ମହାପ୍ରଭୁଙ୍କୁ ନେଇ ସମ୍ବିତଙ୍କ ବିବାଦୀୟ ବୟାନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭିକେ ପାଣ୍ଡିଆନ୍ । କହିଲେ, ଜଗନ୍ନାଥ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ । ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖାଯାଉ ।

610

କନକ ବ୍ୟୁରୋ: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିବାଦୀୟ ବୟାନ ରଖିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ଇଣ୍ଟରଭ୍ୟୁ ଦେଇ ପାଣ୍ଡିଆନ୍ କହିଛନ୍ତି, ଆମକୁ ଭଗବାନ ଜଗନ୍ନାଥଙ୍କୁ ରାଜନୀତିରୁ ବାହାରେ ରଖିବାକୁ ହେବ । ଏଥିସହିତ ସମ୍ବିତ ପାତ୍ରଙ୍କୁ ପାଣ୍ଡିଆନ୍ ନିଜର ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ।

ପାଣ୍ଡିଆନ୍ କହିଛନ୍ତି, ବିଜେପି ଓଡିଆ ଅସ୍ମିତାର କଥା କହୁଛି ଏବଂ ଭଗବାନ ଜଗନ୍ନାଥ ହେଉଛନ୍ତି ଓଡିଆ ଅସ୍ମିତାର ପ୍ରତୀକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଅନୁଭବ କରିଛନ୍ତି ଯେ, ଭଗବାନଙ୍କୁ ରାଜନୀତିରୁ ବାହାରେ ରଖିବେ । ଭଗବାନ ହେଉଛନ୍ତି ଅମର, ଆମେ ହେଉଛେ ନଶ୍ୱର । ତେଣୁ ଆମେ ଦୁହିଁଙ୍କୁ କାହିଁକି ସବୁବେଳେ ମିଶାଇବା ବୋଲି ପ୍ରଶ୍ନ କରିବା ସହିତ ରାଜନୀତିରୁ ଦୁରେଇ ରଖିବା ଉଚିତ୍ ବୋଲି କହିଛନ୍ତି ପାଣ୍ଡିଆନ୍ । ଅନ୍ୟପଟେ ଏଭଳି ବିବାଦୀୟ ବୟାନ ଯେତେବେଳେ ଦିଆହେଲା, ସେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦୁଃଖ ହେଲା ବୋଲି କହିଛନ୍ତି ପାଣ୍ଡିଆନ୍ ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ଲୋକ ନିର୍ବାଚନରେ ଧର୍ମ କିମ୍ବା ମହାପ୍ରଭୁ ଜଗନ୍ନାଥଙ୍କୁ ଆଣିବା ପସନ୍ଦ କରନ୍ତିନି । ଏହା ପ୍ରଥମ ଥର ପାଇଁ ହେଇଛି । ଗତ ୨୦୧୯ ସାଧାରଣ ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନ ସମୟରେ ମଧ୍ୟ ଏଭଳି ହେଇଥିଲା ବୋଲି କହିଛନ୍ତି ପାଣ୍ଡିଆନ୍ । ସେମାନେ ସବୁବେଳେ କିଛି ନା କିଛିକୁ ଧର୍ମ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ସହ ଯୋଡି ଦେଇଥାନ୍ତି । ବିଜେପି ନିର୍ବାଚନରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାକୁ ଚେଷ୍ଟା କରୁଛି । ତେଣୁ ଏଭଳି ରଣନୀତି ଆପଣାଉଥିବା କହିଛନ୍ତି ଭିକେ ପାଣ୍ଡିଆନ୍ ।

ଶେଷରେ ସମ୍ବିତ ପାତ୍ର ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କହିବା ସହ ଭୀଷଣ ଗରମ, ଧୂଳି ପ୍ରତି ସଚେତନ ରହିବାକୁ କହିଛନ୍ତି ପାଣ୍ଡିଆନ୍ । ଆଉ ମାତ୍ର ୩ ଦିନ ପରେ ତାଙ୍କ ନିର୍ବାଚନ ହେବାକୁ ଅଛି । ତେଣୁ ଏଭଳି ସମୟରେ ସେ ଉପବାସ କଲେ, ଚେତା ହରାଇପାରନ୍ତି ବୋଲି କହିଛନ୍ତି ଶାହା ।