେ କଥା ନ କହିବାକୁ ଭୟଭୀତ କରୁଛନ୍ତି । କଂଗ୍ରେସ ନେତାଙ୍କୁ ଯଦି ଡରିବାର ଅଛି ତ ଡରନ୍ତୁ , କିନ୍ତୁ ବିଜେପି କର୍ମୀ ଡରିବାର ନାହିଁ । ପିଓକେ ଭାରତର ଥିଲା ଆଗକୁ ମଧ୍ୟ ରହିବ । ଏହାକୁ ଆମେ ନିଶ୍ଚୟ ଆଣିବୁ । ଓଡ଼ିଶାକୁ ଏକ ନମ୍ବର କରିବାକୁ ହେଲେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାକୁ ଅପିଲ କରିଛନ୍ତି ଅମିତ ଶାହା ।