ମେଣ୍ଟ ଚର୍ଚ୍ଚା ଭିତରେ ଭି.କେ.ପାଣ୍ଡିଆନଙ୍କ ବଡ ବୟାନ: ଜାତୀୟ ଗଣମାଧ୍ୟମରେ କହିଲେ, ସରକାର ଗଠନ ପାଇଁ ବିଜେଡିକୁ ଆବଶ୍ୟକ ନାହିଁ ବିଜେପି ସହ ମେଂଟ

434

କନକ ବ୍ୟୁରୋ: ବିଜେଡି ବିଜେପି ମେଂଟ ହେବ ନା ନାହିଁ । ଏଇ ଗୋଟିଏ ପ୍ରଶ୍ନର ଉତରକୁ ଅନାଇ ରହିଛି ସାରା ଓଡିଶା । ଦୁଇ ଦଳର ନେତା ଓ କର୍ମୀ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି । ବିଜେପି ଓ ବିଜେଡିର ଶୀର୍ଷ ନେତୃତ୍ୱ ମେଂଟ ନେଇ ମୁହଁ ଖୋଲୁ ନାହାନ୍ତି । ଏତିକି ବେଳେ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଫାଇଭ-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ କହିଛନ୍ତି, ବୃହତର ସ୍ୱାର୍ଥ ଦୃଷ୍ଟିରୁ ମେଂଟ ହେଉଛି । ଯଦିଓ ନିର୍ବାଚନ ଜିତିବା ପାଇଁ ଉଭୟ ମେଂଟ ଆବଶ୍ୟକ କରୁନାହାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବନ୍ଧୁତା ନୀବିଡ ଏବଂ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦୁହେଁ ଏକାଠି ହେଉଥିବା କଥା କହିଛନ୍ତି ।

ବିଜେଡି-ବିଜେପି ମେଂଟକୁ ନେଇ ଚର୍ଚ୍ଚା ଭିତରେ, ଭି.କେ.ପାଣ୍ଡିଆନଙ୍କ ଜାତୀୟ ଗଣମାଧ୍ୟମ ନେଟୱର୍କ-୧୮ କନକ୍ଲେଭରେ ଭାଗ ନେଇ ଦେଇଥିବା ଏହି ବୟାନ ପୁଣି ଥରେ ପ୍ରସଙ୍ଗକୁ ତାଜା କରିଛି । ବିଜେଡି-ବିଜେପି ମଧ୍ୟରେ ଏବେ ବି ମେଂଟ ସମ୍ଭାବନା ରହିଛି, ବୋଲି ପାଣ୍ଡିଆନଙ୍କ ବୟାନରୁ ବାରି ହୋଇପଡୁଛି । ମେଂଟକୁ ବିଜେଡିର ଶୀର୍ଷ ନେତା ମୁହଁ ଖୋଲୁ ନଥିବାବେଳେ, ପାଣ୍ଡିଆନ ପ୍ରଥମ ଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି । ମେଂଟ ହେବ କି ନାହିଁ ସିଧାସଳଖ କିଛି କହି ନଥିଲେ ବି ସସପେନ୍ସକୁ ଆହୁରି ବଢ଼ାଇଛନ୍ତି । ନଜର ପକାନ୍ତୁ କଣ କହିଲେ, ପାଣ୍ଡିଆନ..

ମେଂଟକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟା
– ନିର୍ବାଚନ ଗଣିତକୁ ପ୍ରଭାବିତ କରିବା ପାଇଁ ଜଣେ ମେଂଟ କରିଥାଏ
– ବିଜେଡି ଓଡ଼ିଶାରେ ସରକାର ଗଢ଼ିବାକୁ ବିଜେପିର ସହଯୋଗ ଆବଶ୍ୟକ କରୁନି
– ବିଜେପି କେନ୍ଦ୍ରରେ ସରକାର ଗଢ଼ିବାକୁ ବିଜେଡିର ସହାୟତା ଆବଶ୍ୟକ କରିନପାରେ
– ନବୀନ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ, ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେଉଛନ୍ତି
– ଦୁଇ ଜଣଙ୍କ ମଧ୍ୟରେ ଭଲ ବନ୍ଧୁତ୍ୱ ରହିଛି
– ରାଜନୀତିରୁ ଉଦ୍ଧ୍ୱର୍ରେ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଦୁଇ ବନ୍ଧୁ ଏକାଠି ହୋଇପାରନ୍ତି
– କଣ ହେବ ଖୁବଶୀଘ୍ର ଜଣାପଡିବ ?

ମେଂଟକୁ ନେଇ ବିଜେପିର ଶୀର୍ଷ ନେତୃତ୍ୱ ନିଷ୍ପତି ନେବେ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ସ୍ତରୀୟ ନେତା ଓ ପ୍ରଭାରୀ କହୁଛନ୍ତି । ଏପଟେ ମେଂଟ ସମ୍ପର୍କରେ ବିଜେଡି ସୁପ୍ରିମୋ ନବୀନପଟ୍ଟନାୟକ ନିଷ୍ପତି ନେବେ ବୋଲି ବିଜେଡି ନେତାମାନେ କହୁଛନ୍ତି । ଅନ୍ୟପଟେ ଉଭୟ ଦଳର ଛାମୁଆ ସଂଗଠନ, ତୃଣମୂଳ ସ୍ତରର ନେତା ଓ କର୍ମୀ ମେଂଟକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି । ଆଉ ଏତିକିବେଳେ ପାଣ୍ଡିଆନ ଦିଲ୍ଲୀରେ ମେଂଟକୁ ନେଇ ଏଭଳି କହିବା ପରେ କଟାକ୍ଷ କରିଛି କଂଗ୍ରେସ । ଏପଟେ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଚାହିଁଲେ ମେଂଟ ହୋଇପାରେ ବୋଲି କହିଛନ୍ତି ବିଜେପି ବିଧାୟକ ।

ତେବେ ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ମେଂଟ ଚର୍ଚ୍ଚର୍ା, ଏବେ ଭିନ୍ନ ଏକ ମୋଡ଼ରେ ପହଂଚିଛି ଯେତେବେଳେ ଫାଇଭ୍-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବୟାନ ଆସିଛି ।