କିଏ ହେବେ ରାଷ୍ଟ୍ରପତି ପ୍ରାର୍ଥୀ? ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ।  ଏନଡିଏ ପ୍ରାର୍ଥୀ ଦୌଡ଼ରେ ଆରିଫ୍ ମହମ୍ମଦ ଖାନ ଓ କେ. ଶିବନ 

1,423

କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁ, ଆରିଫ୍ ମହମ୍ମନ ଖାନ ଓ କେ ଶିବନ । ଏହି ଚେହେରାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । କୁହାଯାଇଛି, ଏହି ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ଏନଡିଏ ।

ଦ୍ରୌପଦୀ ମୁର୍ମୁ: ପୂର୍ବତନ ଝାଡ଼ଖଣ୍ଡ ରାଜ୍ୟପାଳ । ଜଣେ ଆଦିବାସୀ ଓ ମହିଳା ନେତ୍ରୀ । ଆରଏସଏସ ଓ ବିଜେପି ସଂଗଠନରେ ଦୀର୍ଘ ଦିନ କାମ କରିଛନ୍ତି ଦ୍ରୌପଦୀ । ଏହି ଚେହେରାକୁ ସାମନାକୁ ଆଣି ଦଳିତ କାର୍ଡ ଖେଳିପାରେ ବିଜେପି ।

ଆରିଫ୍ ମହମ୍ମନ ଖାନ୍: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଏବେ କେରଳର ରାଜ୍ୟପାଳ ରହିଛନ୍ତି । ବିଜେପିର ମୁସଲିମ୍ ଚେହେରା ଭାବେ ସେ ପରିଚିତ । ସଂପ୍ରଦାୟ ସଦଭାବକୁ ନେଇ କେନ୍ଦ୍ର ସରକାର ଅଡୁଆରେ ପଡ଼ିଥିବା ବେଳେ ଆରିଫ ମହମ୍ମଦ ଖାନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ସଂଖ୍ୟାଲଘୁ କାର୍ଡ ଖେଳିପାରେ ଏନଡିଏ ।

କେ. ଶିବନ: ଇସ୍ରୋର ପୂର୍ବତନ ଅଧ୍ୟକ୍ଷ । ପ୍ରଥମରେ ସେ ଜଣେ ଆଗ ଧାଡ଼ିର ବୈଜ୍ଞାନିକ, ଦ୍ୱିତୀୟରେ ସେ ଜଣେ ଦକ୍ଷିଣ ଭାରତୀୟ । ତାଙ୍କୁ ପ୍ରାର୍ଥୀ କରି ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ରଣନୀତି ଆପଣେଇ ପାରେ ବିଜେପି ।

ଏହି ତିନି ଜଣଙ୍କ ମଧ୍ୟରେ ରାଷ୍ଟ୍ରପତି ରେସରେ ଆଗରେ ରହିଛନ୍ତି ଓଡ଼ିଶାର ଦ୍ରୌପଦୀ ମୁର୍ମୁ । କାରଣ ତାଙ୍କୁ ପ୍ରାର୍ଥୀ କଲେ ବିଜେଡିର ସମର୍ଥନ ହାସଲ କରିବା ସହଜ ହେବ ବୋଲି ଭାବୁଛି ବିଜେପି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତା ୧୫ ତାରିଖରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଜୁନ ୨୯ ତାରିଖ ହେଉଛି ନାମାଙ୍କନର ଶେଷ ତାରିଖ । ଅର୍ଥାତ ଜୁନ ମାସରେ ହିଁ ଜଣାପଡିଯିବ କିଏ ହେବ ରାଷ୍ଟ୍ରପତି ପ୍ରାର୍ଥୀ । ଆଉ କେଉଁ ଦଳ କାହା ପ୍ରାର୍ଥିତ୍ୱକୁ ସମର୍ଥନ କରିବ, ଏନେଇ ଦିଲ୍ଲୀ ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ଏନଡିଏ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଜେଡି, ୱାଇଏସଆର୍ କଂଗ୍ରେସ, ଟିଆରଏସ୍ ଭଳି ଦଳର ସହଯୋଗ ପାଇଁ ଉଦ୍ୟମ କରୁଛି ବିଜେପି ।

ସେପଟେ ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଚକମା ଦେବାକୁ ରଣନୀତି ପ୍ରସ୍ତୁତ କରୁଛି ବିରୋଧୀ । ବିରୋଧୀ ଦଳକୁ ଏକାଠି କରିବା ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କୁ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅନ୍ୟପଟେ ଏନସିପି ମୁଖ୍ୟ ଶରତ ପାୱାର ଓ ପୂର୍ବତନ ବାଚସ୍ପତି ମୀରା କୁମାରଙ୍କୁ ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ କରିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବରିଷ୍ଠତା ଦୃଷ୍ଟିରୁ ଶରତ ପାୱାରଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ମୀରା କୁମାରଙ୍କୁ ପୁଣିଥରେ ପ୍ରାର୍ଥୀ କରିବା ପାଇଁ ଲବି କରୁଛି ସମାଜବାଦୀ ପାର୍ଟି ।