ପାଟଣାରେ ପାଣ୍ଡିଆନଙ୍କ ପ୍ରଚାର: କହିଲେ, ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ, ଭଉଣୀଙ୍କୁ ବହୁତ ଭଲ ପାଆନ୍ତି

83

କନକ ବ୍ୟୁରୋ: କେନ୍ଦୁଝରର ପାଟଣା ନିର୍ବାଚନ ମଣ୍ଡଳୀରେ ଆଜି ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ୍ । ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲେ । ଆଉ କହିଥିଲେ, ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ ଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି । ଆଦିବାସୀ ଭାଇ, ଭଉଣୀମାନଙ୍କ ପରିଚୟ ହେଉଛି କଳା, ସଂସ୍କୃତି, ଭାଷା, ପୂଜାସ୍ଥଳୀ । ଆପଣ ଭାବନ୍ତୁ ଏବେ ସୁଦ୍ଧା ଅନ୍ୟ କେହି ଆପଣଙ୍କ ଏସବୁ ଦିଗରେ ଚିନ୍ତା କରିଥିଲେ କି । ଆମ ମୁଖ୍ୟମନ୍ତ୍ରୀ କିନନ୍ତୁ ଚିନ୍ତା କଲେ ଆପଣଙ୍କର ଏସବୁ କୁ ଆପଣଙ୍କ ଭବିଷ୍ୟତ ପିଢୀ ପାଇଁ ବଞ୍ଚାଇ ରଖିବାକୁ । ଏଥିପାଇଁ ଆମ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ବିଜେପି ସରକାର ଥିବା ରାଜ୍ୟରେ ଏମିତି ଅନୁଷ୍ଠାନ ନାହିଁ ।

ପାଣ୍ଡିଆନ୍ ଆହୁରି କହିଛନ୍ତି, ଆଦିବାସୀ ଭାଇ, ଭଉଣୀଙ୍କ ଉପରେ ଥିବା ୫୦ ହଜାର ପୋଲିସ କେସ ରଦ୍ଦ କରିବାକୁ ଆମ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା କୌଣସି ସରକାର, କି ଦଳ କରିବେ ନାହିଁ । ଏହା କେବଳ ଆମ ମୁଖ୍ୟମନ୍ତ୍ରୀ କରିପାରିବେ । ଆପଣଙ୍କ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆମ ମୁଖ୍ୟମନ୍ତ୍ରୀ ହଜାର ହଜାର ହଷ୍ଟେଲ ଖୋଲୁଛନ୍ତି । ଝିଅପିଲାମାନେ ବି ଏହି ହଷ୍ଟେଲରେ ରହି ପଢୁଛନ୍ତି ।

ଆମ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ଆଦିବାସୀ ଭାଇ, ଭଉଣୀମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି । ଜଙ୍ଗଲରେ ଯାଇ ଶାଳ ମଞ୍ଜି, ଶାଳ ପତ୍ର, ହରିଡା ମଞ୍ଜି, ମହୁଲି ମଞ୍ଜି ଆଣି ବିକ୍ରି କରନ୍ତି, ହେଲେ ଠିକ ଦାମ ପାଉନଥିଲେ । ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି । ଗରିବ ଆଦିବାସୀମାନେ ଯିଏ ବି ଜଙ୍ଗଲକୁ ଯାଇ ନିଜ ଜୀବିକା ଉପାର୍ଜନ କରୁଛନ୍ତି ସେମାନେ ଭଲ ଟଙ୍କା ପାଇବେ । କିଏ ବି ସେମାନଙ୍କୁ ଠକିପାରିବେ ନାହିଁ ବୋଲି ପାଣ୍ଡିଆନ କହିଛନ୍ତି ।